ଆଖି ବୁଜିଲେ ମୟୁରଭଞ୍ଜର ବୀର ପୁତ୍ର: ରାଷ୍ଟ୍ରୀୟ ମର୍ଯ୍ୟାଦା ଓ ଗାର୍ଡ ଅଫ୍ ଅନର ସହ ଜନ୍ମମାଟିରେ ଶେଷକୃତ୍ୟ ସମ୍ପନ୍ନ

Jun 24, 2026 - 13:40
ଆଖି ବୁଜିଲେ ମୟୁରଭଞ୍ଜର ବୀର ପୁତ୍ର: ରାଷ୍ଟ୍ରୀୟ ମର୍ଯ୍ୟାଦା ଓ ଗାର୍ଡ ଅଫ୍ ଅନର ସହ ଜନ୍ମମାଟିରେ ଶେଷକୃତ୍ୟ ସମ୍ପନ୍ନ

ବାଙ୍ଗିରିପୋଷି, ୨୪।୬: ଦେଶମାତୃକାର ସେବାରେ ନିଜକୁ ଉତ୍ସର୍ଗ କରିଥିବା ମୟୁରଭଞ୍ଜ ମାଟିର ଜଣେ ବୀର ସନ୍ତାନ ଆଖି ବୁଜିଛନ୍ତି । ଝାଡ଼ଖଣ୍ଡରେ କାର୍ଯ୍ୟରତ ଥିବା ସିଆରପିଏଫ୍ ଯବାନ ରାମଚନ୍ଦ୍ର ସୋରେନଙ୍କ ପରଲୋକ ଘଟିଛି । ଆଜି ତାଙ୍କର ପାର୍ଥିବ ଶରୀର ନିଜ ଜନ୍ମମାଟି ବାଙ୍ଗିରିପୋଷିରେ ପହଞ୍ଚିଛି । ବୀର ଯବାନଙ୍କୁ ହରାଇ କେବଳ ପରିବାର ନୁହେଁ, ବରଂ ପୂରା ବାଙ୍ଗିରିପୋଷି ଅଞ୍ଚଳ ଶୋକସନ୍ତପ୍ତ ହୋଇପଡ଼ିଛି । ମିଳିଥିବା ସୂଚନା ଅନୁଯାୟୀ, ବାଙ୍ଗିରିପୋଷି ଅଞ୍ଚଳର ବାସିନ୍ଦା ରାମଚନ୍ଦ୍ର ସୋରେନ ଝାଡ଼ଖଣ୍ଡର ମୁଶାବଣି ଅଞ୍ଚଳରେ ସିଆରପିଏଫ ଯବାନ କାର୍ଯ୍ୟରତ ଥିଲେ । ଗତ କିଛି ମାସ ହେବ ସେ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ । ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ଦିଲ୍ଲୀ ପଠାଯାଇଥିଲା ଏବଂ ସେଠାରେ ଏକ ମେଡିକାଲରେ ତାଙ୍କର ଚିକିତ୍ସା ଜାରି ରହିଥିଲା । ହେଲେ ଦୁର୍ଭାଗ୍ୟବଶତଃ ଚିକିତ୍ସିତ ଅବସ୍ଥାରେ ଗତ ୨୨ ତାରିଖ ଦିନ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।

ଏହା ବି ପଢ଼ନ୍ତୁ... ୬ ମାସ ହେଲା ମିଳିଲାନି ଦରମା: ମାନସିକ ଚାପ ସହିନପାରି ଆଖି ବୁଜିଲେ ଶିକ୍ଷକ, ଥାନାରେ ସଙ୍ଗୀନ ଅଭିଯୋଗ

ଆଜି ଯବାନ ରାମଚନ୍ଦ୍ରଙ୍କ ମରଶରୀର ଏକ ସ୍ୱତନ୍ତ୍ର ଗାଡ଼ି ଯୋଗେ ବାଙ୍ଗିରିପୋଷି ସ୍ଥିତ ତାଙ୍କ ବାସଭବନରେ ପହଞ୍ଚିଥିଲା । ଯବାନଙ୍କ ଶେଷ ଦର୍ଶନ କରିବା ପାଇଁ ସ୍ଥାନୀୟ ଅଞ୍ଚଳରେ ହଜାର ହଜାର ଲୋକଙ୍କ ଭିଡ଼ ଜମିଥିଲା । ସିଆରପିଏଫ ବାହିନୀ ଏବଂ ସ୍ଥାନୀୟ ପୁଲିସ ପ୍ରଶାସନର ଉପସ୍ଥିତିରେ ଏକ ବିରାଟ ଶୋଭାଯାତ୍ରାରେ ତାଙ୍କ ପାର୍ଥିବ ଶରୀରକୁ ସ୍ଥାନୀୟ ଶ୍ମଶାନକୁ ନିଆଯାଇଥିଲା । ସେଠାରେ ଦେଶ ମାତୃକାର ଏହି ବୀର ସନ୍ତାନଙ୍କୁ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ପ୍ରଦାନ କରାଯାଇଥିଲା । ସିଆରପିଏଫ ଯବାନମାନଙ୍କ ଦ୍ୱାରା ବୀର ଶହୀଦଙ୍କ ସମ୍ମାନାର୍ଥେ 'ଗାର୍ଡ ଅଫ୍ ଅନର' ଦିଆଯାଇଥିଲା । ସମସ୍ତ ରୀତିନୀତି ଅନୁଯାୟୀ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଜଣେ କର୍ତ୍ତବ୍ୟରତ ଯବାନଙ୍କର ଏଭଳି ଅକାଳ ବିୟୋଗ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି ।