E20 ପେଟ୍ରୋଲକୁ ନେଇ ସରକାରଙ୍କ ବଡ଼ ବୟାନ! ପୁରୁଣା BS-3 ଗାଡ଼ିରେ ବଦଳାଇବାକୁ ପଡ଼ିପାରେ ଏସବୁ ପାର୍ଟସ୍
ନୂଆଦିଲ୍ଲୀ,୨୯।୭: ଯଦି ଆପଣଙ୍କ ପାଖରେ ୨୦୧୬ ମସିହା ପୂର୍ବରୁ ନିର୍ମିତ କୌଣସି BS-3 ମଡେଲର କାର୍ କିମ୍ବା ବାଇକ୍ ରହିଛି, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଜରୁରୀ। ସଂସଦରେ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, E20 ପେଟ୍ରୋଲ୍ ବ୍ୟବହାର କରିବା ଦ୍ୱାରା କିଛି ପୁରୁଣା BS-3 ଯାନରେ ରବର ପାର୍ଟସ୍ ଏବଂ ଗ୍ୟାସ୍କେଟ୍ ବଦଳାଇବାର ଆବଶ୍ୟକତା ପଡ଼ିପାରେ। ତେବେ ସରକାର ସ୍ପଷ୍ଟ କରିଛନ୍ତି ଯେ ଏହା ଯୋଗୁ ଗାଡ଼ିର ଇଞ୍ଜିନରେ କୌଣସି ବଡ଼ ପରିବର୍ତ୍ତନ କରିବାକୁ ପଡ଼ିବ ନାହିଁ।
ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ରାଜ୍ୟସଭାରେ ଏକ ଲିଖିତ ଉତ୍ତର ଦେଇ କହିଛନ୍ତି ଯେ ଏହି ସମସ୍ୟା କେବଳ ୧ ଅପ୍ରେଲ୍ 2005 ରୁ ଲାଗୁ ହୋଇଥିବା BS-3 ମାନକ ଏବଂ ୨୦୧୬ ପୂର୍ବରୁ ନିର୍ମିତ କିଛି ଗାଡ଼ିରେ ଦେଖିବାକୁ ମିଳିଛି। ସବୁଠାରୁ ଭଲ କଥା ହେଉଛି ଯେ, ଗାଡ଼ିର ସର୍ଭିସିଂ ସମୟରେ ଏହି ଛୋଟମୋଟ ରବର ପାର୍ଟସ୍ ଏବଂ ଗ୍ୟାସ୍କେଟ୍ ଗୁଡ଼ିକୁ ସହଜରେ ବଦଳାଯାଇପାରିବ।
ସରକାରଙ୍କ କହିବାନୁଯାୟୀ, E20 ପେଟ୍ରୋଲ୍ ଉପରେ ଅନେକ ପ୍ରତିଷ୍ଠିତ ଅନୁଷ୍ଠାନ ମିଳିତ ଭାବେ ଗବେଷଣା କରିଛନ୍ତି। ଏଥିରେ ଇଣ୍ଡିଆନ୍ ଅଏଲ୍ (IOCL), ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ପେଟ୍ରୋଲିୟମ୍ (IIP), ଅଟୋମୋଟିଭ୍ ରିସର୍ଚ୍ଚ ଆସୋସିଏସନ୍ ଅଫ୍ ଇଣ୍ଡିଆ (ARAI) ଏବଂ ସୋସାଇଟି ଅଫ୍ ଇଣ୍ଡିଆନ୍ ଅଟୋମୋବାଇଲ୍ ମାନୁଫାକ୍ଚରର୍ସ (SIAM) ସାମିଲ ଥିଲେ। ଏହି ଗବେଷଣାରେ ଦୁଇଚକିଆ ଏବଂ ଚାରିଚକିଆ ଯାନ ଉପରେ E20 ପେଟ୍ରୋଲର ପ୍ରଭାବ ଯାଞ୍ଚ କରାଯାଇଥିଲା। ରିପୋର୍ଟରେ ଜଣାପଡ଼ିଛି ଯେ କାର୍ କିମ୍ବା ବାଇକ୍ ର ଇଞ୍ଜିନରେ କୌଣସି ପ୍ରକାରର ବଡ଼ ପରିବର୍ତ୍ତନର ଆବଶ୍ୟକତା ନାହିଁ।
ଟେଷ୍ଟିଂ ସମୟରେ E20 ପେଟ୍ରୋଲ୍ ବ୍ୟବହାର କରିବା ଦ୍ୱାରା ପୁରୁଣା ଯାନଗୁଡ଼ିକର କାର୍ଯ୍ୟଦକ୍ଷତା, ଷ୍ଟାଣ୍ଡିଂ କ୍ଷମତା, ଡ୍ରାଇଭିଂ ଅଭିଜ୍ଞତା, ମେଟାଲ୍ ଏବଂ ପ୍ଲାଷ୍ଟିକ୍ ପାର୍ଟସ୍ ଉପରେ କୌଣସି ଅସ୍ୱାଭାବିକ ପ୍ରଭାବ ପଡ଼ିଥିବାର ନଜର ଆସିନାହିଁ। ଏହାଛଡ଼ା ଇଞ୍ଜିନରେ ଅଧିକ ଘର୍ଷଣ କିମ୍ବା କ୍ଷତି ମଧ୍ୟ ପରିଲକ୍ଷିତ ହୋଇନାହିଁ। ଅର୍ଥାତ୍ ଅଧିକାଂଶ ପୁରୁଣା ଯାନ E20 ପେଟ୍ରୋଲରେ ସାଧାରଣ ଭାବରେ ଚାଲିପାରିବ।
E20 ପେଟ୍ରୋଲ୍ ଆସିବା ପରେ ଗାଡ଼ିର ମାଇଲେଜ୍ କମିଯିବା ନେଇ ଅନେକ ଲୋକ ପ୍ରଶ୍ନ ଉଠାଇଥିଲେ। ଏହାର ଜବାବରେ ସରକାର କହିଛନ୍ତି ଯେ ଗାଡ଼ିର ମାଇଲେଜ୍ କେବଳ ଇନ୍ଧନ ଉପରେ ନିର୍ଭର କରେ ନାହିଁ। ରାସ୍ତାର ଅବସ୍ଥା, ଡ୍ରାଇଭିଂ ଶୈଳୀ, ଟ୍ରାଫିକ୍, ଗାଡ଼ିର ସର୍ଭିସିଂ ଏବଂ ଇଞ୍ଜିନର ସ୍ଥିତି ଭଳି ଅନେକ କାରଣ ମାଇଲେଜ୍ କୁ ପ୍ରଭାବିତ କରିଥାଏ। ତେଣୁ କେବଳ E20 ପେଟ୍ରୋଲକୁ ମାଇଲେଜ୍ କମିବାର ଏକମାତ୍ର କାରଣ ଭାବେ ବିଚାର କରାଯାଇପାରିବ ନାହିଁ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।