ହକି ଟିମ୍ର ଗେରୁଆ ଜର୍ସିକୁ ନେଇ ବିବାଦ
ଆସନ୍ତା ଅଗଷ୍ଟ ୧୫ରୁ ୩୦ ଯାଏ ନେଦରଲ୍ୟାଣ୍ଡ୍ସ ଏବଂ ବେଲଜିୟମରେ ଅନୁଷ୍ଠିତ ହେବାକୁ ଥିବା ଏଫ୍ଆଇଏଚ୍ ବିଶ୍ୱକପ୍ରେ ଭାରତୀୟ ପୁରୁଷ ଓ ମହିଳା ହକି ଟିମ୍ ସେମାନଙ୍କର ପାରମ୍ପରିକ ନୀଳ ଜର୍ସି ପରିବର୍ତ୍ତେ ‘ଗେରୁଆ’ ରଙ୍ଗର ପୋଷାକ ପିନ୍ଧି ପଡ଼ିଆକୁ ଓହ୍ଲାଇବେ। ହକି ଇଣ୍ଡିଆ ପକ୍ଷରୁ ସୋସିଆଲ ମିଡିଆରେ ଏହି ନୂତନ ଜର୍ସିର ଅନାବରଣ କରାଯିବା ପରେ କ୍ରୀଡ଼ା ଜଗତରେ ଏହାକୁ ନେଇ ଏକ ବଡ଼ ବିବାଦ ମୁଣ୍ଡ ଟେକିଛି। ଅନେକ ପୂର୍ବତନ ଅଧିନାୟକ ଓ କିମ୍ବଦନ୍ତୀ ଖେଳାଳି ଏହାକୁ କଡ଼ା ସମାଲୋଚନା କରିଥିବାବେଳେ ହକି ଇଣ୍ଡିଆ ଏହାକୁ ଏକ ବୈଷୟିକ ଆବଶ୍ୟକତା ବୋଲି ଦର୍ଶାଇ ନିଜ ନିଷ୍ପତ୍ତିକୁ ଯଥାର୍ଥ ଦର୍ଶାଇଛି।
ନୂଆଦିଲ୍ଲୀ,୧ା୮: ବିଶିଷ୍ଟ ହକି ଖେଳାଳି ଧନରାଜ ପିଲେ କହିଛନ୍ତି, ୧୯୨୮ ଅଲିମ୍ପିକ୍ସରୁ ଆରମ୍ଭ କରି ଧ୍ୟାନଚନ୍ଦ, ବଲବୀର ସିଂହ, ମହମ୍ମଦ ସାହିଦ ଏବଂ ୧୯୮୦ ମସ୍କୋ ଅଲିମ୍ପିକ୍ସ ସ୍ବର୍ଣ୍ଣ ବିଜେତା ଦଳ ପର୍ଯ୍ୟନ୍ତ ସମସ୍ତେ ନୀଳ ଜର୍ସି ପିନ୍ଧି ଖେଳିଛନ୍ତି। ଏହି ନୀଳ ରଙ୍ଗ ହିଁ ଭାରତୀୟ ହକିର ପରିଚୟ। ଏହା କୌଣସି ଆଇପିଏଲ୍ କିମ୍ବା ଫ୍ରାଞ୍ଚାଇଜ ଟୁର୍ନାମେଣ୍ଟ ନୁହେଁ। ଏତେ ବର୍ଷ ପରେ ହଠାତ୍ ଏହାକୁ ବଦଳାଇବାର କାରଣ ବୁଝିପାରୁନାହିଁ ବୋଲି ପିଲେ କହିଛନ୍ତି। ପୂର୍ବତନ ଅଧିନାୟକ ତଥା କଂଗ୍ରେସ ବିଧାୟକ ପରଗତ୍ ସିଂହ କହିଛନ୍ତି, ଦେଶରେ ଶିକ୍ଷା, ଇତିହାସ ଏବଂ ଏବେ କ୍ରୀଡ଼ାର ମଧ୍ୟ ‘ଗୈରୀକକରଣ’ କରାଯାଉଛି, ଯାହା ଅତ୍ୟନ୍ତ ଚିନ୍ତାଜନକ। ଖେଳ ଧର୍ମ, ଜାତି ଓ ରାଜନୀତିରୁ ଊର୍ଦ୍ଧ୍ୱରେ। ବ୍ଲୁ-ଟର୍ଫରେ ଦୃଶ୍ୟମାନ ହେବାରେ ସମସ୍ୟା ଥିଲା ବୋଲି ଯେଉଁ ସଫେଇ ଦିଆଯାଉଛି, ତାହା ଭିତ୍ତିହୀନ। ଅନ୍ୟ କୌଣସି ରଙ୍ଗର ବିକଳ୍ପ ନ ଥିଲା କି ବୋଲି ପରଗତ୍ ପ୍ରଶ୍ନ ଉଠାଇଛନ୍ତି। ପୂର୍ବତନ ଅଧିନାୟକ ବୀରେନ ରସ୍କ୍ବିନା କହିଛନ୍ତି, ହକି ଇଣ୍ଡିଆ ଅନେକ ଭଲ କାମ କରିଛି, ମାତ୍ର ଏହି ନିଷ୍ପତ୍ତି ଅତ୍ୟନ୍ତ ନିରାଶାଜନକ। ଭାରତୀୟ ହକିର ଐତିହ୍ୟ ଓ ଗୌରବ ନୀଳ ଜର୍ସି ସହ ଜଡ଼ିତ। ପ୍ରଶଂସକମାନେ ଟିମ୍କୁ ନୀଳ ରଙ୍ଗରେ ଦେଖିବାକୁ ଚାହାନ୍ତି। ରସ୍କ୍ବିନା ବର୍ତ୍ତମାନ ସ୍ପୋଟର୍ସ ଫାଉଣ୍ଡେଶନ ଅଲିମ୍ପିକ ଗୋଲ୍ଡ କୋଷ୍ଟର ସିଇଓ ଅଛନ୍ତି। ନୂଆ ଜର୍ସି ଲଜ୍ଜାଜନକ ମନେ ହେଉଛି ବୋଲି ସେ କହିଛନ୍ତି। ୧୯୮୦ ଅଲିମ୍ପିକ୍ସ ସ୍ବର୍ଣ୍ଣ ବିଜେତା ଅଧିନାୟକ ଭି. ଭାସ୍କରନ କହିଛନ୍ତି, ଏହି ନିଷ୍ପତ୍ତି ଭାରତୀୟ ହକିର ପରିଚୟକୁ ଛଡ଼ାଇ ନେଇଛି। ଆମେ ବର୍ଷ ବର୍ଷ ଧରି ବ୍ଲୁ-ଟର୍ଫରେ ନୀଳ ଜର୍ସି ପିନ୍ଧି ଖେଳିଆସିଛୁ, ହଠାତ୍ ଏବେ କ’ଣ ସମସ୍ୟା ହେଲା? ହକି ଇଣ୍ଡିଆର ସଭାପତି ଓ ସମ୍ପାଦକ ଏହାର ପ୍ରକୃତ କାରଣ ସ୍ପଷ୍ଟ କରନ୍ତୁ ବୋଲି ସେ କହିଛନ୍ତି। ୧୯୭୫ ବିଶ୍ୱକପ ବିଜେତା ଅଧିନାୟକ ଅଜିତ୍ ପାଲ୍ ସିଂ କହିଛନ୍ତି, ଯେତେବେଳେ ପିଲାଦିନେ ଭାରତ ପାଇଁ ଖେଳିବାର ସ୍ବପ୍ନ ଦେଖୁଥିଲି, ନୀଳ ଜର୍ସି ପିନ୍ଧିବା ଲକ୍ଷ୍ୟ ଥିଲା। ଏହି ବିଚିତ୍ର ନିଷ୍ପତ୍ତି ପଛରେ କାହାର ପ୍ରରୋଚନା ରହିଛି ବୋଲି ସେ ପ୍ରଶ୍ନ କରିଛନ୍ତି।
ହକି ଇଣ୍ଡିଆ କିନ୍ତୁ ଏହାକୁ ଏକ ବୈଷୟିକ ଆବଶ୍ୟକତା ବୋଲି ଦର୍ଶାଇଛି। ହକି ଇଣ୍ଡିଆ ଏହାର ପ୍ରେସ୍ ବିଜ୍ଞପ୍ତିରେ ନୂଆ ଜର୍ସିର ଉନ୍ମୋଚନ କରି କହିଛି, ଖେଳାଳି ଓ ସପୋର୍ଟ ଷ୍ଟାଫ୍ଙ୍କ ସହ ଆଲୋଚନା କରାଯାଇ ଏହି ନିଷ୍ପତ୍ତି ନିଆଯାଇଛି। ଗେରୁଆ ରଙ୍ଗ ହେଉଛି ସାହସ, ତ୍ୟାଗ ଓ ବିଜୟର ପ୍ରତୀକ। କୌଣସି ବାହ୍ୟ ଚାପରେ ଏହି ନିଷ୍ପତ୍ତି ନିଆଯାଇ ନାହିଁ। ବର୍ତ୍ତମାନ ଅଧିକାଂଶ ଅନ୍ତର୍ଜାତୀୟ ହକି ପିଚ୍ଗୁଡ଼ିକରେ ନୀଳ ରଙ୍ଗର ଟର୍ଫ ରହିଛି। ଭାରତୀୟ ଖେଳାଳିମାନଙ୍କ ଜର୍ସି ନୀଳ ରଙ୍ଗର ହେବା ଦ୍ୱାରା ପଡ଼ିଆରେ ସେମାନଙ୍କ ସ୍ପଷ୍ଟତା ଓ ଦୃଶ୍ୟମାନତାକୁ ପ୍ରଭାବିତ କରୁଥିଲା। ଆମ ଜାତୀୟ ପତାକାରେ ଗେରୁଆ ରଙ୍ଗ ସ୍ଥାନ ପାଇଛି, ଯାହାକି ସାହସ, ବଳିଦାନ ଓ ଜାତୀୟ ଗର୍ବର ପ୍ରତୀକ।
Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।