ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୫ ଅସୁସ୍ଥ, ମେଡିକାଲରେ ଭର୍ତ୍ତୀ
କଲ୍ୟାଣସିଂହପୁର,୪।୭(ଦୀପକ କୁମାର ପରିଡା): କଲ୍ୟାଣସିଂହପୁର ବ୍ଲକ ସୀମାନ୍ତ କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ବିଜେପୁର ପଞ୍ଚାୟତ ଫୁକେର ଗାଁରେ ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୫ଜଣ ଅସୁସ୍ଥ ହୋଇପଡ଼ିଥିବା ଘଟଣା ସାମ୍ନାକୁ ଆସିଛି।
ସମସ୍ତଙ୍କୁ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ବର୍ତ୍ତମାନ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ଅସୁସ୍ଥମାନେ ହେଲେ ନୀଳ ମାଝୀ(୪୦) ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ମାଝୀ(୩୫) ଏବଂ ସେମାନଙ୍କ ୩ ସନ୍ତାନ ହାୟସୀ ମାଝୀ(୧୦), ଶିବୁ ମାଝୀ(୮) ଓ ଶିବ ମାଝୀ(୬)।
ମିଳିଥିବା ସୂଚନା ମୁତାବକ, ପରିବାର ସଦସ୍ୟମାନେ ପାଳ ଛତୁ ସଂଗ୍ରହ କରି ଘରେ ଆଣି ରୋଷେଇ କରି ସନ୍ଧ୍ୟାରେ ଖାଇଥିଲେ। ଛତୁ ଖାଇବାର କିଛି ସମୟ ପରେ ସମସ୍ତଙ୍କର ବାନ୍ତି ହେବା ସହ ପେଟ ବ୍ୟଥା ଓ ମୁଣ୍ଡ ବୁଲାଇଥିଲା। ପରିବାର ଲୋକ ଏକ ଅଟୋରେ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆସିଥିଲେ। ସେଠାରେ କାର୍ଯ୍ୟରତ ଡାକ୍ତର ସମସ୍ତଙ୍କ ପ୍ରାଥମିକ ଚିକିତ୍ସା କରିଥିଲେ। ଚିକିତ୍ସା ପରେ ସେମାନଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡିଛି।
The post ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୫ ଅସୁସ୍ଥ, ମେଡିକାଲରେ ଭର୍ତ୍ତୀ appeared first on Dharitri Odia News.