୩ ପ୍ରକଳ୍ପ ପାଇଁ ୨ ସଂସ୍ଥା ସହ ରାଜିନାମା

Jul 04, 2026 - 13:21

ଭୁବନେଶ୍ବର: ଆଜି ଲୋକସେବା ଭବନ କନ୍‌ଭେନ୍‌ସନ୍ ସେଣ୍ଟରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ରାଜ୍ୟ ସରକାର ଜାପାନର ଆଇଏଚ୍‌ଆଇ କର୍ପୋରେସନ୍‌ ଓ ଏସିଏମ୍‌ଇ ଗ୍ରୁପ୍‌ ସହିତ ସହଯୋଗପତ୍ର (ଏମ୍‌ଓସି) ସ୍ବାକ୍ଷର କରିଛନ୍ତି। ଏହି ଦୁଇ ସଂସ୍ଥା ପାରାଦୀପ ଓ ଗୋପାଳପୁରରେ ୩ଟି ପ୍ରକଳ୍ପରେ ୬୭,୦୦୦ କୋଟି ଟଙ୍କା ନିବେଶ କରିବେ, ଯାହାଫଳରେ ରାଜ୍ୟରେ ୭,୬୦୦ ନୂତନ ରୋଜଗାର ସୁଯୋଗ ସୃଷ୍ଟି ହେବ। ବୁଝାମଣା ଅନୁସାରେ ୨୦ ହଜାର କୋଟି ଟଙ୍କା ନିବେଶରେ ଗୋପାଳପୁରରେ ୦.୫ ଏମ୍‌ଟିପିଏ କ୍ଷମତା ବିଶିଷ୍ଟ ଏକ ଗ୍ରିନ୍‌ ଆମୋନିଆ ପ୍ରକଳ୍ପ ହେବ। ଏହି ପ୍ରକଳ୍ପ ସହ ଏକ ଜେଟିବିହୀନ ଭାସମାନ ଟର୍ମିନାଲ୍‌ ଭିତ୍ତିଭୂମି ସୃଷ୍ଟି କରିବାକୁ ଅତିରିକ୍ତ ୧୦୦୦ କୋଟି ଟଙ୍କା ନିବେଶ କରାଯିବ। ସେହିପରି ପାରାଦୀପରେ ୩୪,୦୦୦ କୋଟି ଟଙ୍କା ବିନିଯୋଗରେ ୦.୮ ଏମ୍‌ଟିପିଏ କ୍ଷମତା ବିଶିଷ୍ଟ ଏକ ଗ୍ରିନ୍ ଆମୋନିଆ ପ୍ରକଳ୍ପ ଓ ୧୨,୦୦୦ କୋଟି ଟଙ୍କା ନିବେଶରେ ୦.୧ ଏମ୍‌ଟିପିଏ କ୍ଷମତା ବିଶିଷ୍ଟ ଗ୍ରିନ୍ ମିଥାନଲ୍ ପ୍ରକଳ୍ପ ସ୍ଥାପନ କରାଯିବ