ଲୋୟର ସୁକତେଲର ୩ ଗେଟ୍‌ ଖୋଲିଲା: ଛଡ଼ାଗଲା ପ୍ରଥମ ବନ୍ୟାଜଳ, ପାଣିଘେରରେ କୁମିଆପାଲି ଗ୍ରାମବାସୀ

Jul 26, 2026 - 15:36
ଲୋୟର ସୁକତେଲର ୩ ଗେଟ୍‌ ଖୋଲିଲା: ଛଡ଼ାଗଲା ପ୍ରଥମ ବନ୍ୟାଜଳ, ପାଣିଘେରରେ କୁମିଆପାଲି ଗ୍ରାମବାସୀ

ବଲାଙ୍ଗୀର,୨୬ା୭(ସୁନିଲ କୁମାର ମହାନ୍ତି): ଉପରମୁଣ୍ଡରେ ପ୍ରବଳ ଲଗାଣ ବର୍ଷା ଯୋଗୁ ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମର ୩ଟି ଗେଟ୍‌ ଖୋଲାଯାଇଛି। ରବିବାର ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଡ୍ୟାମ୍‌ରୁ ଛଡ଼ା ଯାଇଛି। ଚଳିତ ବର୍ଷ ଡ୍ୟାମ୍‌ରେ ପୂର୍ଣ୍ଣ କ୍ଷମତା ପର୍ଯ୍ୟନ୍ତ ପାଣି ରଖାଯିବ ବୋଲି କୁହାଯାଉଥିଲା। ଶନିବାର ରାତିରେ ସୁକତେଲ ନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ହୋଇଥିଲା। ଫଳରେ ସୁକତେଲ ଡ୍ୟାମ ଜଳଭଣ୍ଡାରରେ କ୍ଷୀପ୍ର ଗତିରେ ଜଳସ୍ତର ବୃଦ୍ଧି ପାଇଥିଲା। ରାତିରେ ଜଳଭଣ୍ଡାର ଭିତରେ ଥିବା କୁମିଆପାଲି ଗାଁର ସୁଦନ ବରିହା ଓ ଜଗବନ୍ଧୁ ବରିହା ଘରେ ଶୋଇଥିବା ବେଳେ ଡ୍ୟାମ୍‌ ଠେଲା ପାଣି ଘର ଭିତରକୁ ପଶିଯାଇଥିଲା। ଏଭଳି ଖବର ମିଳିବା ପରେ ଲୋୟର ସୁକତେଲ ପ୍ରକଳ୍ପ କର୍ତ୍ତୃପକ୍ଷ ରବିବାର ସୁକତେଲ ଡ୍ୟାମର ୩ଟି ଗେଟ ଖୋଲିଥିବା ଜଣାପଡ଼ିଛି। ସାଇରନ ବାଜିବା ପରେ ଡ୍ୟାମର ତିନୋଟି ଗେଟ୍‌ ଖୋଲାଯାଇଛି ଓ ଡ୍ୟାମରୁ ପାଣି ଛଡ଼ାଯାଇଛି।

ମିଳିଥିବା ସୂଚନାନୁଯାୟୀ, ସୁକତେଲ ଜଳଭଣ୍ଡାରକୁ ଏବେ ପ୍ରବଳ ମାତ୍ରାରେ ଜଳ ପ୍ରବେଶ କରୁଛି। ଏହାକୁ ଦୃଷ୍ଟିରେ ରଖି ଲୋୟର ସୁକତେଲ ଡ୍ୟାମ କର୍ତ୍ତୃପକ୍ଷ ତିନୋଟି ଗେଟ୍‌ ଖୋଲି ଦେଇଛନ୍ତି। ଏଥିରେ ୫୦୦ କ୍ୟୁବିକ୍‌ ମିଟର ପାଣି ଛଡ଼ାଯାଉଛି। ସ୍ଥିତି ଉପରେ ନଜର ରଖାଯାଇଛି ଓ ପାଣି ଘେରରେ ଥିବା କୁମିଆପାଲି ଗାଁର ଲୋକଙ୍କୁ ଉଚ୍ଚ ସ୍ଥାନକୁ ନିଆଯାଇଛି ବୋଲି ଲୋୟର ସୁକତେଲ ପ୍ରକଳ୍ପ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁରେନ୍ଦ୍ର ଭୋଇ ସୂଚନା ଦେଇଛନ୍ତି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।