ନୂଆଦିଲ୍ଲୀ : ଆମେରିକୀୟ ମହାକାଶ ସଂସ୍ଥା ନାସାର ଟେଲିସ୍କୋପକୁ ପୃଥିବୀ ଉପରେ ପଡ଼ିବାରୁ ରକ୍ଷା କରିବା ପାଇଁ ସ୍ୱତନ୍ତ୍ର ଉଦ୍ଧାର ଅଭିଯାନ ଆରମ୍ଭ କରାଯାଇଛି। ଏହି ମିଶନ ଅନୁସାରେ, ନର୍ଥ୍ରପ୍ ଗ୍ରୁମନ୍ କଟାଲିଷ୍ଟ ସ୍ପେସ୍ ଟେକ୍ନୋଲଜିଜର ଥ୍ରୀ ଆର୍ମଡ୍ ଲିଙ୍କ୍ ନାମକ ମହାକାଶ ଯାନକୁ ପ୍ରଶାନ୍ତ ମହାସାଗର ସ୍ଥିତ ମାର୍ଶଲ ଦ୍ୱୀପରୁ ଲଞ୍ଚ କରିଥିଲା। ପେଗାସସ ରକେଟକୁ ବିମାନରୁ ଆକାଶକୁ ନେଇ ଉତକ୍ଷେପଣ କରାଯାଇ ଥିଲା , ଯାହା ପରେ ସେ ଲିଙ୍କ୍ ମହାକାଶ ଯାନକୁ କକ୍ଷ ପଥରେ ସ୍ଥାପିତ କରି ଥିଲା। ଅନୁମାନ କରାଯାଉଛି ଯେ, ପ୍ରାୟ ଗୋଟିଏ ମାସ ମଧ୍ୟରେ, ଲିଙ୍କ୍ ସ୍ୱିଫ୍ଟ ଅବଜରଭେଟୋରୀରେ ପହଞ୍ଚି ଏହାକୁ କବଜା କରି ସୁରକ୍ଷିତ ଉଚ୍ଚତାକୁ ନେଇ ଯିବାକୁ ଚେଷ୍ଟା କରିବ।
ଉକ୍ତ ମିଶନକୁ ଖୁବ୍ ଚ୍ୟାଲେଞ୍ଜିଂ ମନେକରାଯାଉଛି, କାରଣ ଏଥିରେ ପୃଥିବୀର କକ୍ଷପଥରେ ଥିବା ଏକ ସକ୍ରିୟ ମହାକାଶ ଟେଲିସ୍କୋପକୁ ସୁରକ୍ଷିତ ଉପାୟରେ ଶିଫ୍ଟ କରିବା ଅନ୍ତର୍ଭୁକ୍ତ ଅଛି। ସ୍ୱିଫ୍ଟ ଅବଜର୍ଭେଟରୀକୁ ୨୦୦୪ ମସିହାରେ ଲଞ୍ଚ କରାଯାଇ ଥିଲା ଏବଂ ଏହାର ମୁଖ୍ୟ ଉଦ୍ଦେଶ୍ୟ ବ୍ରହ୍ମାଣ୍ଡରେ ହେବାକୁ ଥିବା ଶକ୍ତିଶାଳୀ ବିସ୍ଫୋରଣ ଯେପରିକି - ଗାମା-ରେ ବିସ୍ଫୋରଣ ଏବଂ ସୁପରନୋଭା ଭଳି ଘଟଣାକୁ ଅଧ୍ୟୟନ କରିବା। ସାମ୍ପ୍ରତିକ ବର୍ଷଗୁଡ଼ିକରେ, ବର୍ଦ୍ଧିତ ସୌର କାର୍ଯ୍ୟକଳାପ ଏବଂ ସୌର ଝଡ଼ ପୃଥିବୀର ଉପର ବାୟୁମଣ୍ଡଳକୁ ବିସ୍ତାର କରିଛି, ଯାହା ପରିକ୍ରମା କରୁଥିବା ଉପଗ୍ରହ ଏବଂ ଟେଲିସ୍କୋପଗୁଡ଼ିକରେ ବାୟୁମଣ୍ଡଳୀୟ ଘର୍ଷଣ ବୃଦ୍ଧି କରିଛି।
ରିପୋର୍ଟ ଅନୁସାରେ, ଏହି କାରଣରୁ, ସ୍ୱିଫ୍ଟର ଉଚ୍ଚତା ପୂର୍ବାପେକ୍ଷା ଦ୍ରୁତ ଗତିରେ ହ୍ରାସ ପାଉଛି, ଏବଂ ଅକ୍ଟୋବରରେ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିବା ପରେ ଏହା ନଷ୍ଟ ହୋଇଯିବ ବୋଲି ଆଶଙ୍କା କରାଯାଇ ଥିଲା। ଏହି ବିପଦକୁ ଦେଖି ନାସା ପ୍ରାୟ ୩ କୋଟି ଡଲାର ଖର୍ଚ୍ଚରେ ଏହି ଉଦ୍ଧାର ଅଭିଯାନ ଆରମ୍ଭ କରିଛି। ବର୍ତ୍ତମାନ, ସ୍ୱିଫ୍ଟର ବୈଜ୍ଞାନିକ କାର୍ଯ୍ୟକଳାପକୁ ଅସ୍ଥାୟୀ ଭାବେ ରୋକି ଦିଆ ଯାଇଛି,ଯାହାକି ଏହାର ବର୍ତ୍ତମାନର କକ୍ଷପଥକୁ ଅଧିକ ସମୟ ପାଇଁ ସଂରକ୍ଷଣ ରଖାଯାଇ ପାରିବ।
ବର୍ତ୍ତମାନ, ପ୍ରାୟ ୧.୬ ଟନ୍ ଓଜନର ସ୍ୱିଫ୍ଟ ଅବଜର୍ଭେଟୋରୀ ପ୍ରାୟ ୩୬୦ କିଲୋମିଟର ଉଚ୍ଚତାରେ ପୃଥିବୀକୁ ପରିକ୍ରମା କରୁଛି। ଲିଙ୍କ୍ ମହାକାଶ ଯାନର ଲକ୍ଷ୍ୟ ଏହାର କକ୍ଷପଥକୁ ପ୍ରାୟ ୨୪୦ କିଲୋମିଟର ଆହୁରି ଉପରକୁ ଉଠାଇ ପ୍ରାୟ ୬୦୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିବା। ଯେଉଁଠାରୁ ଏହା ଏହାର ମିଶନ ଆରମ୍ଭ କରିଥିଲା। ଏହି ପୂରା ପ୍ରକ୍ରିୟା ମଧ୍ୟରେ, ଲିଙ୍କର ଥ୍ରଷ୍ଟର ବହୁତ ଧିରେ ଧିରେ କାମ କରିବ , ଯାହାକି ଟେଲିସ୍କୋପକୁ କୌଣସି ପ୍ରକାରର ଜୋରରେ ଝଟକାକୁ ଏଡାଇବା ସହ ଏହାର ସମ୍ବେଦନଶୀଳ ବୈଜ୍ଞାନିକ ଉପକରଣଗୁଡ଼ିକୁ ସୁରକ୍ଷା ଦେବ।
ଯଦି ଏହି ଅଭିଯାନ ସଫଳ ହୁଏ ତ ସେପ୍ଟେମ୍ୱର ପର୍ଯ୍ୟନ୍ତ ସ୍ୱିଫ୍ଟ ପୁଣି ଥରେ ମହାକାଶରେ ଅନୁସନ୍ଧାନ ଆରମ୍ଭ କରିପାରିବ। ଏହି ମିଶନ ମାତ୍ର ୯ ମାସ ମଧ୍ୟରେ ପ୍ରସ୍ତୁତ ହୋଇଥିଲା, କାରଣ ନାସା ଅନୁଯାୟୀ, ଯଦି ଏହା ଆହୁରି ବିଳମ୍ବ ହୋଇଥାନ୍ତା, ତେବେ ସ୍ୱିଫ୍ଟ ଏହାକୁ ରକ୍ଷା କରିବା ସମ୍ଭବ ହୋଇନଥାନ୍ତା। ଖରାପ ପାଗ ଏବଂ ଯାନ୍ତ୍ରିକ ସମସ୍ୟା ଯୋଗୁଁ, ଏହି ମିଶନର ଲଞ୍ଚକୁ ଅନେକ ଥର ସ୍ଥଗିତ ରଖିବାକୁ ପଡିଥିଲା, କିନ୍ତୁ ଶେଷରେ ଏହା ସଫଳତାର ସହ ସମାପ୍ତ ହୋଇଥିଲା।
ଏହାସହ ମଧ୍ୟ ପଢନ୍ତୁ - ଶିଶୁ ଯୌନ ନିର୍ଯାତନା ବିଷୟବସ୍ତୁକୁ ପ୍ରୋତ୍ସାହିତ କରୁଛି ଇନଷ୍ଟାଗ୍ରାମ ବିଜ୍ଞାପନ ! ସରକାରଙ୍କ କଡ଼ା ପଦକ୍ଷେପ