ଦିଗପହଣ୍ଡି ଏନଏସି (NAC) ପ୍ରଶାସନର ନିରନ୍ତର ଉଦ୍ୟମ କ୍ରମେ ଏବେ ସମସ୍ତ ସରକାରୀ ଓ ବେସରକାରୀ ବସ୍ ‘ସନ୍ଥ ଅରକ୍ଷିତ ଦାସ ନୂତନ ବସଷ୍ଟାଣ୍ଡ’ ଭିତରକୁ ଚଳାଚଳ କରିବା ଆରମ୍ଭ କରିଛି

Jul 07, 2026 - 22:08

ଦିଗପହଣ୍ଡି, ୭।୭ : ଗଞ୍ଜାମ ଜିଲାର ପ୍ରମୁଖ ବାଣିଜ୍ୟିକ କେନ୍ଦ୍ର ଦିଗପହଣ୍ଡି ସହରରେ ଦୀର୍ଘ ଦିନ ଧରି ଲାଗି ରହିଥିବା ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଦିଗପହଣ୍ଡି ଏନଏସି (NAC) ପ୍ରଶାସନର ନିରନ୍ତର ଉଦ୍ୟମ କ୍ରମେ ଏବେ ସମସ୍ତ ସରକାରୀ ଓ ବେସରକାରୀ ବସ୍ ‘ସନ୍ଥ ଅରକ୍ଷିତ ଦାସ ନୂତନ ବସଷ୍ଟାଣ୍ଡ’ ଭିତରକୁ ଚଳାଚଳ କରିବା ଆରମ୍ଭ କରିଛି। ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ପୂର୍ବରୁ ହାତଗଣତି କେତୋଟି ବେସରକାରୀ ବସକୁ ଛାଡ଼ିଦେଲେ ଅଧିକାଂଶ ଯାତ୍ରୀବାହୀ ବସ୍ ଏହି ନୂଆ ବସଷ୍ଟାଣ୍ଡକୁ ପ୍ରବେଶ କରୁନଥିଲେ। ବସ୍ ମାଲିକ ଓ ଚାଳକମାନେ ନିର୍ଦ୍ଦେଶକୁ ଅବମାନନା କରି ପୁରୁଣା ବସଷ୍ଟାଣ୍ଡର ମୁଖ୍ୟ ରାସ୍ତାକଡ଼ କିମ୍ବା ପୁଞ୍ଜିକୟା ଛକ ଉପରେ ଦୀର୍ଘ ସମୟ ଧରି ବସ୍ ରଖୁଥିଲେ। ଏହାକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ବାରମ୍ବାର ତାଗିଦ କରାଯିବା ସହ ଜରିମାନା ପାଇଁ ନୋଟିସ ଜାରି କରାଯାଇଥିଲା। ଏପରିକି ଏନ୍ଏସି ର ତନିଖି ଫାଟକ (ଚେକ୍ ଗେଟ୍)କୁ ନୂତନ ବସଷ୍ଟାଣ୍ଡ ସାମ୍ନାକୁ ସ୍ଥାନାନ୍ତର କରାଯାଇଥିଲା। ଏହାପରେ ଏନ୍ଏସି କର୍ମଚାରୀମାନେ ସେଠାରେ ଜଗି ରହି ସମସ୍ତ ବସକୁ ବାଧ୍ୟତାମୂଳକ ଭାବେ ଷ୍ଟାଣ୍ଡ ଭିତରକୁ ପ୍ରବେଶ କରାଇଛନ୍ତି। ବର୍ତ୍ତମାନ ‘ମୁଖ୍ୟମନ୍ତ୍ରୀ ସେବା ବସ୍’ ସମେତ ସମସ୍ତ ଗାଡ଼ି ନୂଆ ବସଷ୍ଟାଣ୍ଡ ଭିତରକୁ ଯାଉଥିବା ଦେଖିବାକୁ ମିଳିଛି।

ଦିଗପହଣ୍ଡି ସହର ଦେଇ ବ୍ରହ୍ମପୁରରୁ ରାୟଗଡ଼ା, କୋରାପୁଟ, ଗଜପତି, ମାଲକାନଗିରି ଓ କନ୍ଧମାଳ ଭଳି ବିଭିନ୍ନ ଜିଲ୍ଲାକୁ ଦୈନିକ ଶତାଧିକ ବସ୍ ଯାତାୟତ କରିଥାଏ। ବସ୍ ଗୁଡ଼ିକ ରାସ୍ତା ଉପରେ ପାର୍କିଂ କରାଯାଉଥିବାରୁ ସହରରେ ସଦାସର୍ବଦା ଟ୍ରାଫିକ ସମସ୍ୟା ଉପୁଜୁଥିଲା। ଅପରପକ୍ଷରେ, ବିଭିନ୍ନ ଗ୍ରାମାଞ୍ଚଳରୁ ଆସୁଥିବା ଯାତ୍ରୀମାନେ ନୂଆ ବସଷ୍ଟାଣ୍ଡରେ ଅପେକ୍ଷା କରି ହନ୍ତସନ୍ତ ହେଉଥିଲେ ଏବଂ ବାଧ୍ୟ ହୋଇ ପୁରୁଣା ବସଷ୍ଟାଣ୍ଡ ବା ମୁଖ୍ୟ ଫାଟକ ନିକଟରେ ବିପଦପୂର୍ଣ୍ଣ ଭାବେ ବସ୍‌ରେ ଚଢ଼ୁଥିଲେ। ପ୍ରଶାସନର ଏହି କଡ଼ା ଆଭିମୁଖ୍ୟ ପରେ ଯାତ୍ରୀମାନେ ବେଶ୍ ଆଶ୍ୱସ୍ତି ପ୍ରକାଶ କରିଛନ୍ତି।

ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନେତୃତ୍ୱରେ ଏନଫୋର୍ସମେଣ୍ଟ କର୍ମଚାରୀମାନେ ପୁରୁଣା ବସଷ୍ଟାଣ୍ଡ ଏବଂ ପୋଲିସ ଥାନା ନିକଟରେ ସତର୍କ ନଜର ରଖିଛନ୍ତି। ଯଦି କୌଣସି ବସ୍ ମାଲିକ କିମ୍ବା ଚାଳକ ପ୍ରଶାସନର ଏହି ନିର୍ଦ୍ଦେଶକୁ ଖିଲାଫ କରନ୍ତି, ତେବେ ସେମାନଙ୍କ ଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରାଯିବ ବୋଲି ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ପଷ୍ଟ ଚେତାବନୀ ଦେଇଛନ୍ତି। ଏହି ନିୟମକୁ ଶୃଙ୍ଖଳିତ ଭାବେ ପାଳନ କରିବାକୁ ସମସ୍ତ ବସ୍ ମାଲିକ ସଂଘକୁ ଅନୁରୋଧ କରାଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DINALIPI ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।