ନୂଆପଡ଼ା ମୁଖ୍ୟ ଚିକିତ୍ସାଳୟରେ ବିରଳ ଅସ୍ତ୍ରୋପଚାର: ଯୁବକଙ୍କୁ ନୂଆ ଜୀବନ ଦେଲେ ଡାକ୍ତର
ନୂଆପଡ଼ା,୨୬/୬(ମକାରୁ ବେମାଲ): ସୀମିତ ସମ୍ବଳ କିନ୍ତୁ ଅସୀମ ସାହସ ଓ ଅସାଧାରଣ ଦକ୍ଷତା । ପୁଣିଥରେ ନିଜର ଚମତ୍କାରିତା ଦେଖାଇଛନ୍ତି ନୂଆପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟର ଅଭିଜ୍ଞ ଡାକ୍ତରୀ ଦଳ। କିଛି ଦିନ ତଳେ ଜଣେ ଶିଶୁର ଶରୀରରୁ ତୀର ବାହାର କରି ଚର୍ଚ୍ଚାକୁ ଆସିଥିବା ଏହି ଟିମ, ଏବେ ପୁଣି ଜଣେ ୧୮ ବର୍ଷର ମୁମୂର୍ଷୁ ଅବସ୍ଥାରେ ଥିବା ଯୁବକଙ୍କର ଅତି ଜଟିଳ ଅସ୍ତ୍ରୋପଚାର କରି ତାଙ୍କୁ ମୃତ୍ୟୁମୁଖରୁ ଫେରାଇ ଆଣିଛନ୍ତି। ବିନା କୌଣସି ଅତ୍ୟାଧୁନିକ ବଡ଼ ସାଧନରେ ଅଧରାତିରେ ମେଡିକାଲ ଟିମ୍ର ଏଭଳି ଅଦ୍ଭୁତପୂର୍ବ ସଫଳତା ସାରା ଜିଲାରେ ଚର୍ଚ୍ଚାର ବିଷୟ ବିଷୟ ହୋଇଛି।
ସୂଚନା ଅନୁଯାୟୀ,ନୂଆପଡ଼ା ସଦର ବ୍ଲକ ଜୋଙ୍କ ଥାନା ବୁଢ଼ୀପାଳି ପଞ୍ଚାୟତ ପାଳଶାଭଦର ଗାଁର ୧୮ ବର୍ଷୀୟ ଯୁବକ ଆକାଶ ଯାଦବ ଗୁରୁବାର ରାତିରେ ଓଡ଼ିଶା ସୀମାନ୍ତ ଛତିଶଗଡ ରାଜ୍ୟ ଟେମରି ଗାଁକୁ ଭୀମସେନ ଏକାଦଶୀ ଉପଲକ୍ଷେ ଆୟୋଜିତ ମେଳାକୁ କିଛି ଯୁବକଙ୍କ ସହ ଦେଖିବାକୁ ଯାଇଥିଲେ। ସେଠାରେ କିଛି ଅସାମାଜିକ ଯୁବକଙ୍କ ସହ କୌଣସି କାରଣରୁ ବଚସା ହୋଇଥିଲା। ଏହି ଗଣ୍ଡଗୋଳ ଉଗ୍ର ରୂପ ନେବା ପରେ ରାତି ପ୍ରାୟ ସାଢ଼େ ୧ଟା ସମୟରେ ଧାରୁଆ ଛୁରିରେ ଆକାଶଙ୍କୁ ଆକ୍ରମଣ କରାଯାଇଥିଲା। ଛୁରାମାଡ଼ ଏତେ ଭୟଙ୍କର ଥିଲା ଯେ, ଯୁବକଙ୍କ ପେଟଟି ସମ୍ପୂର୍ଣ୍ଣ କଟିଯିବା ସହ ଭିତର ଅଂଶ (ଅନ୍ତ୍ରବୁଜୁଳା) ବାହାରକୁ ଚାଲିଆସିଥିଲା। ଏପରିକି ଛୁରିର ଆଘାତରେ ତାଙ୍କର ଲିଭର (ଯକୃତ) ମଧ୍ୟ ଗଭୀର ଭାବେ କଟିଯାଇଥିଲା, ଯାହାଫଳରେ ପ୍ରଚୁର ରକ୍ତସ୍ରାବ ହେଉଥିଲା ଏବଂ ରୋଗୀ ଜୀବନ ମରଣ ସହ ସଂଗ୍ରାମ କରୁଥିଲେ।
ଯୁବକଙ୍କୁ ଅତି ସଂକଟାପନ୍ନ ଅବସ୍ଥାରେ ନୂଆପଡ଼ା ଜଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ସେତେବେଳକୁ ଅଧରାତି ହୋଇ ସାରିଥିଲା । କିନ୍ତୁ କର୍ତ୍ତବ୍ୟ ଆଗରେ ଡାକ୍ତରୀ ଦଳ ପାଇଁ ସମୟ ବାଧକ ସାଜି ନ ଥିଲା। ଡ୍ୟୁଟିରେ ଥିବା ବରିଷ୍ଠ ସର୍ଜରୀ ବିଶେଷଜ୍ଞ ଡାକ୍ତର ସ୍ବସ୍ତି ରେଖା ନାୟକ ସାମାନ୍ୟତମ ବିଳମ୍ବ ନ କରି ସ୍ଥିତିର ଗୁରୁତ୍ୱକୁ ବୁଝିଥିଲେ। ତୁରନ୍ତ ରାତିରେ ହିଁ ଅପରେଶନ ରୁମ ଖୋଲାଯାଇ ରାତି ୩ଟା ସମୟରେ ଏହି ବିପଦପୂର୍ଣ୍ଣ ଜରୁରୀକାଳୀନ ଅସ୍ତ୍ରୋପଚାର ଆରମ୍ଭ ହୋଇଥିଲା। ଲିଭର ଏବଂ ପେଟ କଟିଯାଇଥିବା ଭଳି ଏକ ଅତ୍ୟନ୍ତ ଜଟିଳ ସ୍ଥିତିରେ, ଏହି ସମ୍ପୂର୍ଣ୍ଣ ଡାକ୍ତରୀ ଦଳ ରାତି ୩ଟାରୁ ସକାଳ ପର୍ଯ୍ୟନ୍ତ ପ୍ରାୟ ୩ ରୁ ୪ ଘଣ୍ଟା କାଳ ନିରବଚ୍ଛିନ୍ନ ଭାବେ କଠିନ ପରିଶ୍ରମ କରି ଏହି ଅପରେଶନକୁ ସଫଳତାର ସହ ଶେଷ କରିଥିଲେ।
ଡାକ୍ତର ସ୍ବସ୍ତି ରେଖା ନାୟକଙ୍କ ନେତୃତ୍ୱରେ ଅଧରାତିରେ ସମସ୍ତେ ଏକଜୁଟ ହୋଇ ଜୀବନ ବଞ୍ଚାଇବା ପାଇଁ ଲାଗିପଡ଼ିଥିଲେ। ଡାକ୍ତର ନାୟକ (ବରିଷ୍ଠ ସର୍ଜରୀ ବିଶେଷଜ୍ଞ) ସମଗ୍ର ଅପରେଶନର ମୁଖ୍ୟ ନେତୃତ୍ୱ ନେଇଥିଲେ। ଡାକ୍ତର ରଶ୍ମିଜିତ ବେହେରା (ଆନେସ୍ଥେସିଆ ବିଶେଷଜ୍ଞ) ଜଟିଳ ସ୍ଥିତିରେ ରୋଗୀକୁ ସୁରକ୍ଷିତ ଭାବେ ଅଚେତ ରଖିବାର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଥିଲେ। ଡାକ୍ତର ଗୋବିନ୍ଦ ଚନ୍ଦ୍ର ସାହୁ ( ସର୍ଜରୀ ବିଶେଷଜ୍ଞ)ଙ୍କ ଉପସ୍ଥିତି ଓ ସହଯୋଗ ଏହି ମେଡିକାଲ ଟିମକୁ ଅଧାରାତିରେ ଆହୁରି ମଜବୁତ କରିଥିଲା।
ଶୁଭ୍ରାଂଶୁ ଏବଂ ଅଜୟ ସାହୁ (ଓ.ଟି. ଆସିଷ୍ଟାଣ୍ଟ) ଅପରେଶନ ସମୟରେ ପ୍ରତିଟି ସାଧନ ପ୍ରସ୍ତୁତ ରଖି ସହଯୋଗ କରିଥିଲେ। ହେମଲତା ସାହାନୀ (ହାଉସକିପିଂ କର୍ମଚାରୀ) ମଧ୍ୟ ଅତ୍ୟନ୍ତ ତତ୍ପରତାର ସହ ଉପସ୍ଥିତ ରହି ଅପରେଶନ ଥିଏଟର ସମସ୍ତ ଜରୁରୀ ପରିମଳ ଓ ସଫାସୁତୁରା ବ୍ୟବସ୍ଥା କରିବାରେ ଗୁରୁତ୍ୱପୂର୍ଣ୍ଣ ସହଯୋଗ କରିଥିଲେ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଏହି ଦକ୍ଷ ଡାକ୍ତରୀ ଦଳ କିଛି ଦିନ ପୂର୍ବରୁ ସୁନାବେଡ଼ା ଅଞ୍ଚଳର ଜଣେ ଶିଶୁ ଶରୀରରୁ ବିରଳ ଭାବେ ତୀର ବାହାର କରି ସାରା ଓଡ଼ିଶାରେ ପ୍ରଶଂସିତ ହୋଇଥିଲେ। ଆଜି ପୁଣି ଗଭୀର ରାତିରେ ସମସ୍ତ ମେଡିକାଲ କର୍ମଚାରୀଙ୍କ ସହଯୋଗରେ ଏହିପରି ଏକ ବଡ଼ ଜୀବନ ରକ୍ଷାକାରୀ ଅସ୍ତ୍ରୋପଚାର କରି ଏହି ଟିମ ପ୍ରମାଣିତ କରିଛନ୍ତି ଯେ ଦକ୍ଷତା ଓ ମାନବିକତା ଆଗରେ ସମୟ କିମ୍ବା ସମ୍ବଳର ଅଭାବ କେବେ ବି ପ୍ରତିବନ୍ଧକ ସାଜିପାରେ ନାହିଁ।
କୌଣସି ବଡ଼ ଭିତ୍ତିଭୂମି କିମ୍ବା ବ୍ୟାପକ ଆଧୁନିକ ସାଧନ ନଥାଇ ମଧ୍ୟ ଜିଲା ମୁଖ୍ୟ ଚିକିତ୍ସାଳୟ ଭଳି ଏକ ସରକାରୀ ଚିକିତ୍ସାଳୟରେ ପରପର ଦୁଇଟି ବଡ଼ ଏବଂ ଜଟିଳ ଅପରେସନକୁ ସଫଳ କରିବା ଡାକ୍ତରୀ ଦଳର ଅସାଧାରଣ କର୍ତ୍ତବ୍ୟନିଷ୍ଠାକୁ ଦର୍ଶାଉଛି। ରାତିତମାମ ଜଗି ୩ରୁ୪ ଘଣ୍ଟା କାଳ ପରିଶ୍ରମ କରି ଏହି ସଫଳତା ହାସଲ କରିବା ନୂଆପଡ଼ା ର ନାମକୁ ସାରା ରାଜ୍ୟରେ ଗୌରବାନ୍ବିତ କରିଛି।
ଏବେ ଆକାଶଙ୍କ ସ୍ବାସ୍ଥ୍ୟାବସ୍ଥାରେ ଦ୍ରୁତ ସୁଧାର ଆସୁଥିବା ସୂଚନା ମିଳିଛି। ଜଣେ ଯୁବକଙ୍କୁ ମୃତ୍ୟୁ ମୁଖରୁ ଟାଣି ଆଣିଥିବାରୁ ସ୍ଥାନୀୟ ଜନସାଧାରଣ ଏହି ମେଡିକାଲ ଟିମ ସମେତ ସମସ୍ତ ସହଯୋଗୀ କର୍ମଚାରୀଙ୍କୁ କୃତଜ୍ଞତା ଜଣାଇବା ସହ ଶୁଭେଚ୍ଛାର ସୁଅ ଛୁଟୁବାରେ ଲାଗିଛି। ଏହି ଡାକ୍ତରୀ ଦଳଙ୍କ ସେବା, ତ୍ୟାଗ ଓ କଠିନ ପରିଶ୍ରମକୁ ଯେତେ ଧନ୍ୟବାଦ ଦେଲେ ମଧ୍ୟ ତାହା କମ ହେବ।
Dharitri – Odisha’s No.1 Odia Daily