ଲଗାଣ ବର୍ଷା: ଏହି ଜିଲାରେ ୨ ଦିନ ସ୍କୁଲ ଛୁଟି ଘୋଷଣା

Jul 02, 2026 - 12:18
ଲଗାଣ ବର୍ଷା: ଏହି ଜିଲାରେ ୨ ଦିନ ସ୍କୁଲ ଛୁଟି ଘୋଷଣା

ଫୁଲବାଣୀ,୨।୭(ରାକେଶ କୁମାର ରାଉତ): ସାରା ରାଜ୍ୟରେ ଗତ ୨ ଦିନ ହେବ ବର୍ଷା ଲାଗି ରହିଛି। ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲାରେ ୨ ଦିନ ସ୍କୁଲ ଛୁଟି ଘୋଷଣା କରିଛନ୍ତି ଜିଲାପାଳ। ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ନିର୍ଦ୍ଦେଶ ଦିଆଯାଇଛି।
ସୂଚନାଯୋଗ୍ୟ, ରାଜ୍ୟରେ ଲଗାଣ ମୌସୁମୀ ବର୍ଷା ଜାରି ରହିଥିବାବେଳେ ସହରାଞ୍ଚଳରେ ଜଳବନ୍ଦୀ ଓ ଜଳ ଜମିବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା (ୟୁଏଲ୍‌ବି)କୁ ହାଇଆଲର୍ଟରେ ରହିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ବିଭାଗ ଓ ସମସ୍ତ ୟୁଏଲ୍‌ବିକୁ ଯେ କୌଣସି ବର୍ଷାଜନିତ ପରିସ୍ଥିତିର ମୁକାବିଲା ପାଇଁ ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ କହିଛନ୍ତି। ନାଗରିକଙ୍କ ସୁରକ୍ଷା ଏବଂ ନିରବଚ୍ଛିନ୍ନ ସେବା ଯୋଗାଣ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା। ତେଣୁ ଜରୁରୀ ପରିସ୍ଥିତିରେ ତୁରନ୍ତ ପଦକ୍ଷେପ ନେବା ପାଇଁ ସମସ୍ତ ୟୁଏଲ୍‌ବିକୁ ସଜାଗ ଓ ସତର୍କ ରହିବା ଆବଶ୍ୟକ ବୋଲି ମନ୍ତ୍ରୀ କହିଛନ୍ତି। ମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ବିଭାଗ ପକ୍ଷରୁ ସମସ୍ତ ମହାନଗର ନିଗମ, ପୌରପାଳିକା ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦକୁ ପରାମର୍ଶ ଜାରି କରାଯାଇଛି। ଚିହ୍ନଟ ହଟ୍‌ସ୍ପଟ୍‌ ଓ ନିମ୍ନାଞ୍ଚଳରେ ଜଳବନ୍ଦୀ ଏବଂ ଜଳ ଜମିବାକୁ ରୋକିବା ପାଇଁ ସମସ୍ତ ପ୍ରତିଷେଧକ ପଦକ୍ଷେପ ନେବାକୁ କୁହାଯାଇଛି। ସେହିପରି ୨୪ ଘଣ୍ଟିଆ ପରିସ୍ଥିତି ନିରୀକ୍ଷଣ, ରାପିଡ ଆକ୍ସନ ଟିମ୍‌ଗୁଡିକୁ ପୂର୍ଣ୍ଣ ସକ୍ରିୟ ରଖିବା, ପମ୍ପ ଓ ଡି-ୱାଟରିଂ ଉପକରଣକୁ କାର୍ଯ୍ୟକ୍ଷମ ରଖିବା ଏବଂ ଜଳ ନିଷ୍କାସନ ବ୍ୟବସ୍ଥା ପ୍ରସ୍ତୁତ ରଖିବାକୁ କୁହାଯାଇଛି।

 

Dharitri – Odisha’s No.1 Odia Daily