ସାର ପକାଇବାବେଳେ ଜମିରେ ହଠାତ୍‌ ହୋଇଗଲା ୧୦ ଫୁଟର ଦୁଇଟି ଗାତ, ଭୟରେ ଅଞ୍ଚଳବାସୀ

Jul 06, 2026 - 11:26
ସାର ପକାଇବାବେଳେ ଜମିରେ ହଠାତ୍‌ ହୋଇଗଲା ୧୦ ଫୁଟର ଦୁଇଟି ଗାତ, ଭୟରେ ଅଞ୍ଚଳବାସୀ

ନବରଙ୍ଗପୁର,୬।୭(ସଦାଶିବ ପ୍ରହରାଜ): ନବରଙ୍ଗପୁର ବ୍ଲକ ଆମ୍ବଦଳା କୋଡ୍ରିଗୁଡ଼ା ଗାଁରେ ରବିବାର ଲୋକେ ଚାଷ ଜମିରେ ସାର ପକାଉଥିବା ବେଳେ ହଠାତ୍‌ ଶବ୍ଦ କରି ମାଟି ଧସିବା ସହ ୧୦ ଫୁଟରୁ ଅଧିକ ଗଭୀର ଦୁଇଟି ଗାତ ହୋଇଯାଇଛି। ଏହି ଘଟଣା ପରେ ଭୟର ବାତାବରଣ ଦେଖାଦେଇଛି। ଲୋକେ ଜମିକୁ ଯିବାକୁ ଭୟ କରୁଥିବା ବେଳେ କେହି କେହି ଭୂମିକମ୍ପ ହୋଇଥିବାର ସନ୍ଦେହ କରୁଛନ୍ତି।
ନବରଙ୍ଗପୁର ବ୍ଲକ କୋଡ୍ରାଗୁଡା ଗାଁର ଆସମନ ଭତରା ମକା ଚାଷ ଜମିରେ ସାର ପକାଉଥିବା ବେଳେ ହଠାତ୍‌ ପ୍ରଚଣ୍ଡ ଶବ୍ଦ ସହ ମାଟି ଧସିଯାଇଥିଲା। କିଛି ମୁହୂର୍ତ୍ତ ମଧ୍ୟରେ ସେଠାରେ ୧୦ ଫୁଟରୁ ଅଧିକ ଗଭୀର ଓ ୨୦ ଫୁଟ ଓସାରର ଗୋଲାକାର ଦୁଇଟି ଗାତ ସୃଷ୍ଟି ହୋଇଥିଲା। ଯେଉଁ ଗାତ କି ଧୀରେ ଧୀରେ ବଢ଼ିବାରେ ଲାଗିଛି। ଘଟଣା ଦେଖି ଜମିରେ କାମ କରୁଥିବା ଓ ଆଖପାଖ ଲୋକେ ଭୟଭୀତ ହୋଇ ପଳାଇ ଆସିଥିଲେ। ଘଟଣା ପରଠାରୁ ଗାଁରେ ଆତଙ୍କ ଖେଳିଯାଇଛି। ଲୋକେ ଜମିକୁ ଯିବାକୁ ସାହସ କରୁନାହାନ୍ତି। ଅନ୍ୟପଟେ ରହସ୍ୟମୟ ଏହି ଗାତକୁ ଦେଖିବା ପାଇଁ ଦୂରଦୂରାନ୍ତରୁ ଲୋକଙ୍କ ଭିଡ଼ ଜମୁଛି। ଫଳରେ କେତେବେଳେ ବଡ଼ ଅଘଟଣ ଘଟିବାର ଆଶଙ୍କା ମଧ୍ୟ ଦେଖାଦେଇଛି। ସ୍ଥାନୀୟ ଲୋକେ ଏହାକୁ ଭୂମିକମ୍ପର ପ୍ରଭାବ ବୋଲି ସନ୍ଦେହ କରୁଥିବା ବେଳେ ପ୍ରକୃତ କାରଣ କ’ଣ ତାହା ଏଯାଏ ସ୍ପଷ୍ଟ ହୋଇନାହିଁ। ତେବେ ଶନିବାରଠାରୁ ଏଠାରେ ବର୍ଷା ହେଉଥିବାରୁ ଜମି ଧସିଯାଇଥିବାର ଆଶଙ୍କା ମଧ୍ୟ କରାଯାଉଛି। ଜମି ମାଲିକ ଆସମନ ଭତରା ସରକାରଙ୍କୁ ତୁରନ୍ତ ଘଟଣାସ୍ଥଳରେ ବୈଜ୍ଞାନିକ ଯାଞ୍ଚ କରିବା, କ୍ଷତିପୂରଣ ପ୍ରଦାନ କରିବା ସହ ଜମିକୁ ପୁନଃ ସମତଳ କରିବା ପାଇଁ ସହାୟତା ଦେବାକୁ ଦାବି କରିଛନ୍ତି। ଏ ନେଇ ନବରଙ୍ଗପୁର ତହସିଲଦାର ଭଲେଶ୍ୱର ନାୟକଙ୍କୁ ପଚାରିବାରୁ ସୋମବାର ଅତିରିକ୍ତ ତହସିଲଦାର ଓ ସୁପରଭାଇଜର ଘଟଣା ସ୍ଥଳକୁ ଯାଇ ଅନୁଧ୍ୟାନ କରିବା ପରେ ସୁରକ୍ଷା ବାଡ ଦେଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି। ଜିଲା ଜରୁରୀ କାଳୀନ ଅଧିକାରୀ ଶ୍ରଦ୍ଧାଞ୍ଜଳି ସାହୁଙ୍କ ପଚାରିବାରୁ ସେ କହିଛନ୍ତି ଯେ, ଉକ୍ତ ସ୍ଥାନକୁ ନ ଯିବା ପାଇଁ ଲୋକଙ୍କୁ କହିବାକୁ ସ୍ଥାନୀୟ ସରପଞ୍ଚଙ୍କୁ କୁହାଯିବ। ଲୋକେ ଭୟଭୀତ ହୁଅନ୍ତୁ ନାହିଁ। ତହସିଲଦାରଙ୍କୁ ମଧ୍ୟ କୁହାଯାଇଛି।

Dharitri – Odisha’s No.1 Odia Daily