Odisha Floods: ବନ୍ୟା କ୍ଷୟକ୍ଷତିର ରିପୋର୍ଟ ୩ ଦିନ ମଧ୍ୟରେ ଦେବାକୁ ନିର୍ଦ୍ଦେଶ
ଭୁବନେଶ୍ୱର, ୧।୮: ରାଜ୍ୟର ବିଭିନ୍ନ ଜିଲାରେ ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତି ଯୋଗୁ ହୋଇଥିବା କ୍ଷୟକ୍ଷତିର ଆକଳନ ପାଇଁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ ସମ୍ପୃକ୍ତ ବିଭାଗର ଅଧିକାରୀମାନଙ୍କୁ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ବନ୍ୟା ସ୍ଥିତି ସମ୍ପର୍କରେ ପ୍ରତିକ୍ରିୟା ରଖି ମନ୍ତ୍ରୀ କହିଛନ୍ତି , ଗ୍ରାମ୍ୟ ଉନ୍ନୟନ ଏବଂ ପଞ୍ଚାୟତିରାଜ ବିଭାଗ ଅଧୀନରେ ହୋଇଥିବା ସମସ୍ତ କ୍ଷୟକ୍ଷତିର ବିସ୍ତୃତ ରିପୋର୍ଟ ୩ ଦିନ ମଧ୍ୟରେ ଦାଖଲ କରିବାକୁ କୁହାଯାଇଛି।
ମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ, ବିଭାଗୀୟ ଅଧିକାରୀମାନେ ତୁରନ୍ତ ବନ୍ୟା ପ୍ରଭାବିତ ଅଞ୍ଚଳକୁ ଯାଇ ସ୍ଥଳ ପରିଦର୍ଶନ କରି କ୍ଷୟକ୍ଷତିର ସଠିକ୍ ଆକଳନ କରିବେ। ଗ୍ରାମାଞ୍ଚଳର ରାସ୍ତା, ପୋଲ, ପାନୀୟ ଜଳ ବ୍ୟବସ୍ଥା, ପଞ୍ଚାୟତ ଭିତ୍ତିଭୂମି ଏବଂ ଅନ୍ୟାନ୍ୟ ସରକାରୀ ସମ୍ପତ୍ତିର କ୍ଷତି ସମ୍ପର୍କରେ ସବିଶେଷ ତଥ୍ୟ ସଂଗ୍ରହ କରାଯିବ।
ବନ୍ୟା ପ୍ରଭାବିତ ଲୋକଙ୍କୁ ଅତ୍ୟାବଶ୍ୟକ ସୁବିଧା ଯୋଗାଇବା ପାଇଁ ପାନୀୟ ଜଳ ବ୍ୟବସ୍ଥାକୁ ପ୍ରାଥମିକତା ଦିଆଯାଇଛି। ମନ୍ତ୍ରୀ କହିଛନ୍ତି ଯେ, ପ୍ରଭାବିତ ଅଞ୍ଚଳରେ ପାଣି ଟାଙ୍କି ସହ ମୋବାଇଲ ପାନୀୟ ଜଳ ଭ୍ୟାନର ବ୍ୟବସ୍ଥା କରାଯାଇଛି, ଯାହାଦ୍ୱାରା ଲୋକମାନେ ସୁରକ୍ଷିତ ପାନୀୟ ଜଳ ପାଇପାରିବେ।
ସେ ଆହୁରି କହିଛନ୍ତି ଯେ, ବନ୍ୟା ପରିସ୍ଥିତିରେ ସରକାର ସମ୍ପୂର୍ଣ୍ଣ ସତର୍କ ରହିଛନ୍ତି। କ୍ଷୟକ୍ଷତିର ରିପୋର୍ଟ ମିଳିବା ପରେ ଆବଶ୍ୟକ ମରାମତି ଓ ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ। ପ୍ରଭାବିତ ଲୋକଙ୍କୁ ତୁରନ୍ତ ସହାୟତା ଯୋଗାଇବା ସହ ଗ୍ରାମାଞ୍ଚଳରେ ଜନଜୀବନ ସ୍ୱାଭାବିକ କରିବାକୁ ସମସ୍ତ ବିଭାଗକୁ ସମନ୍ୱୟ ରକ୍ଷା କରି କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।