ଭୂକମ୍ପ ପ୍ରପୀଡ଼ିତଙ୍କ ଉଦ୍ଧାର କାର୍ଯ୍ୟରେ ଭି.କେ. ପାଣ୍ଡିଆନ ସାମିଲ : ବିପର୍ଯ୍ୟୟ ମୁକାବିଲା, ଉଦ୍ଧାର ଏବଂ ପୁନର୍ବାସ କ୍ଷେତ୍ରରେ ଅଭିଜ୍ଞତା ବାଣ୍ଟିଲେ
ଭୁବନେଶ୍ବର, ୬।୭ : ଭେନେଜୁଏଲାରେ ହୋଇଥିବା ପ୍ରଳୟଙ୍କରୀ ଭୂକମ୍ପ ପ୍ରଭାବିତ ଅଞ୍ଚଳ ଗସ୍ତ କରିଛନ୍ତି ପୂର୍ବତନ ପ୍ରଶାସକ ଭି.କେ. ପାଣ୍ଡିଆନ। ଭେନେଜୁଏଲାରେ ଭୂକମ୍ପ ପ୍ରପୀଡ଼ିତଙ୍କ ଉଦ୍ଧାର କାର୍ଯ୍ୟରେ ସେ ସାମିଲ ହୋଇଛନ୍ତି । ଭେନେଜୁଏଲା ସରକାରଙ୍କ ନିମନ୍ତ୍ରଣ ପାଇ ସେଠାରେ ବିପର୍ଯ୍ୟୟ ମୁକାବିଲା , ଉଦ୍ଧାର ଏବଂ ପୁନର୍ବାସ କ୍ଷେତ୍ରରେ ଥିବା ଅଭିଜ୍ଞତା ଓ ସଫଳତା ସମ୍ପର୍କରେ ସେ ଆଲୋଚନା କରି ନିଜର ଅଭିଜ୍ଞତା ବାଣ୍ଟିଛନ୍ତି । ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ସେ ଏହି ସୂଚନା ଦେଇଛନ୍ତି ।
ଏହି ସଙ୍କଟ ସମୟରେ ଉଦ୍ଧାର ଓ ପୁନରୁଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ବିଭିନ୍ନ ଦଳ ଏବଂ ସ୍ଥାନୀୟ ଲୋକଙ୍କ ସହ ସେ ଆଲୋଚନା କରିଛନ୍ତି। ଏଥି ସହ ସେମାନଙ୍କର ଅକ୍ଳାନ୍ତ ପରିଶ୍ରମକୁ ପ୍ରଶଂସା କରିଛନ୍ତି । ଏହି ଗସ୍ତ ସମୟରେ ଶ୍ରୀ ପାଣ୍ଡିଆନ ଭେନେଜୁଏଲାର ରାଷ୍ଟ୍ରପତି ଡେଲସି ରୋଡ୍ରିଗେଜ୍ ସହିତ ସାକ୍ଷାତ କରିଛନ୍ତି । ବୈଠକରେ ଓଡ଼ିଶା ତଥା ଭାରତର ବିପର୍ଯ୍ୟୟ ପରିଚାଳନା, ଉଦ୍ଧାର ଏବଂ ପୁନର୍ବାସ କ୍ଷେତ୍ରରେ ଥିବା ଅଭିଜ୍ଞତା ଓ ସଫଳତା ସମ୍ପର୍କରେ ସେ ଆଲୋଚନା କରିଥିଲେ । ଏହା ସହିତ ଭୂକମ୍ପ ପରବର୍ତ୍ତୀ ସ୍ଥିତିର ମୁକାବିଲା ପାଇଁ ତତ୍କାଳୀନ ଏବଂ ଦୀର୍ଘକାଳୀନ ଯୋଜନା ଉପରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା।
ଆଲୋଚନା ବେଳେ ରାଷ୍ଟ୍ରପତି ଡେଲସି ରୋଡ୍ରିଗେଜଙ୍କରର ଭଗବାନ ଶ୍ରୀ ସତ୍ୟ ସାଈ ବାବାଙ୍କ ପ୍ରତି ଥିବା ଅଗାଧ ବିଶ୍ୱାସ ବିଷୟରେ ଜଣାପଡ଼ିଥିଲା। ଯାହା ଭାରତ ସହିତ ଏକ ଦୃଢ଼ ଆଧ୍ୟାତ୍ମିକ ସଂଯୋଗ ସୃଷ୍ଟି କରୁଛି ବୋଲି ପାଣ୍ଡିଆନ ଉଲ୍ଲେଖ କରିଛନ୍ତି । ଏହି ବିପତ୍ତି ସମୟରେ ସେଠାରେ ସେବା ଯୋଗାଉଥିବା ଭାରତୀୟ ସେନା ଏବଂ ଆର୍ମି ମେଡିକାଲ କୋର୍ସର କାର୍ଯ୍ୟକୁ ସେଠାକାର ଲୋକେ ବେଶ୍ ପ୍ରଶଂସା କରିଛନ୍ତି । ସେନାବାହିନୀର ଏହି ଅତୁଳନୀୟ ମାନବୀୟ ସେବା ପାଇଁ ଶ୍ରୀ ପାଣ୍ଡିଆନ ସେମାନଙ୍କୁ ସଲାମ ଜଣାଇଛନ୍ତି। ଭେନେଜୁଏଲାରେ ଶୀଘ୍ର ଶାନ୍ତି ଓ ସ୍ବାଭାବିକ ସ୍ଥିତି ଫେରିଆସୁ ବୋଲି ସେ ପ୍ରାର୍ଥନା କରିଛନ୍ତି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।