ବ୍ଲକଗ୍ରାଣ୍ଟ ଶିକ୍ଷକଙ୍କ ଧାରଣା
କୃଷ୍ଣପ୍ରସାଦ, ୫।୮(କୈଳାଶ ଚନ୍ଦ୍ର ପଟ୍ଟନାୟକ): ଦୀର୍ଘଦିନ ଧରି ବିଭିନ୍ନ ଦାବି ନେଇ ବ୍ଲକଗ୍ରାଣ୍ଟ ଶିକ୍ଷକମାନେ ରାଜରାସ୍ତାକୁ ଓହ୍ଲାଇ ଆସୁଛନ୍ତି। ପୂର୍ବରୁ ବିଧାନସଭା ସମ୍ମୁଖରେ ଶିକ୍ଷୟିତ୍ରୀମାନେ ମାଣବସା ଗୁରୁବାର ଲକ୍ଷ୍ମୀ ପୂଜା କରି ଧାରଣାରେ ବସିଥିବାର ନଜିର ରହିଛି। ମାତ୍ର ସରକାର କେବଳ ପ୍ରତିଶ୍ରୁତି ଦେଇ ଆନ୍ଦୋଳନ ପ୍ରତ୍ୟାହାର କରାଇବାରେ ସୀମିତ ରହିଥିବା ଅଭିଯୋଗ କରିଛି ସଂଘ।
ଏଥର ଓଡ଼ିଶା ମାଧ୍ୟମିକ ଶିକ୍ଷକ ସଂଘ (ଓସ୍ତା) ନିଜ ଦାବିରେ ଅଟଳ ରହିଛି। ସଂଘ ପକ୍ଷରୁ ରାଜ୍ୟର ୩୧୪ଟି ବ୍ଲକ କାର୍ଯ୍ୟାଳୟକୁ ଏକକାଳୀନ ଘେରାଉ କରାଯାଇଛି। ଏହି ପରିପ୍ରେକ୍ଷୀରେ କୃଷ୍ଣପ୍ରସାଦ ବ୍ଲକ ଛକରୁ ଏକ ରାଲି ବାହାରି ବ୍ଲକ ପରିସରରେ ପହଞ୍ଚିଥିଲା। ରାଲିରେ ଶିକ୍ଷକମାନେ ବିଭିନ୍ନ ସ୍ଲୋଗାନ ଦେବା ସହ ନିଜ ଦାବି ସମର୍ଥନରେ ସ୍ୱର ଉତ୍ତୋଳନ କରିଥିଲେ। ସଂଘର ଜିଲାକାର୍ଯ୍ୟକାରୀ ସଭାପତି ପବିତ୍ର କୁମାର ଦାସ କହିଥିଲେ, ସରକାର ଶିକ୍ଷକଙ୍କ ନ୍ୟାୟସଙ୍ଗତ ଦାବି ତୁରନ୍ତ ପୂରଣ କରନ୍ତୁ, ନଚେତ ଜନତାଙ୍କ ସମ୍ମୁଖରେ ଜବାବଦେହି ହେବାକୁ ପଡ଼ିବ।
ବ୍ଲକ ଓସ୍ତା ସଭାପତି କାଶୀନାଥ ଜେନା କହିଥିଲେ, ୧୯୪ଟି ଯୋଗ୍ୟ ବିଦ୍ୟାଳୟକୁ ଅନୁଦାନ ପ୍ରଦାନ, ଜାତୀୟ ଶିକ୍ଷା ନୀତି-୨୦୨୦ କାର୍ଯ୍ୟକାରୀ କରିବା, ପୁରୁଣା ପେନ୍ଶନ ବ୍ୟବସ୍ଥା ପୁନଃ ଲାଗୁ କରିବା, ଖାଲି ପଡ଼ିଥିବା ଶିକ୍ଷକ ପଦବୀ ପୂରଣ କରିବା ଏବଂ ଅବସର ବୟସକୁ ୬୦ ବର୍ଷରୁ ୬୨ ବର୍ଷକୁ ବୃଦ୍ଧି କରିବା ସଂଘର ପ୍ରମୁଖ ଦାବି।
ଓସ୍ତାର ଜିଲା କାର୍ଯ୍ୟକାରୀ କମିଟି ସଦସ୍ୟ ବିଭୂ ନାରାୟଣ ଜେନା ଏବଂ ବ୍ଲକ ସମ୍ପାଦକ ସନାତନ ତରେଇ କହିଥିଲେ, ଆସନ୍ତା ୭ ତାରିଖରେ ପ୍ରତ୍ୟେକ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ଦାବିପତ୍ର ପ୍ରଦାନ କରାଯିବ। ସେହିପରି ୧୭ ତାରିଖରେ ବିଧାନସଭା ଘେରାଉ କରାଯିବ। ଦାବି ପୂରଣ ନ ହେଲେ ଆଗାମୀ ପଞ୍ଚାୟତ ନିର୍ବାଚନରେ ସରକାରଙ୍କୁ ଉଚିତ ଜବାବ ଦିଆଯିବ ବୋଲି ସେମାନେ ଚେତାବନୀ ଦେଇଥିଲେ। ସଭା ଶେଷରେ ମୁଖ୍ୟମନ୍ତ୍ରୀ, ଅର୍ଥମନ୍ତ୍ରୀ ଓ ଶିକ୍ଷାମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର କୃଷ୍ଣପ୍ରସାଦ ବିଡିଓ ଅମୀୟ କୁମାର ପଣ୍ଡାଙ୍କୁ ପ୍ରଦାନ କରାଯାଇଥିଲା।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।