ରାଜଧାନୀରୁ ନକଲି ପୋଲିସକୁ ଗିରଫକଲା ଅସଲି ପୋଲିସ: ୫ ବର୍ଷରେ ଗିରଫ ହେଲେଣି ୪୫
ଭୁବନେଶ୍ୱର,୧୧।୭(ତ୍ରିନାଥ ମହାନ୍ତି):ରାଜଧାନୀରୁ ପୁଣି ଗିରଫ ହୋଇଛନ୍ତି ଆଉ ଜଣେ ନକଲି ପୋଲିସ ଅଫିସର। ନିଜକୁ ଆଡିଶନାଲ ଏସ୍ପି ପରିଚୟ ଦେଇ ଧମକାଇବା ସହ ଠକୁଥିଲେ। ପୁରୁଣା ଏକ ମାମଲାରେ ପୋଲିସ ଖୋଳତାଡ଼ କରିବା ପରେ ନକଲି ପୋଲିସ ବାବୁଙ୍କ କାରନାମା ଧରାପଡ଼ିଥିଲା। ଏନେଇ ଖାରବେଳନଗର ଥାନା ପୋଲିସ କେସ୍ ନଂ.୨୯୮/୨୬ରେ ଏକ ମାମଲା ରୁଜୁକରି ନକଲି ପୋଲିସ ଅଧିକାରୀ ରଜନୀକାନ୍ତ ମହାନ୍ତିଙ୍କୁ ଗିରଫ କରିଛି। ତାଙ୍କ ଘର କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଅଞ୍ଚଳରେ। ତାଙ୍କ କଥାବାର୍ତ୍ତା ଠିକ୍ ରହୁ ନ ଥିବାରୁ ପୋଲିସ ତାଙ୍କର ଅସଲ ପରିଚୟ ଖୋଜୁଛି। ଜବତ ହୋଇଥିବା ନକଲି ଆଇକାର୍ଡ ଏବଂ ଆଧାର, ପ୍ୟାନ୍ କାର୍ଡ ଆଧାରରେ ତାଙ୍କର ଠିକଣା ଖୋଜୁଛି।
ପୋଲିସ ସୂଚନା ଅନୁସାରେ, ଅଭିଯୁକ୍ତ ରଜନୀକାନ୍ତ ଖାରବେଳନଗର ଥାନା ୟୁନିଟ୍-୩ ଅଞ୍ଚଳରେ ପରିବାର ସହ ଭଡ଼ାରେ ରହୁଥିଲେ। ଉକ୍ତ ଅଞ୍ଚଳରେ ସେ ନିଜକୁ ଆଡିଶନାଲ ଏସ୍ପି(ଅତିରିକ୍ତ) କହି ଦୋକାନୀଙ୍କୁ ଧମକାଇ ମାଗଣା ମଟନ, ଚିକେନ୍, ଚିଙ୍ଗୁଡ଼ି ଆଣୁଥିଲେ। ଏପରିକି ଉକ୍ତ ଅଞ୍ଚଳରେ ଠେଲାଗାଡ଼ି କରି ବିକ୍ରି କରୁଥିବା ଦୋକାନୀଙ୍କୁ ମଧ୍ୟ ଛାଡୁ ନ ଥିଲେ। ଗତ ମେ’ ୧୧ରେ ରଜନୀକାନ୍ତ ରହୁଥିବା ଘର ନିକଟରେ ଡ୍ରେନ୍ କାମ କରାଯାଉଥିଲା। ଫଳରେ ଅଭିଯୋଗକାରୀ ସୁଜିତ କୁମାର ନାୟକ ତାଙ୍କ ଘର ନିକଟକୁ ଯାଇ ନ ପାରି ରଜନୀକାନ୍ତଙ୍କ ଘର କାନ୍ଥ କଡ଼କୁ ତାଙ୍କ କାର ପାର୍କିଂ କରିଥିଲେ। ଅଭିଯୁକ୍ତ ରଜନୀକାନ୍ତ ଆସିବା ପରେ ଘର କାନ୍ଥ କଡ଼ରେ ଗାଡ଼ି ପାର୍କିଂ ହୋଇଥିବା ଦେଖି ରାଗିଯାଇଥିଲେ। ଏକ ଲୁହାରଡ଼ ଆଣି କାରର କାଚ ଭାଙ୍ଗି ଦେଇଥିଲେ। ଏପରିକି ନିଜକୁ ଆଡିଶନାଲ ଏସ୍ପି କହି ଧମକାଇଥିଲେ। ସୁଜିତ କିଛି ବାଟ ନ ପାଇ ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ। ପୋଲିସ କେସ୍ ନଂ.୨୯୮/୨୬ରେ ମାମଲା ରୁଜୁକରି ତଦନ୍ତ କରିଥିଲା। ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଏହାକୁ ପୋଲିସ ଡିଜି ଗୁରୁତ୍ୱର ସହ ନେଇ ଖାରବେଳନଗର ଥାନା ଅଧିକାରୀଙ୍କୁ ଉକ୍ତ ଅତିରିକ୍ତ ଏସ୍ପି କିଏ ଚିହ୍ନଟ କରି କହିବାକୁ ନିର୍ଦ୍ଦେଶ ଦେଇଥିଲେ। ଥାନା ଅଧିକାରୀ ରଜନୀକାନ୍ତଙ୍କୁ ଫୋନ୍ କରିଥିଲେ ମଧ୍ୟ ସେ ଡିଜିପି ଅଫିସ୍ରେ ଥିବା କହି ଯାଇପାରିବେ ନାହିଁ ବୋଲି କହିଥିଲେ। ଏପରିକି ପୋଲିସକୁ ଭୁଅଁା ବୁଲାଇଥିଲେ। ପୋଲିସ ତାଙ୍କୁ ଗିରଫ କରିବା ପାଇଁ ଖୋଜାଖୋଜି କରିବା ଜାଣି ରାଜନୈତିକ ଚାପ ପକାଇଥିଲେ। ପୋଲିସ ରଜନୀକାନ୍ତଙ୍କ ଘରକୁ ଯାଇ ରେଡ୍ କରିଥିଲେ ମଧ୍ୟ ପରିବାର ଲୋକ ମଧ୍ୟ ସେ ଆଡିଶନାଲ ଏସ୍ପି ଥିବା କହିଥିଲେ। ଶେଷରେ ଗୁରୁବାର ବିଳମ୍ବିତ ରାତିରେ ପାତ୍ରପଡ଼ା ଅଞ୍ଚଳରେ ବୁଲୁଥିବା ବେଳେ ପୋଲିସ ତାଙ୍କୁ କାବୁ କରିଥିଲା। ତାଙ୍କୁ ଯାଞ୍ଚ କରିବା ପରେ ତାଙ୍କ ନିକଟରେ ଥିବା ନକଲି ଆଇକାର୍ଡକୁ ସେ ତୁରନ୍ତ ପାଟିରେ ପୂରାଇ ଗିଳିଦେବାକୁ ଚେଷ୍ଟା କରିଥିଲେ। ପୋଲିସ ଟିମ୍ ତାଙ୍କ ପାଟିରେ ହାତ ପୂରାଇ ଆଇକାର୍ଡ ଜବତ କରିବା ସହ ଯାଞ୍ଚ ପରେ ତାହା ନକଲି ଥିବା ଜଣାପଡ଼ିଥିଲା।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।