୨୬ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଲେ RTOର ୨ କର୍ମଚାରୀ, ବାନ୍ଧିଲା ଭିଜିଲାନ୍ସ
ରାଉରକେଲା,୫ା୮(ସଙ୍ଗୀତା ଜେନା) : ଭିଜିଲାନ୍ସ ଜାଲରେ ରାଉରକେଲା RTOର ୨ କର୍ମଚାରୀ । ବ୍ୟାଙ୍କ ଦ୍ୱାରା ନିଲାମ ହୋଇଥିବା ଦୁଇଟି ଟ୍ରକ୍ର ନୂତନ ପଞ୍ଜୀକରଣ ପ୍ରମାଣପତ୍ର (ଏଫ୍ଆର୍ସି) ପ୍ରଦାନ କରିବା ପାଇଁ ୨୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବୁଧବାର ଓଡ଼ିଶା ଭିଜିଲାନ୍ସ ଟିମ୍ ଗିରଫ କରିଛି। ଦୁଇ ଅଭିଯୁକ୍ତ ହେଲେ ଆରଟିଓ ଅଫିସର ଡିଲିଂ କ୍ଲର୍କ-କମ୍-ନାଇଟ୍ ୱାଚର୍ ନିରଞ୍ଜନ ଷଣ୍ଢ ଏବଂ ଆଇଟି ଏକ୍ସକ୍ୟୁଟିଭ୍ ଧର୍ମେନ୍ଦ୍ର କୁମାର ବେହେରା।
ସୂଚନା ଅନୁଯାୟୀ, ଅଭିଯୋଗକାରୀ ନିକଟରେ ଇଣ୍ଡସଇଣ୍ଡ୍ ବ୍ୟାଙ୍କ ଦ୍ୱାରା କରାଯାଇଥିବା ନିଲାମ ପ୍ରକ୍ରିୟାରେ ଦୁଇଟି ଟ୍ରକ୍ କିଣିଥିଲେ। ପୂର୍ବତନ ମାଲିକ ବ୍ୟାଙ୍କ ଋଣ ଶୁଝି ନ ପାରିବାରୁ ବ୍ୟାଙ୍କ ପକ୍ଷରୁ ଏହି ଟ୍ରକ୍ ଦୁଇଟିକୁ ନିଲାମ କରାଯାଇଥିଲା। ଓଡ଼ିଶା ସରକାରଙ୍କ ପରିବହନ ବିଭାଗର ନିୟମ ଅନୁଯାୟୀ, ନୂଆ ମାଲିକ ଜଣକ ଉକ୍ତ ଦୁଇଟି ଟ୍ରକ୍ର ନୂତନ ପଞ୍ଜୀକରଣ ପ୍ରମାଣପତ୍ର (ଏଫ୍ଆର୍ସି) ପାଇଁ ରାଉରକେଲା ଆରଟିଓ କାର୍ଯ୍ୟାଳୟରେ ଆବେଦନ କରିଥିଲେ। ମାତ୍ର ଅଭିଯୋଗକାରୀଙ୍କ ବାରମ୍ବାର ଅନୁରୋଧ ସତ୍ତ୍ୱେ ଡିଲିଂ କ୍ଲର୍କ ଷଣ୍ଢ ଏହି ଫାଇଲ୍କୁ ଆଗକୁ ବଢ଼ାଉ ନ ଥିଲେ। ନୂଆ ପଞ୍ଜୀକରଣ କରିଦେବା ପାଇଁ ସେ ଗୋଟିଏ ଟ୍ରକ୍ ପିଛା ୧୩,୦୦୦ ଟଙ୍କା ହିସାବରେ ମୋଟ୍ ୨୬,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ ।
ଏହି ବେଆଇନ ଦାବିରେ ଅତିଷ୍ଠ ହୋଇ ଟ୍ରକ୍ ମାଲିକ ଜଣକ ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ ।
ଅଭିଯୋଗକୁ ଭିତ୍ତି କରି ଭିଜିଲାନ୍ସ ପକ୍ଷରୁ ଏକ ଯୋଜନା ପ୍ରସ୍ତୁତ କରାଯାଇଥିଲା। ବୁଧବାର ଦିନ ଡିଲିଂ କ୍ଲର୍କ ଷଣ୍ଢ ଏବଂ ତାଙ୍କ ସହଯୋଗୀ ଆଇଟି ଏକ୍ସକ୍ୟୁଟିଭ୍ ବେହେରା ଅଭିଯୋଗକାରୀଙ୍କ ଠାରୁ ୨୬ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ପୂର୍ବରୁ ଛପି ରହିଥିବା ଭିଜିଲାନ୍ସ ଟିମ୍ ସେମାନଙ୍କୁ କାବୁ କରିନେଇଥିଲା। ଅଭିଯୁକ୍ତଙ୍କ ନିକଟରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଛି।
ଏହି ସଫଳ ଟ୍ରାପ୍ ପରେ, ଆୟ ବହିର୍ଭୂତ ସମ୍ପତ୍ତି (ଡିଏ) ଠୁଳ ଅଭିଯୋଗ ଦିଗରୁ ଡିଲିଂ କ୍ଲର୍କ ଷଣ୍ଢଙ୍କ ସହ ଜଡିତ ତିନୋଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ ଜାରି ରହିଛି । ଉଭୟ ଅଭିଯୁକ୍ତ ଙ୍କ ବିରୋଧରେ ଅଧିକ ତଦନ୍ତ ଅବ୍ୟାହତ ରହିଛି ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।