ଶୌଚ ପାଇଁ ଯାଇଥିବା ବେଳେ ଖସିଗଲା ଗୋଡ଼, ପୋଖରୀରେ ବୁଡ଼ି ଚାଲିଗଲା ଦିବ୍ୟାଙ୍ଗ ପଞ୍ଚାଙ୍କ ଜୀବନ
ଦିଗପହଣ୍ଡି/ପାଟପୁର,୨୧।୭(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ଗ୍ରାମ ଅଙ୍ଗେଇତ ବନ୍ଧ ପୋଖରୀରେ ବୁଡ଼ି ଜଣେ ଦିବ୍ୟାଙ୍ଗ ଯୁବକ ମୃତ୍ୟୁବରଣ କରିଛନ୍ତି । ମୃତକ ଜଣଙ୍କ ହେଲେ ପୋଡ଼ାମାରି ଗ୍ରାମ କୁମ୍ଭାର ସାହିର ପଞ୍ଚା ଜେନା(୫୧)। ମଙ୍ଗଳବାର ସକାଳେ ସେ ପୋଖରୀକୁ ଶୌଚ ପାଇଁ ଯାଇଥିଲେ। ପୋଖରୀ ହିଡରେ ପ୍ୟାଣ୍ଟ ଖୋଲୁ ଥିବା ବେଳେ ନିୟନ୍ତ୍ରଣ ହରାଇ ଗଭୀର ପାଣି ଭିତରକୁ ଖସି ଯାଇଥବା ସନ୍ଦେହ କରାଯାଉଛି।
ପଞ୍ଚା ପୋଖରୀକୁ ଯାଇ ନିଖୋଜ ହୋଇଯାଇଥିଲେ। ପରିବାରଲୋକେ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କ ସନ୍ଧାନ ମିଳି ନ ଥିଲା। ସକାଳ ପ୍ରାୟ ୭ ଟାରେ ପୋଖରୀରେ କିଛି ବ୍ୟକ୍ତି ଗାଧୋଉଥିବା ବେଳେ ଜଣେ ଯୁବକ ପାଣି ରେ ଭାସୁଥିବା ଦେଖିଥିଲେ। ପରେ ତାଙ୍କୁ ପୋଖରୀ ହିଡ଼କୁ ଅଣାଯାଇ ଚିହ୍ନଟ କରାଯିବା ପରେ ପରିବାରଲୋକଙ୍କୁ ଖବର ଦିଆଯାଇଥିଲା। ସମ୍ପର୍କୀୟ ଲୋକେ ତାଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଉପସ୍ଥିତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ପଞ୍ଚାଙ୍କ ପୁତୁରା ଶତ୍ରୁଘ୍ନ ଜେନା ଏତଲା ଦେବାପରେ ପାଟପୁର ଥାନା ଆଇଆଇସି ଦୀପ୍ତି ରଞ୍ଜନ ବେହେରା ଅପମୃତ୍ୟୁ ମାମଲା ନଂ.୧୪/୨୬ ଅନୁଯାୟୀ ମକଦ୍ଦମା ରୁଜୁ କରିଥିଲେ। ପୋଡ଼ାମାରି ଫାଣ୍ଡି ଏସଆଇ ପ୍ରଭାତ କୁମାର ବାଲିକାନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ଡାକ୍ତରଖାନାକୁ ପଠାଇଥିଲେ। ସେଠାରେ ବ୍ୟବଚ୍ଛେଦ କରାଯିବା ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଅପରାହ୍ନରେ ଶୋକାକୁଳ ପରିବେଶ ମଧ୍ୟରେ ଗାଁ ଶ୍ମଶାନରେ ତାଙ୍କ ଶେଷକୃତ୍ୟ କରାଯାଇଛି। ପଞ୍ଚା ଜଣେ ଅସହାୟ ଓ ଗରିବ ଶ୍ରେଣୀର ବ୍ୟକ୍ତି ହୋଇଥିବାରୁ ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।