୪ ଦିନ ହେଲା ଏକ୍ସ-ରେ ମେଶିନ ଅଚଳ, ହନ୍ତସନ୍ତ ହେଉଛନ୍ତି ରୋଗୀ
ଦାରିଙ୍ଗବାଡ଼ି,୧ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରହିଥିବା ଏକ ମାତ୍ର ଏକ୍ସ-ରେ ମେଶିନ ଗତ ୪ ଦିନ ହେଲା ଅଚଳ ହୋଇପଡ଼ିଛି। ଫଳରେ ଉକ୍ତ ଏକ୍ସରେ ଉପରେ ନିର୍ଭର କରୁଥିବା ୨୫ ପଞ୍ଚାୟତର ରୋଗୀମାନେ ନିରାଶ ହୋଇ ଫେରିବା ସହ ଜରୁରୀକାଳିନ ପରିସ୍ଥିତିରେ ବାଲିଗୁଡ଼ା ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ର, ଫୁଲବାଣୀ ଜିଲା ସ୍ବାସ୍ଥ୍ୟକେନ୍ଦ୍ର ଓ କିଛି ରୋଗୀ ବ୍ରହ୍ମପୁର, ଭଞ୍ଜନଗରକୁ ଏକ୍ସରେ କରାଇବା ପାଇଁ ଯାଇ ଖର୍ଚ୍ଚାନ୍ତରେ ପଡୁଛନ୍ତି। ଦାରିଙ୍ଗବାଡ଼ିରେ ଅସ୍ଥିଶଲ୍ୟ ବିଭାଗର କୌଣସି ବିଶେଷଜ୍ଞ ନ ଥିଲେ ମଧ୍ୟ ଲୋକଙ୍କ ପ୍ରାଥମିକ ଚିକିତ୍ସା ପାଇଁ ଦୀର୍ଘବର୍ଷ ଧରି ଏକ୍ସରେ ମେଶିନ ସ୍ଥାପନ କରାଯାଇଛି କିନ୍ତୁ ଉକ୍ତ ଏକ୍ସରେ ମେଶିନ ଅତ୍ୟାଧୁନିକ ଓ ଡିଜିଟାଲ ହୋଇଥିବାରୁ ବାରମ୍ବାର ଅଚଳ ହୋଇପଡ଼ିଲେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଇମେଲ ଓ ଚିଠି କରିବା ପରେ ମରାମତି କରିବାକୁ ଟେକ୍ନିସିଆନ ପହଞ୍ଚି ମରାମତି କରନ୍ତି। ଫଳରେ ଏକ୍ସରେ ସ୍ବାଭାବିକ ହେବାକୁ ଦିନ ପରେ ଦିନ ବିତିଯାଉଥିବାରୁ ଜନ ଅସନ୍ତୋଷ ଦେଖାଯାଉଛି।
ଏନେଇ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଇନ୍ଚାର୍ଜ ଡାକ୍ତର ଜାକେଶ ସାମନ୍ତରାୟଙ୍କୁ ଯୋଗାଯୋଗ କରାଯାଇଥିଲା କିନ୍ତୁ ସମ୍ଭବ ହୋଇ ନଥିଲା ଏନେଇ ବିପିଏମ୍ ଶାନ୍ତନୁ କୁମାର ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି, ଉକ୍ତ ଏକ୍ସରେର ସଫ୍ଟଓ୍ବେର ସମସ୍ୟା ଦେଖାଯାଇଛି। ଆମେ ଆଜି ଫୁଲବାଣୀ ମେଲ୍ ଯୋଗେ ଅବଗତ କରାଇ ଶୀଘ୍ର ସ୍ବାଭାବିକ କରାଇବାକୁ ପଦକ୍ଷେପ ନେବୁ ବୋଲି କହିଛନ୍ତି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।