ସ୍କୁଲରୁ ଫେରୁଥିବାବେଳେ ଦଶମ ଶ୍ରେଣୀ ଛାତ୍ରୀକୁ ଅପହରଣ: ଥାନାର ଦ୍ୱାରସ୍ଥ ହେଲେ ପରିବାର ଲୋକେ
ଲାଞ୍ଜିଗଡ,୧୩।୭(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା । ଲାଞ୍ଜିଗଡ ବ୍ଲକ ବେନଗାଁ ପଞ୍ଚାୟତ ଅନର୍ଗତ ପାଜିବାହାଲି ଗ୍ରାମର ଦଶମ ଶ୍ରେଣୀରେ ପଢ଼ୁଥିବା ଏକ ନାବାଳିକାକୁ ଜଣେ ଯୁବକ ଅପହରଣ କରି ନେଇଥିବା ନେଇ ପରିବାର ଲୋକେ ବିଜେପୁର ଥାନାର ଦ୍ୱାରସ୍ଥ ହୋଇ ଏକ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ ପାଜିବାହାଲି ଗ୍ରାମର କପିଳ ହରିଜନର ନାବାଳିକା ଝିଅ ପୂର୍ଣ୍ଣିମା ହରିଜନ (୧୫) ବେନଗାଁ ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ପାଠ ପଢୁଥିଲେ। ଗତ ୮ ତାରିଖ ବୁଧବାର ସ୍କୁଲକୁ ଯାଇଥିଲେ ଏବଂ ସ୍କୁଲ ଛୁଟି ହେଲାପରେ ସେ ଘରକୁ ଫେରିନଥିଲେ। ସା ହୋଇଯିବା ପରେ ମଧ୍ୟ ଝିଅ ଘରକୁ ନଫେରିବାରୁ ଝିଅର ସାଙ୍ଗସାଥି, ସାହି ପଡ଼ିଶା ଓ ସମ୍ପର୍କୀୟ ଘରେ ଖୋଜାଖୋଜି କରି ସମସ୍ତଙ୍କୁ ଯୋଗାଯୋଗ କରିଥିଲେ କିନ୍ତୁ କୌଣସିଠାରେ ମଧ୍ୟ ଝିଅର ସନ୍ଧାନ ପାଇନଥିଲେ । ଶେଷରେ କୌଣସି ସୂତ୍ରରୁ ଜାଣିବାକୁ ପାଇଲେ ଯେ ବୁଧବାର ଝିଅ ପୂର୍ଣ୍ଣିମା ସ୍କୂଲ ଛୁଟି ହେଲାପରେ ଘରକୁ ଫେରୁଥିବା ବେଳେ ପାଜିବାହାଲି ଗ୍ରାମର ଡ୍ରିକୁ ମାଝୀଙ୍କ ପୁଅ ଅର୍ଜୁ ମାଝୀ (୨୮) ଝିଅକୁ ନେଇ କେଉଁଆଡେ ପଳାଇଯାଇଛନ୍ତି। ଅର୍ଜୁ ମାଝୀ ଝିଅକୁ କେଉଁଆଡେ ନେଇ ଯାଇଥିବା ଖବର ଜାଣିଲା ପରେ ଝିଅର ବାପା ବିଜେପୁର ଥାନାରେ ଏକ ଲିଖିତ ଅଭିଯୋଗ କରି ଉଚିତ ନ୍ୟାୟ ଦାବି କରିଛନ୍ତି । ଏନେଇ ବିଜେପୁର ଥାନାଧିକାରୀ ତୁଳସୀରାମ ଶବରଙ୍କୁ ପଚାରିବାରୁ ପୁଅ ଝିଅ ଦୁହେଁ କେରଳ ଚାଲି ଯାଇଥିବା ଜଣାପଡିଛି ଏବଂ ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ବିଜେପୁର ଥାନା କେସ୍ ନଂ ୨୪/୨୬ ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଥାନାଧିକାରୀ ଶବର ପ୍ରକାଶ କରିଛନ୍ତି ।
Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।