ଷ୍ଟେଶନ ମାଷ୍ଟର ଭାବରେ ନିଜକୁ ପରିଚୟ ଦେଇ ନେଇ ଚାଲିଥିଲେ ଟଙ୍କା, ଏମିତି ପଡ଼ିଲେ ଧରା…
କେନ୍ଦୁଝର,୧୫ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ପୋଲିସ ଠକେଇ ମାମଲାରେ ଜଣେ ନକଲି ରେଳ ଅଧିକାରୀଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ତାଙ୍କ ନାମ ରାଜ କୁମାର ପୂର୍ତ୍ତି (୩୧)। କେନ୍ଦୁଝରର ଜଣେ ମହିଳାଙ୍କ ଅଭିଯୋଗ ଆଧାରରେ ପୋଲିସ କେସ୍ ନମ୍ବର ୫୮୭/୨୬ରେ ଏକ ମାମଲା ରୁଜୁ କରି ତାଙ୍କୁ ଗିରଫ କରିଛି।
ଅଭିଯୋଗ ଅନୁଯାୟୀ ଅଭିଯୁକ୍ତ ରାଜ କୁମାର, ପୂର୍ବତଟ ରେଳପଥର ଜାଲ ପରିଚୟପତ୍ର ଦେଖାଇ ବସନ୍ତପୁର ରେଳପଥର ଷ୍ଟେଶନ ମାଷ୍ଟର ଭାବରେ ନିଜକୁ ମିଥ୍ୟା ପରିଚୟ ଦେଉଥିଲେ। ଅଭିଯୋଗକାରୀଙ୍କ ସ୍ବାମୀ ଜଣେ ରେଳ କର୍ମଚାରୀ ହୋଇଥିବାରୁ, ଅଭିଯୁକ୍ତ ତାଙ୍କର ବିଶ୍ୱାସ ଜିତି ରେଳବିଭାଗର ଏକ କାମ ବାହାନାରେ ତାଙ୍କ ସ୍ବାମୀଙ୍କ ହିରୋ ସ୍ପେଣ୍ଡର ମୋଟରସାଇକେଲ ନମ୍ବର ଓଆର୍-୦୯-ଏଲ୍-୬୩୯୮) ନେଇଥିଲେ।
ପରେ ଅଭିଯୁକ୍ତ ବାରମ୍ବାର ଅଭିଯୋଗକାରୀଙ୍କ ସହିତ ଫୋନ୍ ମାଧ୍ୟମରେ ଯୋଗାଯୋଗ କରିଥିଲେ ଏବଂ ପାରିବାରିକ ଜରୁରୀକାଳିନ ପରିସ୍ଥିତିର ମିଥ୍ୟା କଥା କହି ଫୋନ୍ ପେ’ ମାଧ୍ୟମରେ ଟଙ୍କା ନେଇଥିଲେ। ମୋଟରସାଇକେଲ ବ୍ୟତୀତ ୨୭,୦୦୦ ଟଙ୍କା ଠକେଇ କରି ନେଇଯାଇଥିଲେ।
ଅଭିଯୋଗ ପାଇବା ପରେ ପୋଲିସ ଟାଉନ ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ତଦନ୍ତ ସମୟରେ କେନ୍ଦୁଝର ଟାଉନ ପୋଲିସ ଅନଲାଇନ ଟ୍ରାଞ୍ଜାକ୍ସନ ରେକର୍ଡ, ମୋବାଇଲ ଫୋନ୍ ଡାଟା, ବ୍ୟାଙ୍କ ରେକର୍ଡ ଏବଂ ଅନ୍ୟାନ୍ୟ ପ୍ରାସଙ୍ଗିକ ସାମଗ୍ରୀ ସମେତ ଡକ୍ୟୁମେଣ୍ଟାରୀ ଏବଂ ଡିଜିଟାଲ ପ୍ରମାଣ ସଂଗ୍ରହ କରିଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।