ଇରାନ ଯୁଦ୍ଧକୁ ନେଇ ନାଟୋ ମୁଖ୍ୟଙ୍କ ସହ ଭିଡ଼ିଲେ ଟ୍ରମ୍ପ; ବ୍ରିଟେନ୍, ଫ୍ରାନ୍ସ ଓ ଇଟାଲୀକୁ କଲେ ତୀବ୍ର ସମାଲୋଚନା !
ନୂଆଦିଲ୍ଲୀ, ୨୫।୬: ଇରାନ ବିରୋଧରେ ଚାଲିଥିବା ସାମରିକ ଅଭିଯାନ ମଧ୍ୟରେ ଆମେରିକା ଏବଂ ତା’ର ପାରମ୍ପରିକ ୟୁରୋପୀୟ ସହଯୋଗୀ ଦେଶଗୁଡ଼ିକ ମଧ୍ୟରେ ଥିବା ବିବାଦ ଏବେ ପଦାକୁ ଆସିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନାଟୋ ମହାସଚିବ ମାର୍କ ରୁଟେଙ୍କ ସହ ହୋଇଥିବା ଏକ ଉଚ୍ଚସ୍ତରୀୟ ବୈଠକରେ ୟୁରୋପୀୟ ଦେଶଗୁଡ଼ିକ ଉପରେ ପ୍ରବଳ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଯୁଦ୍ଧ ସମୟରେ ଆଶାନୁରୂପ ସହଯୋଗ ମିଳିନଥିବା ଅଭିଯୋଗ କରି ଟ୍ରମ୍ପ ସିଧାସଳଖ ନାଟୋ ମୁଖ୍ୟଙ୍କ ସହ ମୁହାଁମୁହିଁ ହୋଇଛନ୍ତି ।
ୟୁରୋପୀୟ ସହଯୋଗୀଙ୍କ ଉପରେ କ୍ଷୁବ୍ଧ ଟ୍ରମ୍ପ: "ଆମକୁ ନିରାଶ କରାଯାଇଛି"
ବୈଠକ ସମୟରେ ରାଷ୍ଟ୍ରପତି ଟ୍ରମ୍ପ ବ୍ରିଟେନ, ଫ୍ରାନ୍ସ, ଜର୍ମାନୀ, ଇଟାଲୀ ଏବଂ ସ୍ପେନ୍ ଭଳି ପ୍ରମୁଖ ଶକ୍ତିଶାଳୀ ଦେଶଗୁଡ଼ିକର ନାମ ନେଇ ସେମାନଙ୍କ ଆଭିମୁଖ୍ୟକୁ ସମାଲୋଚନା କରିଛନ୍ତି । ଟ୍ରମ୍ପ କହିଛନ୍ତି, "ଏହି ସଂକଟ ସମୟରେ ଯେଉଁ ସ୍ତରର ସମର୍ଥନ ମିଳିବା କଥା, ତାହା ମିଳିଲା ନାହିଁ । ଆମକୁ ସମ୍ପୂର୍ଣ୍ଣ ଭାବେ ନିରାଶ କରାଯାଇଛି । ଯଦି ଆମେରିକା ସ୍ଥାନରେ ଅନ୍ୟ କୌଣସି ଦେଶ ଥାଆନ୍ତା, ତେବେ ହୋଇପାରେ ଆଜି ଆମେ ଏହି ବୈଠକ କରିବା ସ୍ଥିତିରେ ମଧ୍ୟ ନଥାନ୍ତୁ ।" ଟ୍ରମ୍ପଙ୍କ କହିବା ଅନୁଯାୟୀ, ଇରାନ ବିରୋଧୀ ସାମରିକ କାର୍ଯ୍ୟାନୁଷ୍ଠାନ ବେଳେ ୟୁରୋପୀୟ ଦେଶଗୁଡ଼ିକ ଖୋଲାଖୋଲି ଭାବେ ଆମେରିକା ସହ ଛିଡ଼ା ହେବାର ଥିଲା, ଯାହାଦ୍ୱାରା ସମଗ୍ର ବିଶ୍ୱକୁ ଏକ ଶକ୍ତ ବାର୍ତ୍ତା ଯାଇପାରିଥାନ୍ତା । ତେବେ ସେ ନାଟୋ ପ୍ରମୁଖ ମାର୍କ ରୁଟେଙ୍କ ପ୍ରତି ସମ୍ମାନ ଜଣାଇବା ସହ ଆଗକୁ ଆଲୋଚନା ଜାରି ରହିବ ବୋଲି କହିଛନ୍ତି, କିନ୍ତୁ ଆମେରିକା ଯେ ସହଯୋଗୀଙ୍କ ଭୂମିକାରେ ସନ୍ତୁଷ୍ଟ ନାହିଁ, ତାହା ସ୍ପଷ୍ଟ କରିଦେଇଛନ୍ତି ।