ମାଛକୁଣ୍ଡ ଡ୍ୟାମର ଗେଟ ଖୋଲିଲା

Jul 04, 2026 - 13:22
ମାଛକୁଣ୍ଡ ଡ୍ୟାମର ଗେଟ ଖୋଲିଲା

ଲମତାପୁଟ : ଲଗାଣ ବର୍ଷାରେ ଖୋଲିଲା ମାଛକୁଣ୍ଡ ଡ୍ୟାମର ଗୋଟିଏ ଗେଟ । ଲଗାଣ ବର୍ଷା ଯୋଗୁଁ ଲମତାପୁଟ ବ୍ଲକର ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପ ର ଡ଼ି. ଡ୍ୟାମ ବିପଦ ସଂକେତକୁ ଛୁଇଁବା ପରେ ୭ନମ୍ବର ଗୋଟିଏ ଗେଟ ଖୋଲାଯାଇଛି । ଗେଟ ଖୋଲିବା ଦ୍ୱାରା ୧୦୦୦କ୍ୟୁସେକ ଜଳ ନିଷ୍କାସିତ ହେଉଛି । ଚଳିତ ବର୍ଷର ଏହା ପ୍ରଥମ ଜଳ ନିଷ୍କାସନ। ଜଳ ଭଣ୍ଡାରରେ ସମୁଦାୟ ୭ଟି ଗେଟ ରହିଥିବାବେଳେ ଜଳସ୍ତର ବୃଦ୍ଧିପାଇଲେ ଅନ୍ୟ ଗେଟ ଗୁଡିକ ମଧ୍ୟ ଖୋଲାଯାଇପାରେ ବୋଲି ପ୍ରକଳ୍ପ ଅଧିକାରୀ ସୂଚନା ଦେଇଛନ୍ତି । 

ସୂଚନାନୁସାରେ, ମାଛକୁଣ୍ଡ ଜଲଭଣ୍ଡାର କ୍ଷମତା ୨୫୯୦ ଫୁଟ ରହିଥିବା ବେଳେ ୨୫୮୭ ଜଳସ୍ଥର ଛୁଇଁବା ପରେ ୭ନମ୍ବର ଗେଟକୁ ଖୋଲା ଯାଇଛି । ଲଗାତର ତିନି ଦିନ ଧରି କୋରାପୁଟ ଜିଲ୍ଲାର ବର୍ଷା ଲାଗି ରହି ଥିବା ବେଳେ ଲମତାପୁଟ ବ୍ଲକରେ ଲଗାତାର ତିନି ଦିନ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି ।  

ସେହିପରି ଲଘୁଚାପ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ବଙ୍ଗୋପସାଗରରେ ଲଘୁଚାପ ଘନଉଥିବା ବେଳେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଯୋଗୁ ଜନଜୀବନ ପ୍ରଭାବିତ ହୋଇଛି । ତଳିଆ ଅଞ୍ଚଳ ଜଳମଗ୍ନ ରହିଛି ।  ଆଜି ପ୍ରବଳ ବର୍ଷା ପାଇଁ ସାରା ରାଜ୍ୟକୁ ଚେତାବନୀ ଦିଆଯାଇଛି । ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ୮ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପ୍ରବଳ ବର୍ଷା ପାଇଁ ୧୭ ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ । ୭ ତାରିଖ ଯାଏ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି ।  ଲଗାଣ ବର୍ଷା ଯୋଗୁ ସମୁଦ୍ର ଅଶାନ୍ତ ରହିବ ।  ତେଣୁ ୭ ତାରିଖ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି ।