ରାଜଧାନୀରେ ଯୁବକଙ୍କୁ ବୀଭତ୍ସ ହତ୍ୟା: ପରିବାର ଲୋକଙ୍କ ଆଗରେ ପିଟିପିଟି …
ଭୁବନେଶ୍ୱର,୨୯।୬: ରାଜଧାନୀ ଭୁବନେଶ୍ୱରରେ ଘଟିଛି ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡ। ଖଣ୍ଡଗିରି ଥାନା ଅନ୍ତର୍ଗତ କୋଳଥିଆ ଛକ ନିକଟରେ ବିଳମ୍ବିତ ରାତିରେ ତିନିଜଣ ମୁଖାପିନ୍ଧା ଦୁର୍ବୃତ୍ତ ଜଣେ ଯୁବକଙ୍କୁ ତାଙ୍କ ପରିବାର ଲୋକଙ୍କ ସାମ୍ନାରେ ଅତି ନିର୍ମମ ଭାବେ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।
ସୂଚନା ଅନୁସାରେ, ବିଳମ୍ବିତ ରାତିରେ ତିନିଜଣ ମୁଖାପିନ୍ଧା ଦୁର୍ବୃତ୍ତ ହଠାତ୍ ଯୁବକଙ୍କ ଘର ନିକଟରେ ପହଞ୍ଚି ତାଙ୍କୁ ଟାର୍ଗେଟ କରିଥିଲେ। ପରିବାର ଲୋକେ ବାଧା ଦେବାକୁ ଚେଷ୍ଟା କରିଥିଲେ ମଧ୍ୟ ଦୁର୍ବୃତ୍ତମାନେ ସେମାନଙ୍କୁ ଧମକ ଦେଇ ଯୁବକଙ୍କୁ ଲୁହା ରଡ୍ ଓ ଅନ୍ୟାନ୍ୟ ମାରଣାସ୍ତ୍ରରେ ନିର୍ଦ୍ଦୟ ଭାବେ ପିଟିଥିଲେ। ଗୁରୁତର ଆହତ ଅବସ୍ଥାରେ ଯୁବକଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲେ ମଧ୍ୟ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।
ପ୍ରାଥମିକ ତଦନ୍ତରୁ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ଏହା ପଛରେ ସୁପାରି କିଲରଙ୍କ ହାତ ଥାଇପାରେ ବୋଲି ପୋଲିସ ମଧ୍ୟ ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଛି। ତେବେ ହତ୍ୟାର ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିବା ବେଳେ ସମସ୍ତ ସମ୍ଭାବ୍ୟ ଦିଗକୁ ନେଇ ତଦନ୍ତ ଜାରି ରହିଛି।
ଘଟଣାର ସୂଚନା ପାଇ ଖଣ୍ଡଗିରି ଥାନା ପୋଲିସ , ସାଇଣ୍ଟିଫିକ୍ ଟିମ୍ ଓ ଡିସିପି ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛନ୍ତି। ଘଟଣାସ୍ଥଳରୁ ବିଭିନ୍ନ ସାକ୍ଷ୍ୟ ପ୍ରମାଣ ସଂଗ୍ରହ କରାଯାଇଥିବା ବେଳେ ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ ଯାଞ୍ଚ କରାଯାଉଛି। ଦୁର୍ବୃତ୍ତମାନଙ୍କୁ ଚିହ୍ନଟ କରି ଗିରଫ କରିବା ପାଇଁ ପୋଲିସ ସ୍ୱତନ୍ତ୍ର ଟିମ୍ ଗଠନ କରି ତଦନ୍ତ ଜୋରଦାର କରିଛି।
ଏହି ନିର୍ମମ ହତ୍ୟାକାଣ୍ଡ ପରେ କୋଳଥିଆ ଅଞ୍ଚଳରେ ଭୟ ଓ ଉତ୍ତେଜନାର ପରିବେଶ ସୃଷ୍ଟି ହୋଇଛି। ଦିନଦ୍ୱିପ୍ରହର ହେଉ କିମ୍ବା ବିଳମ୍ବିତ ରାତି, ରାଜଧାନୀରେ ଏଭଳି ଅପରାଧିକ ଘଟଣାକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଚିନ୍ତା ବଢ଼ିଛି।