ଦିଲ୍ଲୀ ତାତି ବରଗଡ଼ରେ: ଗାନ୍ଧୀଛକରେ କଂଗ୍ରେସର ବିକ୍ଷୋଭ ସହ ମୋଦୀ-ଶାହ-ଧର୍ମେନ୍ଦ୍ରଙ୍କ କୁଶପୁତ୍ତଳିକା ଦାହ

Jul 23, 2026 - 22:09
ଦିଲ୍ଲୀ ତାତି ବରଗଡ଼ରେ: ଗାନ୍ଧୀଛକରେ କଂଗ୍ରେସର ବିକ୍ଷୋଭ ସହ ମୋଦୀ-ଶାହ-ଧର୍ମେନ୍ଦ୍ରଙ୍କ କୁଶପୁତ୍ତଳିକା ଦାହ

ବରଗଡ଼, ୨୩ା୭(ପ୍ରେମାନନ୍ଦ ଖମାରୀ): ଦିଲ୍ଲୀ ଜନ୍ତରମନ୍ତରରେ ଚାଲିଥିବା ଛାତ୍ର ଆନ୍ଦୋଳନ ଉପରେ ପୋଲିସର ଦମନଲୀଳା ଏବଂ ଶୀର୍ଷ ନେତୃବୃନ୍ଦଙ୍କ ଗିରଫଦାରୀ ପ୍ରତିବାଦରେ ଗୁରୁବାର ସନ୍ଧ୍ୟାରେ ବରଗଡ଼ ଜିଲା କଂଗ୍ରେସ କମିଟି ପକ୍ଷରୁ ସହରର ଗାନ୍ଧୀଛକଠାରେ ଏକ ବିରାଟ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ଗତ ୨୧ ତାରିଖ ଦିନ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ଧାରଣାରତ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ଅନ୍ୟାନ୍ୟ ଶୀର୍ଷ ନେତାମାନଙ୍କୁ ପୋଲିସ ଜୋରଜବରଦସ୍ତି ଉଠାଇ ନେଇଥିବା ଘଟଣାକୁ କଂଗ୍ରେସ ପକ୍ଷରୁ କଡ଼ା ନିନ୍ଦା କରାଯାଇଛି। ସେହିପରି ଭୁବନେଶ୍ୱରସ୍ଥିତ ରାଜଭବନ ଫାଟକ ସମ୍ମୁଖରୁ ପ୍ରତିବାଦରତ କର୍ମୀଙ୍କ ଗହଣରୁ ପିସିସି ସଭାପତି ଭକ୍ତଚରଣ ଦାସଙ୍କୁ ପୋଲିସ ଉଠାଇ ନେବା ଘଟଣାର ମଧ୍ୟ ବରଗଡ଼ ଜିଲ୍ଲା କଂଗ୍ରେସ ପକ୍ଷରୁ ଦୃଢ଼ ପ୍ରତିବାଦ କରାଯାଇଛି।

ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଉତ୍ତ୍ୟକ୍ତ କଂଗ୍ରେସ କର୍ମୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ଜିଲ୍ଲା କଂଗ୍ରେସ କମିଟି ସଭାପତି ହରଦୀପ ସିଂହଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବିକ୍ଷୋଭରେ ପୂର୍ବତନ ବିଧାୟକ ସାଧୁଚରଣ ନେପାକ, ସରୋଜ କୁମାର ଷଡ଼ଙ୍ଗୀ, ଅନନ୍ତ ପାଢ଼ୀ, କିଶୋର ଦଫାଦାର, ନିପନ କୁମାର ଦାଶ, ବ୍ରହ୍ମା ମହାକୁଡ଼, ଅଭିଷେକ ସେଠ୍, ପ୍ରତାପ ଚନ୍ଦ୍ର ନାୟକ, ରବିନାରାୟଣ ପଣ୍ଡା, ଆନନ୍ଦ ପ୍ରଧାନ, ସୁନିତା ବାଗ, ପାଣ୍ଡବ କର୍ଣ୍ଣ, ଅମିତ ଆଚାର୍ଯ୍ୟ, ଅବଦୁଲ୍ ଗଫାରଙ୍କ ସମେତ ବହୁ ସଂଖ୍ୟାରେ କଂଗ୍ରେସ କର୍ମୀ ଓ ନେତୃବୃନ୍ଦ ସାମିଲ୍ ହୋଇଥିଲେ।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।