ବକେୟା ଅର୍ଥ ନ ମିଳିବାରୁ ପ୍ଲାଣ୍ଟ ଉପରେ ଚଢ଼ି ଠିକାଦାରଙ୍କ ଆତ୍ମହତ୍ୟା ଉଦ୍ୟମ, ହାଇଡ୍ରାମା ପରେ ପୋଲିସ…
ଛତ୍ରପୁର,୧ା୭(ଦିଲ୍ଲୀପ ସାମଲ): ଛତ୍ରପୁର ଉପକଣ୍ଠ ଆର୍ଯ୍ୟପଲ୍ଲୀସ୍ଥିତ ଆଇଆର୍ଆଇଏଲ କମ୍ପାନୀର ଡ୍ରେଜିଙ୍ଗ କାର୍ଯ୍ୟ ଚାଲିଥିବା ଅଞ୍ଚଳରେ ଏକ ହାଇଡ୍ରାମା ଦେଖିବାକୁ ମିଳିଛି। କାର୍ଯ୍ୟର ବକେୟା ଟଙ୍କା ନ ମିଳିବାରୁ ଆଇଆରଆଇଏଲ କମ୍ପାନୀ ଫିଡିଙ୍ଗ ପ୍ଲାଣ୍ଟରେ ମେଶିନ ଉପରେ ଚଢ଼ି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଜଣେ ସବ -ଠିକାଦାର କେ. ମହେନ୍ଦ୍ର ରେଡ୍ଡୀ। ମହେନ୍ଦ୍ର ହାଇଦ୍ରାବାଦ ଅଞ୍ଚଳର ହୋଇଥିବା ବେଳେ ଦୀର୍ଘ ଦିନ ଧରି ଆଇଆରଆଇଏଲ୍ କମ୍ପାନୀରେ ଏସ୍ଏମ୍ପି -୧ ପ୍ଲାଣ୍ଟରେ ପରିବହନ ଏବଂ ଅନ୍ୟାନ୍ୟ କାର୍ଯ୍ୟ ଠିକା ଭାବେ କରି ଆସୁଥିଲେ। କମ୍ପାନୀଠାରୁ ଟେଣ୍ଡର ପାଇଥିବା ଗୁଜରାଟର ସରସ୍ବତୀ ବିଲଡର ତାଙ୍କୁ ତାଙ୍କର ପ୍ରାପ୍ୟ ନ ଦେଇ ଛତ୍ରପୁର ଅଞ୍ଚଳର ମାଫିଆମାନଙ୍କ ଜରିଆରେ ଧମକ ଦେବା ସହିତ ଟଙ୍କା ନିମନ୍ତେ ଧୋକା ଦେବାରେ ଲାଗିଛି। ଯାହାଫଳରେ ସେ ଅସହାୟ ହୋଇ ବୁଧବାର ଆତ୍ମହତ୍ୟା ନିମନ୍ତେ ଉଦ୍ୟମ କରିଥିଲେ। ଏହାର ଖବର ପାଇ କମ୍ପାନୀର ସୁରକ୍ଷାକର୍ମୀ ଓ ଆର୍ଯ୍ୟପଲ୍ଲୀ ମେରାଇନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟ ଧରି ଠିକାଦାର ମହେନ୍ଦ୍ରଙ୍କୁ ବୁଝାଶୁଝା କରିଥିଲେ ମଧ୍ୟ ସେ ବୁଝିବାକୁ ନାରାଜ ହୋଇଥିଲେ। ପରେ ପୋଲିସ କର୍ମଚାରୀମାନେ ଫିଡିଙ୍ଗ ପ୍ଲାଣ୍ଟ ମେଶିନ ଉପରେ ଚଢ଼ି ଠିକାଦାରଙ୍କୁ ଉଦ୍ଧାର କରି ଆର୍ଯ୍ୟପଲ୍ଲୀ ମେରାଇନ ଥାନାକୁ ଆଣିଥିଲେ।
ମହେନ୍ଦ୍ରଙ୍କ କହିବା ଅନୁସାରେ ଗତ ୨୦୨୫ ନଭେମ୍ବର ମାସରୁ ଫିଡିଙ୍ଗ ପ୍ଲାଣ୍ଟରେ କରିଥିବା କାର୍ଯ୍ୟ ବାବଦରେ ସରସ୍ବତୀ ବିଲଡର ତାଙ୍କୁ ୧ କୋଟି ୨୫ ଲକ୍ଷ ଟଙ୍କା ପ୍ରଦାନ କରିବା ବକେୟା ଥିଲେ। ବାରମ୍ବାର ତାଙ୍କୁ ଟଙ୍କା ଦେବା ନିମନ୍ତେ ପ୍ରତିଶ୍ରୁତି ଦେଉଥିଲେ ସିନା ପ୍ରାପ୍ୟ ଦେଉ ନ ଥିଲେ। ପରିବର୍ତ୍ତେ ସମୟରେ ୭୩ ଲକ୍ଷ ଟଙ୍କା ପ୍ରଦାନ କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ସେହି ଟଙ୍କାରୁ କିଛି ଲକ୍ଷ ଦେଇଥିବା ଆହୁରି ବଳକା ଅର୍ଥ ମିଳିନାହିଁ। ତାଙ୍କର ପ୍ରାପ୍ୟ ମିଳିବା ନିମନ୍ତେ ସେ ବହୁବାର ଅନୁରୋଧ କରିଛନ୍ତି। ସେ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଏ ସମ୍ପର୍କରେ ଜଣାଇଥିଲେ। କମ୍ପାନୀ କର୍ତ୍ତୃପକ୍ଷ ସରସ୍ବତୀ ବିଲଡରଙ୍କୁ ସମସ୍ତ କାର୍ଯ୍ୟର ପ୍ରାପ୍ୟ ପ୍ରଦାନ କରାଯାଇଛି ବୋଲି କହିଥିଲେ। ତେବେ ମହେନ୍ଦ୍ରଙ୍କୁ ବଳକା ଅର୍ଥ ତାଙ୍କୁ ନ ମିଳିଲେ ସେ ଆତ୍ମହତ୍ୟା କରିବେ ବୋଲି କଡ଼ା ଚେତାବନୀ ଦେଇଛନ୍ତି।