ଏକ ମେଗା ସମନ୍ୱିତ ଆଲୁମିନିୟମ୍ ପ୍ରକଳ୍ପ ପାଇଁ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି

Jul 04, 2026 - 13:21

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଶିଳ୍ପ ପ୍ରୋତ୍ସାହନ ସଂସ୍ଥା ‘ଇପିକଲ୍’ ଏବଂ ସଂଯୁକ୍ତ ଆରବ ଏମିରେଟ୍ସର (ୟୁଏଇ) ପ୍ରତିଷ୍ଠିତ ବ୍ୟବସାୟିକ ପ୍ରତିଷ୍ଠାନ ଇଣ୍ଟରନ୍ୟାସନାଲ୍ ହୋଲ୍ଡିଂ କମ୍ପାନୀ (ଆଇଏଚସି ଗ୍ରୁପ୍) ମଧ୍ୟରେ ଏକ ମେଗା ସମନ୍ୱିତ ଆଲୁମିନିୟମ୍ ପ୍ରକଳ୍ପ ପାଇଁ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ଗୁରୁବାର ଭୁବନେଶ୍ୱରସ୍ଥିତ ଲୋକସେବା ଭବନ କନଭେନସନ୍ ସେଣ୍ଟରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ଏହି ପ୍ରସ୍ତାବିତ ପ୍ରକଳ୍ପରେ ପ୍ରାୟ ୧୧.୫ ବିଲିୟନ ଆମେରିକୀୟ ଡଲାର ଅର୍ଥାତ ପ୍ରାୟ ୧.୧୦ ଲକ୍ଷ କୋଟି ଟଙ୍କାର ବିପୁଳ ପୁଞ୍ଜିନିବେଶ କରାଯିବ। ଆଇଏଚସି ଗ୍ରୁପ୍ ଓ ଆଦାନୀ ଏଣ୍ଟରପ୍ରାଇଜ ଲିମିଟେଡ୍ ପକ୍ଷରୁ ମିଳିତ ଭାବେ ଏହି ପ୍ରକଳ୍ପ କରାଯିବ।

ଏହି ପ୍ରକଳ୍ପରେ ୪ ମିଲିୟନ ମେଟ୍ରିକ ଟନ କ୍ଷମତା ବିଶିଷ୍ଟ ଆଲୁମିନା ରିଫାଇନାରି, ୨ ମିଲିୟନ ମେଟ୍ରିକ ଟନ କ୍ଷମତା ବିଶିଷ୍ଟ ଆଲୁମିନିୟମ୍ ସ୍ମେଲଟିଙ୍ଗ ପ୍ଳାଣ୍ଟ, ୪୦୦୦ ମେଗାୱାଟର କ୍ୟାପ୍ଟିଭ୍ ପାୱାର୍ ପ୍ଲାଣ୍ଟ ନିର୍ମାଣ କରାଯିବ। ପ୍ରକଳ୍ପର ନିର୍ମାଣ ପର୍ଯ୍ୟାୟରେ ପ୍ରାୟ ୩୫,୦୦୦ ଏବଂ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ପରେ ପ୍ରାୟ ୧୮,୫୦୦ ଲୋକଙ୍କୁ ମିଶାଇ ସମୁଦାୟ ୫୩,୫୦୦ରୁ ଉର୍ଦ୍ଧ୍ୱ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି।

“୨୦୩୬ ସୁଦ୍ଧା ଏକ ସମୃଦ୍ଧ, ଆଧୁନିକ ଓ ସମାବେଶୀ ଓଡ଼ିଶା ଗଠନ କରିବା ପାଇଁ ଆମର ଉଦ୍ୟମ ସଫଳତାର ସହ ଜାରି ରହିଛି। ଏହି ପ୍ରକଳ୍ପ ମାଧ୍ୟମରେ ଓଡ଼ିଶାରେ ବକ୍ସାଇଟ୍ ଖଣି, ଆଲୁମିନା ରିଫାଇନିଂ, ଆଲୁମିନିୟମ୍ ସ୍ମେଲଟିଙ୍ଗ, କ୍ୟାପ୍ଟିଭ୍ ପାୱାର୍ ପ୍ଲାଣ୍ଟ ସମେତ ଡାଉନ୍‌ଷ୍ଟ୍ରିମ୍ ଆଲୁମିନିୟମ୍ ଉତ୍ପାଦନ ଓ ଭିତ୍ତିଭୂମିର ବିକାଶ କରାଯିବ। ରାଜ୍ୟର ଖଣିଜ ସମ୍ବଳରୁ କେବଳ ରପ୍ତାନି ନୁହେଁ, ବରଂ ବ୍ୟାପକ ମୂଲ୍ୟ ସଂଯୋଜନ ମାଧ୍ୟମରେ ଶିଳ୍ପାୟନ ଏବଂ ଯୁବପିଢ଼ିଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିବା ଆମ ସରକାରଙ୍କ ମୂଳ ଲକ୍ଷ୍ୟ”, କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, “ରାଜ୍ୟକୁ ଏକ ଶିଳ୍ପରେ ଅଗ୍ରଣୀ ଅଞ୍ଚଳ ଭାବେ ଗଢ଼ିତୋଳିବାକୁ ଆମ ସରକାର ପ୍ରତିଶ୍ରୁତିବଦ୍ଧ। ଆଇଏଚସି ଗ୍ରୁପ୍ ସହିତ କେବଳ ଆଲୁମିନିୟମ୍ ପ୍ରକଳ୍ପ ନୁହେଁ, ବରଂ ଗବେଷଣା ଓ ବିକାଶ, ମେଟାଲର୍ଜି, ଡିଜିଟାଲ୍ ସିଷ୍ଟମ୍ ଏବଂ ଗ୍ଲୋବାଲ୍ କ୍ୟାପାବିଲିଟି ସେଣ୍ଟର ଭଳି ଉଦୀୟମାନ କ୍ଷେତ୍ରରେ ମଧ୍ୟ ଆଗକୁ ସହଯୋଗ ବୃଦ୍ଧି କରାଯିବ।”

ଏହି ଅବସରରେ ଆଇଏଚସି ଗ୍ରୁପର ଚିଫ୍ ଷ୍ଟ୍ରାଟେଜିକ୍ ଅଫିସର୍ ପିଟର ଆବ୍ରାମ କହିଛନ୍ତି, “ଏହି ପ୍ରକଳ୍ପ ଭାରତ ଏବଂ ୟୁଏଇ ମଧ୍ୟରେ ଏକ ସୁଦୃଢ଼ ସମ୍ପର୍କର ନୂତନ ଅଧ୍ୟାୟ ସୃଷ୍ଟି କରିବ। ଏହି ଚୁକ୍ତି କେବଳ ଏକ ବ୍ୟବସାୟିକ ନିବେଶ ନୁହେଁ, ବରଂ ଓଡ଼ିଶାର ସ୍ଥାୟୀ ବିକାଶ ପାଇଁ ଏକ ଦୀର୍ଘକାଳୀନ ଭାଗିଦାରୀ ହେବାକୁ ଯାଉଛି।”
ଏହି ଅବସରରେ ଆଦାନୀ ପୋର୍ଟସ୍ ଆଣ୍ଡ୍ ଏସଇଜେଡ୍ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ କରନ୍ ଆଦାନୀ ଓଡ଼ିଶାର ସମୃଦ୍ଧ ସଂସ୍କୃତି, ଖଣିଜ ସମ୍ପଦ ଏବଂ ଶିଳ୍ପ ସମ୍ଭାବନାକୁ ଉଚ୍ଚ ପ୍ରଶଂସା କରିଥିଲେ। ସେ କହିଥିଲେ, “ଓଡ଼ିଶାରେ ଥିବା ଦେଶର ସର୍ବବୃହତ ବକ୍ସାଇଟ୍ ଭଣ୍ଡାର ଓ ୫୦ ପ୍ରତିଶତରୁ ଅଧିକ ଲୁହାପଥର ଏହାକୁ ଭାରତର ଶିଳ୍ପ ଜଗତର ମେରୁଦଣ୍ଡ ଭାବେ ଗଢ଼ିତୋଳିଛି। ବର୍ତ୍ତମାନର ସରକାରଙ୍କ ଦୃଢ଼ ନୀତି ଯୋଗୁଁ ଓଡ଼ିଶା କେବଳ କଞ୍ଚାମାଲ ଯୋଗାଣକାରୀ ରାଜ୍ୟରୁ ରୂପାନ୍ତରିତ ହୋଇ ଏକ ଉତ୍ପାଦନ କେନ୍ଦ୍ର ପାଲଟିଛି। ଏହି ପ୍ରକଳ୍ପ ଓଡ଼ିଶାର ଜନସାଧାରଣ ଓ ସ୍ଥାନୀୟ ଅର୍ଥନୀତିକୁ ବିଶ୍ୱସ୍ତରକୁ ନେବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ।”

ଏହି କାର୍ଯ୍ୟକ୍ରମରେ ରାଜ୍ୟ ଶିଳ୍ପ ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ମୁଖ୍ୟ ସଚିବ ଅନୁ ଗର୍ଗ, ରାଜ୍ୟ ଶିଳ୍ପ, ଗୃହ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ୟୁଏଇ ଆଇଏଚସି ଗ୍ରୁପ୍‌ର ସିଇଓ ସୟଦ୍ ବସର୍ ସୁଏବ୍, ୟୁଏଇ ଇଣ୍ଟରନ୍ୟାସନାଲ୍ ରିସୋର୍ସେସ୍ ହୋଲ୍ଡିଂ କମ୍ପାନିର ସିଇଓ ଅଲି ଅଲ୍-ରସ୍‍ଦି ଏବଂ ଇପିକଲ୍‌ର ନିର୍ଦ୍ଦେଶିକା ଅବୋଲି ସୁନୀଲ ନରଭଣେଙ୍କ ସମେତ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ, ଶିଳ୍ପ ଜଗତର ପ୍ରତିଷ୍ଠିତ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ।