ଜୁଲାଇ ୯ରେ ଆୟାତୋଲ୍ଲା ଅଲି ଖାମେନିଙ୍କ ଅନ୍ତିମ ସଂସ୍କାର, ନିତୀନ ନବୀନ ଏବଂ ଖାର୍ଗେଙ୍କୁ ମିଳିଲା ନିମନ୍ତ୍ରଣ…
ନୂଆଦିଲ୍ଲୀ: ଇରାନର ଦିବଂଗତ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନିଙ୍କ ଅନ୍ତିମ ସଂସ୍କାରରେ ସାମିଲ ହୋଇପାରନ୍ତି ବିଜେପି ସଭାପତି ନୀତିନ ନବିନ ଏବଂ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ। ଏମାନଙ୍କୁ ସାମିଲ ପାଇଁ ନିମନ୍ତ୍ରଣ କରିଛି ଇରାନ। ଫେବୃଆରୀ ୨୮ ତାରିଖରେ ଆମେରିକା-ଇସ୍ରାଏଲ ଆକ୍ରମଣରେ ପ୍ରାଣ ହରାଇଥିବା ଖାମେନିଙ୍କୁ ଆସନ୍ତା ସପ୍ତାହରେ କବର ଦିଆଯିବ। ଗତ ସପ୍ତାହରେ ଇରାନ ରାଷ୍ଟ୍ରପତି ମାସୁଦ ପେଜେସକିୟାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଖାମେନିଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବାକୁ ନିମନ୍ତ୍ରଣ କରିଥିଲେ।
ଭାରତକୁ କିଏ ପ୍ରତିନିଧିତ୍ୱ କରିବେ ?
ଏକ ଜାତୀୟ ଗଣମାଦ୍ୟମର ରିପୋର୍ଟ ଅନୁଯାୟୀ, ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗେରିତା ଏବଂ ବିହାର ରାଜ୍ୟପାଳ ସୟଦ ଅତା ହସନେନ୍ ଆସନ୍ତା ସପ୍ତାହରେ ଖାମେନିଙ୍କ ଅନ୍ତିମ ସଂସ୍କାରରେ ଭାରତକୁ ପ୍ରତିନିଧିତ୍ୱ କରିପାରନ୍ତି। ଜୁଲାଇ ୫ ରୁ ୯ ତାରିଖ ପର୍ଯ୍ୟନ୍ତ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଜୁଲାଇ ୫, ୬ ଏବଂ ୭ ତାରିଖରେ ତେହେରାନ ଏବଂ କୋମରେ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।
ଖାମେନିଙ୍କ ଶେଷ ସଲାମୀ ସମାରୋହ…
ଇରାନର ସରକାରୀ ଗଣମାଧ୍ୟମ, IRNA ଅନୁଯାୟୀ, ଆନୁମାନିକ ୧.୨ କୋଟିରୁ ୨ କୋଟି ଲୋକ ଅନ୍ତିମ ସଂସ୍କାରରେ ଯୋଗଦେବାର ଆଶା କରାଯାଉଛି। ତେଣୁ, ସମଗ୍ର ତେହେରାନରେ ସ୍ୱତନ୍ତ୍ର ସୁରକ୍ଷା, ପରିବହନ, ସ୍ୱାସ୍ଥ୍ୟସେବା ଏବଂ ଅନ୍ୟାନ୍ୟ ବ୍ୟବସ୍ଥା କରାଯାଇଛି। ସହରର ଅନେକ ରାସ୍ତାରେ ଯାନବାହାନ ଚଳାଚଳ ମଧ୍ୟ ପ୍ରତିବନ୍ଧିତ କରାଯିବ।
ଇରାନୀ ଗଣମାଧ୍ୟମ ଅନୁଯାୟୀ, ଜୁଲାଇ ୪ ଏବଂ ୫ରେ ତେହେରାନର ଇମାମ ଖୋମେନି ମୋସାଲା ପ୍ରାର୍ଥନା ଗୃହରେ ସ୍ମାରକୀ ସେବା ଅନୁଷ୍ଠିତ ହେବ। ତା'ପରେ ଜୁଲାଇ ୬ ଏବଂ ୭ରେ ରାଜଧାନୀ ତେହେରାନ ଏବଂ କେନ୍ଦ୍ରୀୟ ଇରାନୀ ସହର କୋମରେ ଅନ୍ତିମ ସଂସ୍କାର କରାଯିବ। ତା'ପରେ ଜୁଲାଇ ୯ରେ ଉତ୍ତର-ପୂର୍ବ ସହର ମଶାହାଦରେ ଅନ୍ତିମ ସଂସ୍କାର କରାଯିବ। ସେହି ଦିନ ଦିବଂଗତ ନେତାଙ୍କୁ ସିଆ ମୁସଲମାନ ମାନଙ୍କର ଅଷ୍ଟମ ଇମାମ ଇମାମ ରେଜାଙ୍କ ପବିତ୍ର ମଠ ପରିସରରେ କବର ଦିଆଯିବ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଖାମେନିଙ୍କ ମୃତ୍ୟୁ ଘୋଷଣା କରିଥିଲେ। ଖାମେନିଙ୍କ ବୟସ ୮୬ ବର୍ଷ ଥିଲା ଏବଂ ସେ ଗତ ୩୬ ବର୍ଷ ଧରି ଇରାନକୁ ଦୃଢ଼ ନିୟନ୍ତ୍ରଣରେ ଶାସନ କରିଥିଲେ। ଇରାନର ଫାର୍ସ ନ୍ୟୁଜ୍ ଏଜେନ୍ସି ରିପୋର୍ଟ କରିଛି ଯେ ଆମେରିକା-ଇସ୍ରାଏଲ ଆକ୍ରମଣରେ ଖାମେନିଙ୍କ ଚାରି ଜଣ ସମ୍ପର୍କୀୟ ମଧ୍ୟ ପ୍ରାଣ ହରାଇଛନ୍ତି, ଯେଉଁଥିରେ ତାଙ୍କ ଝିଅ, ଜଣେ ନାତି ଏବଂ ତାଙ୍କ ଜ୍ୱାଇଁ ମଧ୍ୟ ସାମିଲ ଅଛନ୍ତି।
ଏହା ସହ ପଢନ୍ତୁ : ତାମିଲନାଡୁରେ ସର୍ବସାଧାରଣ ସ୍ଥାନରେ ହେବନି ଗୋହତ୍ୟା, ହାଇକୋର୍ଟଙ୍କ ରାୟ ଉପରେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କଲେ ବିଜୟ ସରକାର…