IND vs IRE: ପୁଣି ନିରାଶ ହେଲେ ବୈଭବ; କିଏ ସେହି ସୂର୍ଯ୍ୟାଂଶ-ପ୍ରିନ୍ସ, ଯାହାଙ୍କୁ ମିଳିଲା ସୁଯୋଗ?
ବେଲଫାଷ୍ଟ,୨୮।୬: ଭାରତ ଏବଂ ଆୟରଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ଟି-୨୦ ସିରିଜ୍ର ଆରମ୍ଭ ବେଶ୍ ରୋମାଞ୍ଚକର ରହିଛି, ଯେଉଁଠାରେ ଘରୋଇ ଦଳ ପ୍ରଥମ ମ୍ୟାଚ୍ରେ ଭାରତକୁ ହରାଇ ଇତିହାସ ରଚିଛି। କିନ୍ତୁ ଯେଉଁ ମୁହୂର୍ତ୍ତକୁ କ୍ରିକେଟ ପ୍ରେମୀମାନେ ଅପେକ୍ଷା କରି ରହିଥିଲେ, ତାହା ପ୍ରଥମ ମ୍ୟାଚ୍ ପରି ଦ୍ୱିତୀୟ ମ୍ୟାଚ୍ରେ ମଧ୍ୟ ଦେଖିବାକୁ ମିଳିନାହିଁ। ବେଲଫାଷ୍ଟରେ ଖେଳାଯାଉଥିବା ସିରିଜ୍ର ଦ୍ୱିତୀୟ ଟି-୨୦ ମ୍ୟାଚ୍ରେ ମଧ୍ୟ ୧୫ ବର୍ଷୀୟ ତାରକା ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କର ଡେବ୍ୟୁ ହୋଇପାରି ନାହିଁ।
ଟିମ୍ ଇଣ୍ଡିଆ ଏହି ମ୍ୟାଚ୍ରେ ଦୁଇଜଣ ନୂଆ ଖେଳାଳିଙ୍କୁ ସୁଯୋଗ ଦେଇଛି, ହେଲେ ସେମାନଙ୍କ ମଧ୍ୟରେ ବୈଭବ ସାମିଲ ନ ଥିଲେ। ଏହି ନିଷ୍ପତ୍ତି ବେଲଫାଷ୍ଟରେ ପହଞ୍ଚିଥିବା ଭାରତୀୟ ଏବଂ ସ୍ଥାନୀୟ ପ୍ରଶଂସକଙ୍କୁ ନିରାଶ କରିଛି। ବୈଭବଙ୍କୁ ସୁଯୋଗ ମିଳି ନ ଥିଲେ ବି ଭାରତ ପକ୍ଷରୁ ଅଲରାଉଣ୍ଡର ସୂର୍ଯ୍ୟାଂଶ ଶେଡଗେ ଏବଂ ଦ୍ରୁତ ବୋଲର ପ୍ରିନ୍ସ ଯାଦବ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟରେ ନିଜର ଡେବ୍ୟୁ କରିଛନ୍ତି।
ରବିବାର (୨୮ ଜୁନ୍) ଦ୍ୱିତୀୟ ମ୍ୟାଚ୍ ପୂର୍ବରୁ ପ୍ରଶଂସକଙ୍କ ମନରେ ଉତ୍କଣ୍ଠା ଥିଲା ଯେ, ପ୍ରଥମ ମ୍ୟାଚ୍ରେ ବ୍ୟାଟରମାନଙ୍କ ବିଫଳତା ପରେ ବୈଭବଙ୍କୁ ସୁଯୋଗ ମିଳିବ କି ନାହିଁ। ଟସ୍ ପୂର୍ବରୁ ଟିମ୍ ଇଣ୍ଡିଆର ହଡଲ୍ରେ ଦୁଇଜଣ ନୂଆ ଖେଳାଳିଙ୍କୁ ଟି-୨୦ କ୍ୟାପ୍ ପ୍ରଦାନ କରାଯାଇଥିଲା, କିନ୍ତୁ ସେମାନଙ୍କ ମଧ୍ୟରେ ବୈଭବ ନ ଥିଲେ। ଫଳରେ ତାଙ୍କୁ ଡ୍ରେସିଂ ରୁମ୍ରେ ବସି ମ୍ୟାଚ୍ ଦେଖିବାକୁ ପଡ଼ିଥିଲା। ଏବେ ତାଙ୍କୁ ଏବଂ ତାଙ୍କ ପ୍ରଶଂସକମାନଙ୍କୁ ଆସନ୍ତା ୧ ଜୁଲାଇରୁ ଇଂଲଣ୍ଡ ବିପକ୍ଷରେ ଆରମ୍ଭ ହେବାକୁ ଥିବା ଟି-୨୦ ସିରିଜ୍ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହେବ।
କିଏ ଏହି ସୂର୍ଯ୍ୟାଂଶ ଏବଂ ପ୍ରିନ୍ସ?
ଯେଉଁ ଦୁଇ ଖେଳାଳିଙ୍କୁ ଆଜି ସୁଯୋଗ ମିଳିଛି, ସେମାନଙ୍କ ପ୍ରତିଭା ମଧ୍ୟ ଚମତ୍କାର। ଡାହାଣହାତୀ ମିଡିୟମ ପେସର ଅଲରାଉଣ୍ଡର ସୂର୍ଯ୍ୟାଂଶ ଶେଡଗେ ଏବଂ ଡାହାଣହାତୀ ଦ୍ରୁତ ବୋଲର ପ୍ରିନ୍ସ ଯାଦବଙ୍କୁ ୱାଶିଂଟନ ସୁନ୍ଦର ଓ ପ୍ରସିଦ୍ଧ କ୍ରିଷ୍ଣାଙ୍କ ସ୍ଥାନରେ ଦଳରେ ସାମିଲ କରାଯାଇଛି। ପ୍ରିନ୍ସ ଚଳିତ ମାସରେ ଆଫଗାନିସ୍ତାନ ବିପକ୍ଷରେ ନିଜର ଦିନିକିଆ (ODI) ପଦାର୍ପଣ ମଧ୍ୟ କରିସାରିଛନ୍ତି।
ସୂର୍ଯ୍ୟାଂଶ ଶେଡଗେ (ପଞ୍ଜାବ କିଙ୍ଗସ): ଚଳିତ ଆଇପିଏଲ୍ରେ ୭ଟି ଇନିଂସରେ ୧୭୫ ଷ୍ଟ୍ରାଇକ୍ ରେଟ୍ରେ ୧୫୮ ରନ୍ ସଂଗ୍ରହ କରିଥିଲେ। ଘରୋଇ କ୍ରିକେଟରେ ମୁମ୍ବାଇ ପାଇଁ ଖେଳୁଥିବା ସୂର୍ଯ୍ୟାଂଶ, ୨୦୨୪ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିର ଫାଇନାଲରେ ଶ୍ରେୟସ ଆୟରଙ୍କ ଅଧିନାୟକତ୍ୱରେ ମ୍ୟାଚ୍ ବିଜୟୀ ପ୍ରଦର୍ଶନ କରିଥିଲେ।
ପ୍ରିନ୍ସ ଯାଦବ (ଲକ୍ଷ୍ନୌ ସୁପର ଜାଏଣ୍ଟସ): ଆଇପିଏଲ୍ ରେ ଚମତ୍କାର ବୋଲିଂ କରି ୧୬ଟି ଉଇକେଟ ନେଇଥିଲେ।
ଦ୍ୱିତୀୟ ଟି-୨୦ ମ୍ୟାଚ୍ର ପ୍ଲେଇଂ-୧୧:
ଭାରତ:
ଶ୍ରେୟସ ଆୟର (ଅଧିନାୟକ), ସଞ୍ଜୁ ସାମସନ (ଉଇକେଟକିପର), ଅଭିଷେକ ଶର୍ମା, ଇଶାନ କିଷନ, ତିଲକ ବର୍ମା, ସୂର୍ଯ୍ୟାଂଶ ଶେଡଗେ, ଶିବମ ଦୁବେ, ଅକ୍ଷର ପଟେଲ, ଅର୍ଶଦୀପ ସିଂ, ହର୍ଷିତ ରାଣା, ପ୍ରିନ୍ସ ଯାଦବ।
ଆୟରଲ୍ୟାଣ୍ଡ:
ଲୋରକନ ଟକର (ଅଧିନାୟକ/ଉଇକେଟକିପର), ଟିମ୍ ଟେକ୍ଟର, ରସ୍ ଅଡେୟାର, ହ୍ୟାରୀ ଟେକ୍ଟର, ବେନ୍ କ୍ୟାଲିଜ୍, ଗ୍ୟାରେଥ ଡେଲାନି, ଜର୍ଜ ଡକରେଲ, ମ୍ୟାଥ୍ୟୁ ହମ୍ଫ୍ରିଜ୍, ମ୍ୟାଟ୍ ହଲାର୍ଡ, ଲିୟମ ମ୍ୟାକାର୍ଥି, ଜୟ ମୁନ୍ଦଡ଼ା।