SPF 30 ନା SPF 50? ସନ୍ସ୍କ୍ରିନ୍ କିଣିବା ପୂର୍ବରୁ ଜାଣନ୍ତୁ ଆପଣଙ୍କ ତ୍ୱଚା ପାଇଁ କେଉଁଟି ଭଲ
ଆଜିକାଲିର ସମୟରେ ନାରୀମାନେ ନିଜର ତ୍ୱଚାକୁ ନେଇ ବେଶ ଯତ୍ନବାନ। ଖାସ୍ ସେଥିଲାଗି ଖରା, ବର୍ଷା କିମ୍ବା ଶୀତ ଆଦି ଋତୁରେ ସନ୍ସ୍କ୍ରିନର ବ୍ୟବହାର ଏବେ ଏକ ଅପରିହାର୍ଯ୍ୟ ଅଂଶ ପାଲଟିଛି। କିନ୍ତୁ ବଜାରକୁ ନୂଆ ସନ୍ସ୍କ୍ରିନ୍ କିଣିବାକୁ ଯିବାବେଳେ ପ୍ରାୟ ସମସ୍ତଙ୍କ ମନରେ ଗୋଟିଏ ବଡ଼ ପ୍ରଶ୍ନ ଥାଏ, ସେଇଟି ହେଲା SPF ୩୦ ନେବେ ନା SPF ୫୦? ଅନେକ ଭାବନ୍ତି SPF ୫୦ ମାନେ ଦୁଇଗୁଣ ସୁରକ୍ଷା, ଆଉ କିଛି ଭାବନ୍ତି SPF ୩୦ ହିଁ ଯଥେଷ୍ଟ। ଏହି ଦ୍ୱନ୍ଦ୍ୱ ଯୋଗୁ ଅନେକ ସମୟରେ ଲୋକେ ଭୁଲ ସନ୍ସ୍କ୍ରିନ୍ କିଣି ନିଅନ୍ତି। ବାସ୍ତବରେ ଦୁହିଁଙ୍କ କାମ ତ୍ୱଚାକୁ ସୂର୍ଯ୍ୟଙ୍କ କ୍ଷତିକାରକ କିରଣରୁ ରକ୍ଷା କରିବା, ହେଲେ ଏହାର ବ୍ୟବହାର ଓ ଆବଶ୍ୟକତା ଭିନ୍ନ ଭିନ୍ନ ହୋଇଥାଏ।
SPF ର ଅର୍ଥ କଣ?
SPF ର ପୂରା ନାମ ହେଉଛି ‘ସନ୍ ପ୍ରୋଟେକ୍ସନ ଫ୍ୟାକ୍ଟର’ (Sun Protection Factor)। ଏହା ଦର୍ଶାଏ ଯେ ସନ୍ସ୍କ୍ରିନ୍ ଆପଣଙ୍କ ତ୍ୱଚାକୁ ସୂର୍ଯ୍ୟଙ୍କ ଅଲ୍ଟ୍ରାଭାୟୋଲେଟ (UV) କିରଣରୁ କେତେ ସୁରକ୍ଷା ଦେଇପାରିବ। ଅର୍ଥାତ SPF ନମ୍ବର ଯେତେ ଅଧିକ ହେବ, ସୂର୍ଯ୍ୟକିରଣରୁ ସୁରକ୍ଷା ସେତେ ଅଧିକ ମିଳିବ। କିନ୍ତୁ ଏହାର ଅର୍ଥ ନୁହେଁ ଯେ ଅଧିକ SPF ଥିବା ସନ୍ସ୍କ୍ରିନ୍ ଲଗାଇଲେ ଦିନସାରା ଆଉ ଲଗାଇବାକୁ ପଡ଼ିବ ନାହିଁ।
SPF ୩୦ ଏବଂ SPF ୫୦ ମଧ୍ୟରେ ଫରକ କଣ?
ସାଧାରଣ ସ୍ଥିତିରେ ଦୈନନ୍ଦିନ ବ୍ୟବହାର ପାଇଁ SPF ୩୦ ସବୁଠୁ ଭଲ ବୋଲି ଧରାଯାଏ। ଅନ୍ୟପଟେ SPF ୫୦ ଟିକେ ଅଧିକ ସୁରକ୍ଷା ଦେଇଥାଏ। ଉଭୟଙ୍କ ମଧ୍ୟରେ ସୁରକ୍ଷାର ପାର୍ଥକ୍ୟ ବହୁତ ବଡ଼ ନୁହେଁ, କିନ୍ତୁ SPF ୫୦ ଅଧିକ UV କିରଣକୁ ରୋକିବାରେ ସକ୍ଷମ ହୋଇଥାଏ।
କିଏ କେଉଁ ସନ୍ସ୍କ୍ରିନ୍ ବାଛିବେ?
ଯଦି ଆପଣ ଅଧିକାଂଶ ସମୟ ଘରେ, ଅଫିସରେ କିମ୍ବା କମ୍ ଖରା ଥିବା ସ୍ଥାନରେ ରହୁଛନ୍ତି, ତେବେ SPF ୩୦ ଆପଣଙ୍କ ପାଇଁ ଯଥେଷ୍ଟ। କିନ୍ତୁ ଯଦି ଆପଣଙ୍କୁ ଦୀର୍ଘ ସମୟ ଧରି ବାହାରେ ଖରାରେ ରହିବାକୁ ପଡ଼ୁଛି, ଟ୍ରାଭେଲ କରିବାକୁ ହେଉଛି କିମ୍ବା ଆପଣଙ୍କ ତ୍ୱଚା ଅଧିକ ସେନ୍ସିଟିଭ (ସମ୍ବେଦନଶୀଳ), ତେବେ SPF ୫୦ ବ୍ୟବହାର କରିବା ଭଲ।
ସନ୍ସ୍କ୍ରିନ୍ କିଣିବା ଓ ଲଗାଇବା ବେଳେ ଏହି ସତର୍କତା ରଖନ୍ତୁ:
-ସନ୍ସ୍କ୍ରିନ୍ କିଣିବା ବେଳେ କେବଳ SPF ନମ୍ବର ଦେଖନ୍ତୁ ନାହିଁ, ସେଥିରେ ‘ବ୍ରଡ ସ୍ପେକ୍ଟ୍ରମ’ (Broad Spectrum) ଲେଖାଅଛି କି ନାହିଁ ଯାଞ୍ଚ କରନ୍ତୁ। ଏହା ଉଭୟ UVA ଏବଂ UVB କିରଣରୁ ରକ୍ଷା କରିଥାଏ।
-ନିଜ ତ୍ୱଚାର ପ୍ରକାର ଅନୁସାରେ ଜେଲ, କ୍ରିମ କିମ୍ବା ଲୋସନ ଫର୍ମୁଲା ବାଛନ୍ତୁ।
-ଘରୁ ବାହାରକୁ ଯିବାର ଅତିକମରେ ୧୫-୨୦ ମିନିଟ ପୂର୍ବରୁ ସନ୍ସ୍କ୍ରିନ୍ ଲଗାନ୍ତୁ।
ଯଦି ଆପଣ ଲଗାତାର ଖରାରେ ଅଛନ୍ତି, ଅଧିକ ସୁଇମିଂ କରୁଛନ୍ତି କିମ୍ବା ବେଶି ଝାଳ ବାହାରୁଛି, ତେବେ ପ୍ରତି ୨ ରୁ ୩ ଘଣ୍ଟାରେ ଏହାକୁ ଆଉଥରେ (Re-apply) ଲଗାନ୍ତୁ। ଖୁବ କମ୍ ପରିମାଣରେ ଲଗାଇଲେ SPF ର ସମ୍ପୂର୍ଣ୍ଣ ଫାଇଦା ମିଳି ନ ଥାଏ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।