29 JULY 2026

Welcome!

Unlock your personalized experience.
Sign Up

ଦାଦନ ଖଟିବାକୁ କେରଳ ଯାଉଥିଲେ, ୫୧ ଶ୍ରମିକ ଉଦ୍ଧାର

Jul 28, 2026 - 22:11
ଦାଦନ ଖଟିବାକୁ  କେରଳ ଯାଉଥିଲେ, ୫୧ ଶ୍ରମିକ ଉଦ୍ଧାର

ରାୟଗଡା(ଆପ୍ର): ଦାଦନ ଖଟିବାକୁ କେରଳ ଯାଉଥିବା ବେଳେ ୫୧ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ସେମାନେ ଗୋଟିଏ ବସ୍ ଯୋଗେ କେରଳ ରାଜ୍ୟକୁ ଯାଉଥିଲେ । ଶ୍ରମ ବିଭାଗର ଅଧିକାରୀ ବସକୁ କୋଲନରା ଠାରେ ଅଟକାଇ ଦାଦନମାନଙ୍କ ତଥ୍ୟ ସଂଗ୍ରହ କରି ଛାଡି ଦେଇଥିଲେ। ଏହି ଦାଦନ ଶ୍ରମିକମାନେ ରାୟଗଡା ଜିଲ୍ଲା କାଶିପୁର ଏବଂ କାଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକର ବୋଲି ଜଣାପଡିଛି।

ଜିଲ୍ଲାପାଳ ଆଶୁତୋଷ କୁଲକର୍ଣୀ କେରଳ ରାଜ୍ୟର ବସରେ ଦାଦନ ଖଟିବାକୁ ଶ୍ରମିକ ଯାଉଥିବା ନେଇ ଖବର ପାଇଥିଲେ। ଏହା ପରେ ଜିଲ୍ଲା ଶ୍ରମ ଅଧିକାରୀ ରବିନ୍ଦ୍ରନାଥ ତ୍ରିପାଠୀଙ୍କୁ ସୂଚନା ଦେଇଥିଲେ । ଶ୍ରମ ଅଧିକାରୀ ଶ୍ରୀ ତ୍ରିପାଠୀ, ଚାନ୍ଦଲି ପୁଲିସ ଏବଂ କୋଲନରା ତହସିଲ କର୍ମଚାରୀଙ୍କ ସହାୟତାରେ କୋଲନରା ଠାରେ ବସକୁ ଅଟକାଇଥିଲେ । ସେହି ବସରେ କାଶିପୁର ଅଞ୍ଚଳର ୩୦ ଦାଦନ ରହିଥିବା ବେଳେ କଳାହାଣ୍ଡି ଜିଲ୍ଲାର ୨୧ ଜଣ ଦାଦନ ରହିଥିଲେ । ସେମାନଙ୍କୁ କୋଲନରାରୁ ବସ୍ ଯୋଗେ ରାୟଗଡା ଶ୍ରମ କାର୍ଯ୍ୟାଳୟ ଆଣି ପଚରାଉଚରା କରିବା ସମୟରେ ପୂର୍ବରୁ ଦୀର୍ଘ ଦିନ ହେଲା ଶ୍ରମିକ ଭାବେ ଖଟିବାକୁ ଯାଉଥିବା ସୂଚନା ଦେଇଥିଲେ । ଶ୍ରମ ବିଭାଗର କର୍ମଚାରୀ କୋଲନରା ଯିବା ପୂର୍ବରୁ ଆଉ ଗୋଟିଏ ବସ୍ ଶ୍ରମିକଙ୍କୁ ଧରି ପଳାଇ ସାରିଥିଲା । ଏହି ଗୋଟିଏ ବସକୁ ଅଟକାଇ ଜିଲ୍ଲା ଶ୍ରମ ବିଭାଗ ସମସ୍ତଙ୍କ ଆଧାର କାର୍ଡ ଓ ଅନ୍ୟାନ୍ୟ ତଥ୍ୟ ସଂଗ୍ରହ କରି ପୁଣି କେରଳ ଅଭିମୁଖେ ଛାଡିଦେଇଥିବା ଜଣାପଡିଛି ।

ଡିଏଲଓ ଶ୍ରୀ ତ୍ରିପାଠୀ କହିଛନ୍ତି ଯେ ଜିଲ୍ଲାରୁ ଯୁବକ ଯୁବତୀ ମାନେ ଶ୍ରମ ବିଭାଗକୁ କୌଣସି ସୂଚନା ନଦେଇ ରାଜ୍ୟ ବାହାରକୁ କାମ କରିବାକୁ ଯାଉଛନ୍ତି। ତେଣୁ ବିଭାଗକୁ ତଥ୍ୟ ଦେଇ ଯିବାପାଇଁ ବିଭାଗ ସଚେତନ କରି ସେମାନଙ୍କୁ ଛାଡିଥିଲା । ଯୁବକ ମାନେ ସ୍ବଇଛାରେ ଯାଉଥିବାରୁ କେବଳ ତଥ୍ୟ ରଖି ସେମାନଙ୍କୁ ଛାଡି ଦେଇଥିବା ଶ୍ରୀ ତ୍ରିପାଠୀ ସୂଚନା ଦେଇଥିଲେ ।

ଏଠାରେ ସୂଚନାଯୋଗ୍ୟଯେ ରାୟଗଡା ଜିଲ୍ଲାର କାଶିପୁର ଏବଂ କଲ୍ୟାଣସିଂହପୁର ବ୍ଲକରୁ ସର୍ବାଧିକ ଯୁବକ ଯୁବତୀ ଦାଦନ ଖଟିବାକୁ ବାହାର ରାଜ୍ୟ ଯାଉଛନ୍ତି । ବିଭାଗ ପାଖରେ ତଥ୍ୟ ନଥିବାରୁ ସେଠାରେ ବିଭିନ୍ନ କାରଣରୁ ସେମାନେ ମୃତ୍ୟୁବରଣ କରୁଥିବା ନେଇ ଖବର ପହଁଚୁଥିବା ଏବଂ ବିଭାଗକୁ ଆଇନଗତ ପଦକ୍ଷେପ ନେବାକୁ ଅସୁବିଧା ହେଉଥିବା ଜଣାପଡିଛି । ବିଭିନ୍ନ ରାଜ୍ୟର ଦଲାଲ ମାନେ ସିଧାସଳଖ ଯୁବକ ଯୁବତୀ ମାନଙ୍କ ସହ ଯୋଗାଯୋଗରେ ରହୁଛନ୍ତି। ଆଉ ପ୍ରତି ସପ୍ତାହରେ କେରଳରୁ ରାୟଗଡା ଜିଲ୍ଲା ଶ୍ରମିକ ନେବାକୁ ଆସୁଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।