ସ୍କୁଲ ପଡ଼ିଆରେ ମନ୍ଦିର ନିର୍ମାଣ ମସୁଧା, ତେଜିଲା ଅସନ୍ତୋଷ
ବରଗଡ଼,୧।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ଥିବା ରାଣାପ୍ରତାପ ହାଇସ୍କୁଲ ପଡ଼ିଆରେ ମନ୍ଦିର ନିର୍ମାଣ ମସୁଧା ଚାଲଛି। ଏଭଳି ଅଭିଯୋଗ କରି ସ୍କୁଲ ପରିଚାଳନା କମିଟି ଏବଂ ଶିକ୍ଷକ, ଅଭିଭାବକ ସଂଘ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି। ଏଥିରେ ହସ୍ତକ୍ଷେପ କରି ବିହିତ ପଦକ୍ଷେପ ନେବା ପାଇଁ ଶୁକ୍ରବାର ସ୍କୁଲ ପରିଚାଳନା କମିଟି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ଲେଖି ଜଣାଇଛି । ଏହାସହିତ ବରଗଡ଼ ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ ମଧ୍ୟ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ସ୍କୁଲ ଜମିକୁ ଅନ୍ୟ କୌଣସି ସଂସ୍ଥାକୁ ପ୍ରଦାନ କରାଗଲେ ଏହାକୁ ବିରୋଧ ସହିତ ତୀବ୍ର ଆନ୍ଦୋଳନ କରାଯିବ ବୋଲି କମିଟି ଚେତାବନୀ ଦେଇଛି।
ସୂଚନା ଅନୁଯାୟୀ, ୧୯୬୦ରେ ପ୍ରତିଷ୍ଠିତ ଉକ୍ତ ଉଚ୍ଚ ବିଦ୍ୟାଳୟର ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ତତ୍କାଳୀନ କିଛି ବଦାନ୍ୟ ବ୍ୟକ୍ତି ସ୍କୁଲକୁ ୫ଏକର ୫୫ ଡେସିମିଲ ଜମି ଦାନ ସୂତ୍ରରେ ପ୍ରଦାନ କରିଥିଲେ। ସ୍କୁଲ ନାମରେ ସେହି ଜମି ରେଜିଷ୍ଟେଶନ ମଧ୍ୟ ହୋଇଛି । କିନ୍ତୁ ଜିଲା ପ୍ରଶାସନ ପକ୍ଷରୁ ଉକ୍ତ ଜମିରେ ପର୍ଯ୍ୟାୟକ୍ରମେ ଡିଇଓଙ୍କ କାର୍ଯ୍ୟାଳୟ, ଇନ୍ଡୋର ଷ୍ଟାଡିୟମ୍, ଅନ୍ବେଷା ଛାତ୍ରାବାସ ଭଳି ପ୍ରକଳ୍ପ ନିର୍ମାଣ କରାଯାଇଛି। ଛାତ୍ରୀଛାତ୍ରଙ୍କ ପାଇଁ ଉଦ୍ଦିଷ୍ଟ ବଳକା ଜମିରେ ପୁଣି ଏବେ ମନ୍ଦିର ନିର୍ମାଣ ପାଇଁ ଏକ ଧାର୍ମିକ ଅନୁଷ୍ଠାନ ଟ୍ରଷ୍ଟବୋର୍ଡକୁ ଜମି ପ୍ରଦାନ ପାଇଁ ମସୁଧା ଚାଲିଛି। ଏହା ଜଣାପଡ଼ିବା ପରେ ଅଭିଭାବକ, ପୁରାତନ ଛାତ୍ରୀଛାତ୍ର ଏବଂ ସ୍କୁଲ ପରିଚାଳନା କମିଟି ମହଲରେ ଅସନ୍ତୋଷ ଦେଖାଦେଇଛି। ଅନ୍ୟପକ୍ଷେ ଏହା ପୂର୍ବରୁ ସ୍କୁଲ ପରିଚାଳନା କମିଟି ସ୍କୁଲର ଅବଶିଷ୍ଟ ଜମିକୁ ଆଉ କୌଣସି ସଂସ୍ଥା କିମ୍ବା ପ୍ରକଳ୍ପକୁ ପ୍ରଦାନ ନ କରିବା ଏବଂ ସ୍କୁଲ ନାମରେ ପଟ୍ଟା ପ୍ରଦାନ ପାଇଁ ଜିଲାପାଳଙ୍କୁ ନିବେଦନ କରିଥିଲା। ଏକଦା ଏହି ଜମିରେ ତହସିଲ କାର୍ଯ୍ୟାଳୟ ନିର୍ମାଣ ମସୁଧା ଚାଲିଥିଲା। ଏ ନେଇ ଅସନ୍ତୋଷ ଦେଖାଯିବା ସହିତ ବିରୋଧ କରାଯାଇଥିଲା। ଏବେ ଏଠାରେ ମନ୍ଦିର ନିର୍ମାଣ ମସୁଧା ଚାଲିଥିବା ଖବର ଅସନ୍ତୋଷକୁ ବଢାଇଛି। ଛାତ୍ରୀଛାତ୍ରଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଥିବାବେଳେ ଭବିଷ୍ୟତରେ ଅତିରିକ୍ତ ଶ୍ରେଣୀ କୋଠରୀ, ଏମ୍ଡିଏମ୍ ହଲ, ମିଟିଂ ହଲ ଓ ସ୍କୁଲ ପାଇଁ ଅନ୍ୟାନ୍ୟ ନିର୍ମାଣ ପାଇଁ ଜମି ଆବଶ୍ୟକତା ରହିଛି। ଫଳରେ ସ୍କୁଲ ପାଇଁ ଉଦ୍ଦିଷ୍ଟ ଜମିରେ ବିଭିନ୍ନ ପ୍ରକଳ୍ପ ନିର୍ମାଣକୁ ଅଭିଭାବକ ଏବଂ ସ୍କୁଲ ପରିଚାଳନା କମିଟି ନାପସନ୍ଦ କରିଛି । ରାଜସ୍ବ ମନ୍ତ୍ରୀ ଏବଂ ଜିଲାପାଳଙ୍କୁ ଦିଆଯାଇଥିବା ସ୍ମାରକପତ୍ରରେ ସ୍କୁଲ ପରିଚାଳନା କମିଟି ଅଧ୍ୟକ୍ଷ ଆଲୋକ ପାଇକ, କମଳିନୀ ମାଝୀ, ନିରୁ ଭୁଏ, ଡଲି ମେଳ୍ଲି, ହେମାଙ୍ଗିନୀ ବେହେରା, ସୁଦର୍ଶନ ବାରିକ ଏବଂ ନରସିଂହ ମହାନନ୍ଦ ପ୍ରମୁଖଙ୍କ ସ୍ବାକ୍ଷର ରହିଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।