‘ଯୁବ ସମାଜକୁ ନିଶାଠାରୁ ଦୂରେଇ ରଖିବା ପାଇଁ ସକାରାତ୍ମକ ପଦକ୍ଷେପର ରହିଛି ଆବଶ୍ୟକତା’
ଭଞ୍ଜନଗର,୨ା୮(ବାବୁଲା ପ୍ରଧାନ): ସମସ୍ତଙ୍କ ସହଯୋଗ ଓ ସାମୂହିକ ପ୍ରୟାସ ରହିଲେ ଏକ ନିଶାମୁକ୍ତ ଭାରତ ଗଠନ ସମ୍ଭବ। ବିଶେଷକରି ଯୁବ ସମାଜକୁ ନିଶାଠାରୁ ଦୂରେଇ ରଖିବା ପାଇଁ ଜନସଚେତନତା ଓ ସକାରାତ୍ମକ ପଦକ୍ଷେପର ଆବଶ୍ୟକତା ରହିଛି ବୋଲି ଭଞ୍ଜନଗର ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଶାଖା ପକ୍ଷରୁ ଆୟୋଜିତ ନିଶାମୁକ୍ତ ଭାରତ ଅଭିଯାନର ଶୁଭାରମ୍ଭ କାର୍ଯ୍ୟକ୍ରମରେ ବକ୍ତାମାନେ ତାହା ମତବ୍ୟକ୍ତ କରିଛନ୍ତି। କେନ୍ଦ୍ରର ମୁଖ୍ୟ ସନ୍ତୋଷିନୀ ଭଉଣୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଚେତନତା ସଭାରେ ସେ କହିଥିଲେ ଯେ, ଆଜିର ଦିନରେ ବିଶେଷକରି ଯୁବପିଢ଼ି ନିଶା ସେବନ ଆଡ଼କୁ ଆକର୍ଷିତ ହେବା ଚିନ୍ତାଜନକ ବିଷୟ। ସେହିପରି ସୋସିଆଲ ମିଡିଆ ଓ ମୋବାଇଲର ଅପବ୍ୟବହାର ଯୁବ ସମାଜ ଉପରେ ନକାରାତ୍ମକ ପ୍ରଭାବ ପକାଉଛି। ତେଣୁ ଆଧୁନିକ ଜ୍ଞାନକୌଶଳର ସଦୁପଯୋଗ କରି ଯୁବପିଢ଼ିଙ୍କୁ ସଠିକ ଦିଗରେ ଆଗେଇ ନେବାକୁ ପଡ଼ିବ ବୋଲି ସେ ମତ ଦେଇଥିଲେ।
କାର୍ଯ୍ୟକ୍ରମରେ ଭାଜପା ନେତା ସନ୍ତୋଷ ତିଆଡ଼ି, ସାଇ ଗୁରୁକୁଳର ପ୍ରଧାନଶିକ୍ଷକ ପଞ୍ଚାନନ ସାହୁ ଓ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସନ୍ତୋଷ ଗୌଡ଼ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଯୁବ ସମାଜ ସଚେତନ ହେଲେ ଦେଶରେ ପରିବର୍ତ୍ତନ ଆସିବା ସହ ଦେଶ ଆଗକୁ ବଢ଼ିବ ବୋଲି ଅତିଥିମାନେ କହିଥିଲେ। ବୈକୁଣ୍ଠ ଭାଇ ଧନ୍ୟବାଦ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ଅନିତା, ପିଙ୍କି, ଅଲିଭା, ପ୍ରାପ୍ତି ପ୍ରମୁଖ ସହଯୋଗ କରିଥିଲେ। ଏହି ଅବସରରେ ନିଶା ନିବାରଣ ଉପରେ ଏକ ନାଟକ ପରିବେଷଣ ହୋଇଥିଲା।
ସୂଚନାଯୋଗ୍ୟ, ଆସନ୍ତା ୬ରୁ ୨୦ ତାରିଖ ପର୍ଯ୍ୟନ୍ତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଭଞ୍ଜନଗର ଅଞ୍ଚଳର ବିଭିନ୍ନ ଗ୍ରାମରେ ନିଶାମୁକ୍ତ ଭାରତ ଅଭିଯାନ ନେଇ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଯୁବପିଢ଼ିଙ୍କୁ ନିଶାଠାରୁ ଦୂରେଇ ରଖି ଏକ ସୁସ୍ଥ ଓ ନିଶାମୁକ୍ତ ସମାଜ ଗଠନ କରିବା ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ ରହିଛି। ତେଣୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉକ୍ତ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।