ପାଠପଢ଼ା ବୟସରେ ହାତରେ ବନିଶୀ କଣ୍ଟା, ମାଛ ମାରି ପେଟ ପୋଷୁଛନ୍ତି ଜନଜାତି ପିଲା
ମହାକାଳପଡ଼ା,୨ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଶବରପଡ଼ା, ଜଙ୍ଗଲଘେରି, ବାଘୁଆମେଦି, ଜମ୍ବୁ , ସୁନିତି ଅଠର ବାଙ୍କି ଓ ପାଣିଖିଆ ଜନଜାତିଙ୍କ ବାଧକ ସାଜିଛି ଦାରିଦ୍ର୍ୟ। ଯେଉଁ ବୟସରେ ପିଲାମାନେ ପାଠ ପଢିବା କଥା ସେ ବୟସରେ ସେମାନେ ନଦୀ ନାଳରୁ ମାଛ ଓ କଙ୍କଡା ଧରି ତାକୁ ବିକ୍ରି କଲେ ପରିବାର ପ୍ରତିପୋଷଣ ହେଉଛି । ଫଳରେ ପାଠକୁ କିଏ ପଚାରୁଛି । ସରକାରୀ ଜଙ୍ଗଲ ଜମିରେ ପିଢ଼ି ପରେ ପିଢ଼ି ବାସ କରନ୍ତି। ଏମାନଙ୍କ ପୂର୍ବ ବଂଶଧର ଦାରିଦ୍ର୍ୟ ନିରକ୍ଷର ସାନ୍ତାଳୀ ଭୂମିଜ ଶବର ସମ୍ପ୍ରଦାୟର। ରାତି ପାହିଲେ ତୋରାଣି ପିଇ ହାତରେ ବନିଶୀ କଣ୍ଟା, ବାଗିଆ ଜାଲ ଓ କାଠ କିଳା ଧରି ନିକଟ ଜଙ୍ଗଲ ପାଖରେ ଥିବା ନଦୀ ନାଳରେ ମାଛ କଙ୍କଡ଼ା ଧରି ବିକ୍ରି କରି ପରିବାର ପୋଷନ୍ତି। ବେଳେ ବେଳେ ଏମାନେ ମାଛ କଙ୍କଡ଼ା ଧରି ନିକଟ ମୁଖ୍ୟ ରାସ୍ତାରେ ପଥଚାରୀମାନଙ୍କୁ ବିକ୍ରି କରିବା ଦେଖିବାକୁ ମିଳୁଛି। ଏକ ସପ୍ତାହ ପୂର୍ବେ ପ୍ରଭାକରପୁର-ରାମନଗର ଓ ଖରୀନାସି ମୁଖ୍ୟ ରାସ୍ତାରେ କେତେଜଣ ପିଲାଙ୍କୁ କାହିଁକି ପାଠ ପଢିବା ପାଇଁ ସ୍କୁଲ ଯାଉନ ବୋଲି ପଚାରିବାରୁ ସେମାନେ କୋହ ଭରା କଣ୍ଠ ଓ ଲାଜେଇ ଯାଇ କହିଲେ ବାବୁ ଘରେ ଅଭାବ ଯୋଗୁ ଖାଇବାକୁ ମୁଠେ ନାହିଁ, ପାଠକୁ ପଚାରେ କିଏ? ରାତି ପାହିଲେ ଦୁଇ ପଇସା ରୋଜଗାର କରିବାକୁ ପଡ଼େ ବୋଲି କହିଛନ୍ତି। ଅପର ପକ୍ଷରେ ମା’ ବାପା ନିରକ୍ଷର ଯୋଗୁ ଏମାନଙ୍କ ପାଠକୁ ଗୁରୁତ୍ୱ ଦେଉନାହାନ୍ତି ବୋଲି କୁହାଯାଉଛି। ମା’ ବାପା ପର ଘରେ ମୂଲ ମଜୁରି ଲାଗି ରୋଜଗାର କରନ୍ତି। ଏମାନଙ୍କ ଜୀବନ ଶୈଳୀ ଖୁବ୍ ନିଆରା। ମୁଣ୍ଡ ଗୁଞ୍ଜିବାକୁ ପକ୍କା ଘର ନାହିଁ। ଚାଳ ଛପର ଘରେ ଜୀବନ ବିତାଉଛନ୍ତି ଏହି ଜନଜାତି ସମ୍ପ୍ରଦାୟ ଲୋକମାନେ। ସରକାର ଶିକ୍ଷା କ୍ଷେତ୍ରରେ ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି। ପାଠ ପଢିବା ପାଇଁ ଏମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସ୍ଥାନୀୟ ଶିକ୍ଷାବିତ୍ମାନଙ୍କ ମଧ୍ୟରେ ନିରାକାର ଜେନା, ନାରାୟଣ ପଣ୍ଡା,ପ୍ରତାପ ସାମନ୍ତରାୟ ଓ ପୀତାମ୍ବର ମଲ୍ଲଙ୍କ ସମେତ ଅନ୍ୟ କେତେଜଣ ବୁଦ୍ଧିଜୀବୀ ଦାବି କରିଛନ୍ତି।