ଇରାନକୁ ଟ୍ରମ୍ପଙ୍କ ୨୪ ଘଣ୍ଟାର ଅଲ୍ଟିମେଟମ ଦେଲେ ଟ୍ରମ୍ପ: ନ ମାନିଲେ ଭୟଙ୍କର ହେବ ପରିଣାମ
ଓ୍ବାଶିଂଟନ୍,୧୧।୭: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ତିକ୍ତତା ଏବେ ଏକ ଅତି ବିପଜ୍ଜନକ ମୋଡ଼ରେ ପହଞ୍ଚିଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆମେରିକାର ଟ୍ରମ୍ପ ପ୍ରଶାସନ ଇରାନକୁ ୨୪ ଘଣ୍ଟାର ଏକ କଡ଼ା ଚେତାବନୀ ବା ଅଲ୍ଟିମେଟମ ଦେଇଛି । ଷ୍ଟ୍ରେଟ ଅଫ ହର୍ମୁଜ (Strait of Hormuz) ଦେଇ ଯାତାୟାତ କରୁଥିବା ସମସ୍ତ ବ୍ୟବସାୟିକ ଜାହାଜଗୁଡ଼ିକର ସୁରକ୍ଷା ଏବଂ ସେମାନଙ୍କ ଉପରେ ହେଉଥିବା ଆକ୍ରମଣକୁ ତୁରନ୍ତ ବନ୍ଦ କରିବା ପାଇଁ ଆମେରିକା ଦାବି କରିଛି । ଇରାନ ଏହି ସାମୁଦ୍ରିକ ମାର୍ଗକୁ ସମ୍ପୂର୍ଣ୍ଣ ଖୋଲା ରଖିବା ନେଇ ସାର୍ବଜନୀନ ଭାବେ ଘୋଷଣା କରୁ ବୋଲି ଆମେରିକା ସ୍ପଷ୍ଟ କରିଛି ।
ରିପୋର୍ଟ ମୁତାବକ, ଯଦି ଇରାନ ନିର୍ଦ୍ଧାରିତ ସମୟ ମଧ୍ୟରେ ଏହି ପ୍ରତିଶ୍ରୁତି ନଦିଏ, ତେବେ ତାକୁ ଏହାର ଭୟଙ୍କର ପରିଣାମ ଭୋଗିବାକୁ ପଡ଼ିବ ବୋଲି ଆମେରିକୀୟ ଅଧିକାରୀମାନେ ଚେତାବନୀ ଦେଇଛନ୍ତି । ଏହି ବାର୍ତ୍ତା କେବଳ ସିଧାସଳଖ ନୁହେଁ, ବରଂ ଆଞ୍ଚଳିକ ମଧ୍ୟସ୍ଥିମାନଙ୍କ ଜରିଆରେ ମଧ୍ୟ ଇରାନ ପାଖକୁ ପଠାଯାଇଛି । ଜଣେ ବରିଷ୍ଠ ଆମେରିକୀୟ ଅଧିକାରୀ କହିଛନ୍ତି, “ଯଦି ଆସନ୍ତାକାଲି ସୁଦ୍ଧା ଇରାନ ଏହି ପ୍ରସଙ୍ଗରେ ନିଜର ଆଧିକାରିକ ଆଭିମୁଖ୍ୟ ସ୍ପଷ୍ଟ ନକରେ, ତେବେ ଆଗକୁ ତା’ ପାଇଁ ଦିନ ଆଦୌ ଭଲ ରହିବ ନାହିଁ” ।
ସୂଚନାଯୋଗ୍ୟ ଯେ, ମାତ୍ର କିଛି ସପ୍ତାହ ପୂର୍ବରୁ ଦୁଇ ଦେଶ ମଧ୍ୟରେ ଏକ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା, ଯାହାକୁ ଉଲ୍ଲଂଘନ କରି ଇରାନ ପୁଣିଥରେ ବ୍ୟବସାୟିକ ଜାହାଜଗୁଡ଼ିକ ଉପରେ ଆକ୍ରମଣ କରିଛି । ଏହାର ଜବାବରେ ଆମେରିକା ଇରାନର ଏକାଧିକ ସାମରିକ ଘାଟି ଉପରେ ଏୟାରଷ୍ଟ୍ରାଇକ ମଧ୍ୟ କରିସାରିଛି । ବିଶ୍ୱର ମୋଟ ଅଶୋଧିତ ତୈଳ ପରିବହନର ଏକ ବଡ଼ ଭାଗ ଏହି ଷ୍ଟ୍ରେଟ ଅଫ ହୋର୍ମୁଜ ଦେଇ ଯାଉଥିବାରୁ, ଏହି ବିବାଦ ଯୋଗୁଁ ଆନ୍ତର୍ଜାତୀୟ ବଜାର ଏବଂ ବାଣିଜ୍ୟ ବ୍ୟବସାୟ ଗମ୍ଭୀର ଭାବେ ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି ।
Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।