ଦୁର୍ଘଟଣାରେ ଆହାତ ବୃଦ୍ଧଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ: ଥାନାରେ ପହଞ୍ଚି ଝିଅ ଦେଲେ ଏତଲା

Jul 13, 2026 - 19:39
ଦୁର୍ଘଟଣାରେ ଆହାତ ବୃଦ୍ଧଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ: ଥାନାରେ ପହଞ୍ଚି ଝିଅ ଦେଲେ ଏତଲା

ଦିଗପହଣ୍ଡି,୧୩।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁୁବୁଡ଼ି ଗ୍ରାମର ଲବ ନାଇକ(୬୬) ଗତ ୭ ତାରିଖ ଅପରାହ୍ନରେ ସଡ଼କ ଦୁର୍ଘଟଣାରେ ଗୁରୁତର ଆହାତ ହୋଇଥିଲେ। ତାଙ୍କୁ ପ୍ରଥମେ ସଙ୍କଟାପନ୍ନ ଅବସ୍ଥାରେ ବମକୋଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଘରକୁ ନିଆଯାଇଥିଲା। ହେଲେ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ନଆସିବାରୁ ଘଟଣାର ପରଦିନ ତାଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ରବିବାର ଅପରାହ୍ନରେ ତାଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ଲବଙ୍କ ଝିଅ ରୁକ୍କୁଣି ନାଇକ ବ୍ରହ୍ମପୁରରୁ ଦିଗପହଣ୍ଡି ଥାନାରେ ପହଞ୍ଚି ଏତଲା ଦେଇଥିଲେ। ଆଇଆଇସି କିଶୋର କୁମାର ସାମଲ ଏତଲାକୁ ଭିତ୍ତିକରି ମାମଲା ନଂ.୨୯୫/୨୬ ଅନୁଯାୟୀ ମକଦ୍ଦମା ରୁଜୁ କରିଥିଲେ। ସୋମବାର ସକାଳେ ତଦନ୍ତକାରୀ ଅଧିକାରୀ ଏଏସଆଇ ମନୋଜ ସିଂ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ପହଞ୍ଚି ମୃତଦେହକୁ ସେଠାରେ ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ମଧ୍ୟାହ୍ନରେ ଗାଁ ଶ୍ମଶାନରେ ତାଙ୍କ ଶେଷକୃତ୍ୟ କରାଯାଇଛି। ଘଟଣା ଦିନ ଲବ କୌଣସି କାମରେ ଗାଁ ନିକଟ ବଡ଼ଡୁମ୍ବୁଳା ଗ୍ରାମକୁ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା ବୋଲି ଏତଲାରେ ଉଲ୍ଲେଖ ରହିଛି।

Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।