WEDNESDAY
01 JULY 2026

Welcome!

Unlock your personalized experience.
Sign Up

ସିନ୍ଧୁ ଜଳ ବିବାଦକୁ ନେଇ ଭାରତ ବିରୋଧରେ ବିଷ ଓଗାଳିଲେ ବିଲାୱଲ, ଦେଲେ ପରମାଣୁ ଯୁଦ୍ଧ ଧମକ

Jul 01, 2026 - 18:42
ସିନ୍ଧୁ ଜଳ ବିବାଦକୁ ନେଇ ଭାରତ ବିରୋଧରେ ବିଷ ଓଗାଳିଲେ ବିଲାୱଲ, ଦେଲେ ପରମାଣୁ ଯୁଦ୍ଧ ଧମକ

ନୂଆଦିଲ୍ଳୀ,୧।୭: ସିନ୍ଧୁ ନଦୀ ଜଳକୁ ନେଇ ଭାରତ ଓ ପାକିସ୍ତାନ ଭିତରେ ଲଗାତାର ବିବାଦ ବଢିବାରେ ଲାଗିଛି। ଏହି ବିବାଦ ଭିତରେ ପାକିସ୍ତାନ ପକ୍ଷରୁ ଲଗାତାର ଉସକାଇବା ଭଳି ବୟାନ ବାରମ୍ବାର ସାମନାକୁ ଆସୁଛି। ଏହା ଭିତରେ ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ଅଧ୍ୟକ୍ଷ ବିଲାୱଲ ଭୁଟ୍ଟୋ ଜର୍ଦ୍ଦାରୀ ଭାରତ ସହ ସିନ୍ଧୁ ଜଳ ସନ୍ଧି ବିବାଦକୁ ନେଇ ବିଷ ଓଗାଳିଛନ୍ତି। ପରମାଣୁ ଆକ୍ରମଣ କଥା କହି ଯେ, ଚେତାବନୀ ଦେଇଛନ୍ତି ଯେ, ପାକିସ୍ତାନ ଜଳ ଅଧିକାରକୁ ଦୁର୍ବଳ କରିବାର କୌଣସି ଚେଷ୍ଟା ‘ରାଷ୍ଟ୍ରୀୟ ଅସ୍ତିତ୍ବ’ ଉପରେ ଆକ୍ରମଣ ବୋଲି ମନେକରାଯିବ। ଯଦି ପାକିସ୍ତାନର ପାଣି ବନ୍ଦ କରିବାକୁ କୌଣସି ପ୍ରୟାସ କରାଯାଏ, ତେବେ ଏହାକୁ କେବଳ ଏକ ପରିବେଶଗତ କିମ୍ବା କୂଟନୈତିକ ବିବାଦ ଭାବରେ ବିବେଚନା କରାଯିବ ନାହିଁ, ବରଂ ଦେଶର ଅସ୍ତିତ୍ୱ ଉପରେ ଆକ୍ରମଣ ବୋଲି ମାନିବୁ।

ବିଲାୱଲ ମଙ୍ଗଳବାର ଇସଲାମାବାଦରେ ଆୟୋଜିତ ଏକ ଅନ୍ତର୍ଜାତୀୟ ସେମିନାରକୁ ସମ୍ବୋଧିତ କରି କହିଛନ୍ତି, ୧୯୬୦ର ସିନ୍ଧୁ ଜଳ ସନ୍ଧିକୁ ଭାରତ ଦ୍ବାରା  ସ୍ଥଗିତ ରଖାଯିବା ପ୍ରସଙ୍ଗ ଏବେ କେବଳ ପରିବେଶଗତ କିମ୍ବା ରାଜନୈତିକ ହୋଇ ନାହିଁ, ବଂର ପାକିସ୍ତାନର ରାଷ୍ଟ୍ରୀୟ ସୁରକ୍ଷା ଓ ଅସ୍ତିତ୍ବ ସହ ଜଡିତ। ପାକିସ୍ତାନର ସ୍ବତନ୍ତ୍ର ପରମାଣୁ ସିଦ୍ଧାନ୍ତ ରହିଛି।  ଦେଶର ଅର୍ଥନୀତି କିମ୍ବା ଜଳସମ୍ପଦକୁ ଗମ୍ଭୀର ଭାବରେ କ୍ଷତି ପହଞ୍ଚାଇବାର ଯେକୌଣସି ପ୍ରୟାସକୁ ଜାତୀୟ ଅସ୍ତିତ୍ୱ ପାଇଁ ବିପଦ ବୋଲି ବିବେଚନା କରାଯାଏ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଯଦି ପାକିସ୍ତାନର ପାଣିକୁ ଅବରୋଧ କରିବା ପରମାଣୁ ଆର୍ମଗେଡନ୍ ପରି ପରିସ୍ଥିତି ସୃଷ୍ଟି କରେ, ତେବେ ଏହାର ସମାନ ଭାବରେ କଠୋରତାର ସହିତ ଜବାବ ଦିଆଯିବ।

ପାଣି ଆମର ଥିଲା ଓ ଆମର ରହିବ

ସେମିନାରରେ ବିଲାୱଲ ଭାରତ ଉପରେ ପାଣିକୁ ‘ଚାପର ହତିଆର’ କରିବାର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ଯଦି କେହି ଭାବନ୍ତି ଯେ, ପାକିସ୍ତାନ ସିନ୍ଧକୁ ଛାଡି ଦେବ, ତେବେ ସେମାନେ ପାକିସ୍ତାନକୁ ଜାଣି ନାହାନ୍ତି। ଏହା ସିନ୍ଧ, ପଞ୍ଜାବ, ବେଲୁଚିସ୍ତାନ, ଖୈବର ପଖତୁନଖ୍ବା, କାଶ୍ମୀର ଓ ଗିଲଗିଟ୍-ବାଲ୍ଟିସ୍ତାନକୁ ଜାଣେନି। ଆମେ ଶାନ୍ତି ଚାହୁଁ, କିନ୍ତୁ ଗାରିମାପୂର୍ଣ୍ଣ ଶାନ୍ତି। ପାକିସ୍ତାନ ନିଜର ଜଳ, ନିଜର ସନ୍ଧି ନିଜର ସାର୍ବଭୌମତ୍ବ ଓ ନିଜର ଭବିଷ୍ୟତର ରକ୍ଷା କରିବ। ଭୁଟୋ ସିନ୍ଧୁ ନଦୀକୁ ପାକିସ୍ତାନର ‘ଜୀବନ ରେଖା’ ବୋଲି କହିବା ସହ ସିନ୍ଧୁ ନଦୀକୁ ଚାପର ବିନ୍ଦୁ ନୁହେଁ ବୋଲି କହିଛନ୍ତି। ସେ କହିଛନ୍ତି ଏହା ସୌଦାବାଜିର ମୋହରା ନହେଁ ନା କାହା ହାତର ହତିଆର। ସିନ୍ଧୁ ପାକିସ୍ତାନର ଜୀବନ ରେଖା। ତେବେ ବିଲାୱଲ ଏଭଳି ଧମକ ଦେବା ନୂଆ ନୁହେଁ। ୨୦୨୫ ରେ ପହଲଗାମ୍ ଆକ୍ରମଣ ପରେ ଭାରତ ସନ୍ଧି ସ୍ଥଗିତ କରିବାର ନିଷ୍ପତ୍ତି ପରେ ବିଲାୱଲ ଏଭଳି ଚେତାବନୀ ଦେଇଥିଲେ।

​​​​​​​ଆହୁରି ପଢନ୍ତୁ: ଅସାଧ୍ୟ ଫୁସଫୁସ ରୋଗ COPD ପାଇଁ ଗେମ୍‌ଚେଞ୍ଜର ଇଞ୍ଜେକ୍ସନ, ଚିକିତ୍ସାରେ ସଞ୍ଚୟ ହେବ ବାର୍ଷିକ ୭୩ ହଜାର କୋଟି ଟଙ୍କା