ଆର୍ଆଇ କାର୍ଯ୍ୟାଳୟର ପାଚେରି ଭାଙ୍ଗିଲା, ସୁରକ୍ଷା ନେଇ ଚିନ୍ତା
କର୍ଲାମୁଣ୍ଡା,୧୧ା୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ରାଜସ୍ବ ନିରୀକ୍ଷକ (ଆର୍.ଆଇ.) କାର୍ଯ୍ୟାଳୟର ପାଚେରିର ଏକ ବଡ଼ ଅଂଶ ଭାଙ୍ଗିପଡ଼ିଛି। ଫଳରେ କାର୍ଯ୍ୟାଳୟ ପରିସରର ସୁରକ୍ଷା ବ୍ୟବସ୍ଥା ପ୍ରଭାବିତ ହୋଇଥିବା ସହ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚିନ୍ତା ପ୍ରକାଶ ପାଇଛି। ଲୋକଙ୍କ କହିବା ଅନୁସାରେ, ପାଚେରି ଦୀର୍ଘଦିନ ଧରି ଦୁର୍ବଳ ଅବସ୍ଥାରେ ଥିଲା। ବର୍ଷା ଯୋଗୁ ମାଟି ଧସିବା ଏବଂ ପାଚେରିର ଭିତ୍ତି ଦୁର୍ବଳ ହୋଇଯିବାରୁ ଏହା ଭାଙ୍ଗିପଡ଼ିଥିବା ସନ୍ଦେହ କରାଯାଉଛି।
ପାଚେରି ଭାଙ୍ଗିଯିବା ଫଳରେ କାର୍ଯ୍ୟାଳୟ ପରିସରରେ ଅବାଧ ପ୍ରବେଶର ଆଶଙ୍କା ସୃଷ୍ଟି ହୋଇଛି। ସେହିଭଳି ଏହି କାର୍ଯ୍ୟାଳୟର ଅନ୍ୟ ପାର୍ଶ୍ୱରେ ଥିବା ପାଚେରିଗୁଡ଼ିକ ମଧ୍ୟ ଭଗ୍ନ ଅବସ୍ଥାରେ ଥିବାବେଳେ କାର୍ଯ୍ୟାଳୟକୁ ଯିବା ପାଇଁ ସ୍ଥାୟୀ ରାସ୍ତାଟି ମଧ୍ୟ ନାହିଁ। ଏନେଇ ତହସିଲଦାର ଅରୁଣ କୁମାର ବାର୍ଗେଙ୍କୁ ପଚାରିବାରୁ ପାଚେରି ନିର୍ମାଣ ଓ ରାସ୍ତା ନିର୍ମାଣ ପାଇଁ ଆର୍ଡି ବିଭାଗକୁ ଚିଠି କରାଯିବ ବୋଲି କହିଛନ୍ତି। ସରକାରୀ ସମ୍ପତ୍ତିର ସୁରକ୍ଷା ଦୃଷ୍ଟିରୁ ତୁରନ୍ତ ପାଚେରିର ପୁନଃନିର୍ମାଣ ପାଇଁ ସ୍ଥାନୀୟ ଲୋକ ପ୍ରଶାସନର ହସ୍ତକ୍ଷେପ ଦାବି କରିଛନ୍ତି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।