ଜୁଲାଇ ୪ରେ ଓଡ଼ିଶା ଆସିବେ ଅମିତ ଶାହ
ଭୁବନେଶ୍ଵର, ୨୯।୬ : ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଆସନ୍ତା ଜୁଲାଇ ୪ ତାରିଖରେ ସେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତା ୪ ତାରିଖରେ ଝାରସୁଗୁଡା ବିମାନବନ୍ଦରରୁ ସିଧାସଳଖ ବରଗଡ଼ ଆସି ଇଥାନଲ ପ୍ଲାଣ୍ଟର ଉଦଘାଟନ କରିବେ ଶାହ |
ଏହାପରେ ସେ ସମ୍ବଲପୁର ଯିବାର କାର୍ଯ୍ୟକ୍ରମ ରହିଛି | ସେଠାରେ ରାତିରହଣୀ କରି ୫ରେ ସମ୍ବଲପୁରରେ ଏକ ସାଧାରଣ ସଭା କରିବେ ଶାହା । ଏହାଛଡା ତାଙ୍କର ସମ୍ବଲପୁରରେ ଆଉ କିଛି ସରକାରୀ ଏବଂ ସଂଗଠନିକ କାର୍ଯ୍ୟକ୍ରମ ସ୍ଥିର କରାଯାଇଛି ବୋଲି ସୂଚନା ଦେଇଛନ୍ତି ବରଗଡ ସାଂସଦ ପ୍ରଦୀପ ପୁରୋହିତ
କେନ୍ଦ୍ର ଗୃହମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ରାଜ୍ୟ ବିଜେପି ଶିବିର ଏବେଠାରୁ ଚଳଚଞ୍ଚଳ ହୋଇପଡ଼ିଛି। ବରଗଡ଼ ଏବଂ ସମ୍ବଲପୁରରେ ଗୃହମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦେବା ପାଇଁ ଦଳୀୟ ସ୍ତରରେ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ପଶ୍ଚିମ ଓଡ଼ିଶାର କର୍ମକର୍ତ୍ତା ଓ ସମର୍ଥକଙ୍କ ମଧ୍ୟରେ ଏହାକୁ ନେଇ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି।
ଗୃହମନ୍ତ୍ରୀଙ୍କ ଗସ୍ତକୁ ଆଖିରେ ରଖି ସ୍ଥାନୀୟ ପ୍ରଶାସନ ଓ ପୋଲିସ ବିଭାଗ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ଅତି କଡ଼ାକଡ଼ି କରାଯାଉଛି। ବରଗଡ଼ ଓ ସମ୍ବଲପୁରର କାର୍ଯ୍ୟକ୍ରମ ସ୍ଥଳୀ ଗୁଡ଼ିକ ଉପରେ ସ୍ୱତନ୍ତ୍ର ନଜର ରଖାଯାଇଛି।