Welcome!

Unlock your personalized experience.
Sign Up

ଏସସିବି ମେଡିକାଲ ଆଇସିୟୁ ଅଗ୍ନିକାଣ୍ଡ ଘଟଣା, ପୁଣି ଦୁଇ ମାସ ବଢିଲା ଲକ୍ଷ୍ମୀଧର ବିଶ୍ୱାଳ କମିଶନଙ୍କ କାର୍ଯ୍ୟକାଳ

Jul 18, 2026 - 16:44
ଏସସିବି ମେଡିକାଲ ଆଇସିୟୁ ଅଗ୍ନିକାଣ୍ଡ ଘଟଣା, ପୁଣି ଦୁଇ ମାସ ବଢିଲା ଲକ୍ଷ୍ମୀଧର ବିଶ୍ୱାଳ କମିଶନଙ୍କ କାର୍ଯ୍ୟକାଳ

ଭୁବନେଶ୍ବର, ୧୮।୭ : କଟକସ୍ଥିତ ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲର ଟ୍ରମା କେୟାର ଆଇସିୟୁରେ ଘଟିଥିବା ଅଗ୍ନିକାଣ୍ଡ ଘଟଣାର ତଦନ୍ତ ପାଇଁ ଗଠିତ ନ୍ୟାୟିକ ତଦନ୍ତ କମିଶନଙ୍କ କାର୍ଯ୍ୟକାଳକୁ ରାଜ୍ୟ ସରକାର ପୁଣିଥରେ ବୃଦ୍ଧି କରିଛନ୍ତି। ଅବସରପ୍ରାପ୍ତ ଜିଲ୍ଲା ଜଜ୍ ଲକ୍ଷ୍ମୀଧର ବିଶ୍ୱାଳଙ୍କ ନେତୃତ୍ୱରେ ଗଠିତ ଏକକ ସଦସ୍ୟ ବିଶିଷ୍ଟ କମିଶନଙ୍କୁ ରିପୋର୍ଟ ଦାଖଲ ପାଇଁ ଆଉ ଦୁଇ ମାସ ସମୟ ଦିଆଯାଇଛି। ନୂଆ ବିଜ୍ଞପ୍ତି ଅନୁଯାୟୀ, କମିଶନ ଏବେ ୧୫ ସେପ୍ଟେମ୍ବର ୨୦୨୬ ସୁଦ୍ଧା ତାଙ୍କ ତଦନ୍ତ ରିପୋର୍ଟ ସରକାରଙ୍କୁ ପ୍ରଦାନ କରିବେ।

ଗୃହ (ସ୍ୱତନ୍ତ୍) ବିଭାଗ ପକ୍ଷରୁ ଜାରି ହୋଇଥିବା ନୂତନ ବିଜ୍ଞପ୍ତିରେ କୁହାଯାଇଛି ଯେ, କମିଶନଙ୍କ ତଦନ୍ତ କାର୍ଯ୍ୟ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ପୂର୍ବରୁ ତଦନ୍ତ ସମାପ୍ତି ପାଇଁ ୧୫ ଜୁଲାଇ ୨୦୨୬ ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ତଦନ୍ତ ଚାଲିଥିବାରୁ ସରକାର କମିଶନଙ୍କ କାର୍ଯ୍ୟକାଳକୁ ଆହୁରି ବୃଦ୍ଧି କରିଛନ୍ତି। ଏଥିପାଇଁ ୧୫ ଜୁଲାଇ ପରିବର୍ତ୍ତେ ୧୫ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ରିପୋର୍ଟ ଦାଖଲର ସମୟସୀମା ନିର୍ଦ୍ଧାରଣ କରାଯାଇଛି।

ଉଲ୍ଲେଖଯୋଗ୍ୟ, ୧୬ ମାର୍ଚ୍ଚ ୨୦୨୬ରେ ଏସ୍ସିବି ମେଡିକାଲର ଟ୍ରମା କେୟାର ଆଇସିୟୁରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା। ଏହି ଦୁର୍ଘଟଣାରେ ଆଇସିୟୁରେ ଚିକିତ୍ସାଧୀନ ରୋଗୀମାନଙ୍କ ମଧ୍ୟରୁ ୧୦ ଜଣଙ୍କ ପ୍ରାଣହାନି ଘଟିଥିଲା। ଘଟଣା ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଅଗ୍ନିକାଣ୍ଡର କାରଣ, ସୁରକ୍ଷା ବ୍ୟବସ୍ଥାର ତ୍ରୁଟି, ହସ୍ପିଟାଲ ପରିଚାଳନାର ଦାୟିତ୍ୱ ଏବଂ ଏଭଳି ଦୁର୍ଘଟଣା ପଛରେ ଥିବା ସମସ୍ତ ପରିସ୍ଥିତିର ତଦନ୍ତ ପାଇଁ ରାଜ୍ୟ ସରକାର ସେହିଦିନ ଅବସରପ୍ରାପ୍ତ ଜିଲ୍ଲା ଜଜ୍ ଲକ୍ଷ୍ମୀଧର ବିଶ୍ୱାଳଙ୍କୁ ନେଇ ନ୍ୟାୟିକ କମିଶନ ଗଠନ କରିଥିଲେ।

ପ୍ରାରମ୍ଭିକ ବିଜ୍ଞପ୍ତି ଅନୁସାରେ କମିଶନକୁ ୬୦ ଦିନ ମଧ୍ୟରେ ରିପୋର୍ଟ ଦେବାକୁ କୁହାଯାଇଥିଲା। ପରେ ତଦନ୍ତ ସମ୍ପୂର୍ଣ୍ଣ ହୋଇନଥିବାରୁ ମେ' ମାସରେ କାର୍ଯ୍ୟକାଳକୁ ୧୫ ଜୁଲାଇ ପର୍ଯ୍ୟନ୍ତ ବଢ଼ାଯାଇଥିଲା। ବର୍ତ୍ତମାନ ଦ୍ୱିତୀୟ ଥର ପାଇଁ ଏହାକୁ ୧୫ ସେପ୍ଟେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

କମିଶନଙ୍କ ଚୂଡ଼ାନ୍ତ ରିପୋର୍ଟରେ ଅଗ୍ନିକାଣ୍ଡର ପ୍ରକୃତ କାରଣ, କାହାର ଅବହେଳା କିମ୍ବା ତ୍ରୁଟି ଏଥିପାଇଁ ଦାୟୀ, ଭବିଷ୍ୟତରେ ସରକାରୀ ହସ୍ପିଟାଲଗୁଡ଼ିକରେ ଏପରି ଦୁର୍ଘଟଣାକୁ କିପରି ଏଡ଼ାଯାଇପାରିବ ଏବଂ ସୁରକ୍ଷା ବ୍ୟବସ୍ଥାରେ କେଉଁ ପରିବର୍ତ୍ତନ ଆବଶ୍ୟକ, ସେସବୁ ସମ୍ପର୍କରେ ସୁପାରିସ ରହିବ ବୋଲି ଆଶା କରାଯାଉଛି।

ଆହୁରି ପଢନ୍ତୁ : ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି, ରବିବାର ସୁଦ୍ଧା ନଦୀରୁ ପାଣି କମିଯିବ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।