କେତନ ଅଗ୍ରୱାଲ ହତ୍ୟା ମାମଲା:ଜୁଲାଇ ୧୬ ତାରିଖ ପର୍ଯ୍ୟନ୍ତ ଉଭୟ ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ହାଜତ
ମୁମ୍ବାଇ: କେତନ ଅଗ୍ରୱାଲ ହତ୍ୟା ମାମଲାରେ ପୁଣେ କୋର୍ଟ ଶୁକ୍ରବାର ସିୟା ଗୋୟଲ ଏବଂ ଚେତନ ଚୌଧାରୀଙ୍କୁ ୧୪ ଦିନ ପାଇଁ ବିଚାରବିଭାଗୀୟ ହାଜତ ପଠାଇ ଦେଇଛନ୍ତି। ୨ ଅଭିଯୁକ୍ତଙ୍କ ପୁଲିସ ରିମାଣ୍ଡ ଶେଷ ହେବାପରେ ଆଜି ସେମାନଙ୍କୁ ଜୁଡିସିଆଲ ମାଜିଷ୍ଟ୍ରେଟ୍ ଫାଷ୍ଟ କ୍ଲାସ୍ ଏ ଏମ୍ ବିଭୂତିଙ୍କ ନିକଟରେ ହାଜର କରାଯାଇଥିଲା। ପୁଲିସ ୨ ଅଭିଯୁକ୍ତଙ୍କୁ ଅଧିକ ୩ ଦିନ ରିମାଣ୍ଡରେ ନେବାପାଇଁ ଚାହିଥିଲା।
ସେମାନଙ୍କ ମଧ୍ୟରେ ସାଇନ୍ ଏବଂ କୋଡ୍ ବ୍ୟବହାର କରି କଥାବାର୍ତ୍ତା ହୋଇଥିବା ପୁଲିସ କହିଥିଲା। କିନ୍ତୁ ଅଭିଯୁକ୍ତଙ୍କ ପକ୍ଷରୁ ଉପସ୍ଥିତ ଥିବା ଆଇନଜୀବୀ ପୁଲିସର ଏହି ଆବେଦନକୁ ବିରୋଧ କରିଥିଲେ। ପୁଲିସକୁ ଯଥେଷ୍ଟ ସମୟ ଦିଆଯାଇଥିବା ଅଭିଯୁକ୍ତଙ୍କ ଆଇନଜୀବୀ କହିଥିଲେ। ତେବେ କୋର୍ଟ ଉଭୟ ପକ୍ଷ ଶୁଣିବାପରେ ଜୁଲାଇ ୧୬ ତାରିଖ ପର୍ଯ୍ୟନ୍ତ ଉଭୟ ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ହାଜତ ପଠାଇ ଦେଇଛନ୍ତି।