ତେଲ ବଜାରରେ ହଲଚଲ: ପେଟ୍ରୋଲରେ ଆଶ୍ୱସ୍ତି, ଡିଜେଲ ଦେଲା ଝଟ୍କା, ଲାଗୁ ହେଲା ନୂଆ ଦର
ନୂଆଦିଲ୍ଲୀ,୧୬।୭: ମିଡିଲ ଇଷ୍ଟ (ମଧ୍ୟ ପ୍ରାଚ୍ୟ)ରେ ଆମେରିକା ଏବଂ ଇରାନ ମଧ୍ୟରେ ଜାରି ରହିଥିବା ସାମରିକ ତିକ୍ତତା ମଧ୍ୟରେ ଆନ୍ତର୍ଜାତୀୟ ତେଲ ବଜାରରେ ବଡ଼ ଧରଣର ଅସ୍ଥିରତା ଦେଖିବାକୁ ମିଳିଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ରପ୍ତାନି ଉପରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଇନ୍ଧନ ରପ୍ତାନି ଉପରେ ଲାଗୁ ହେଉଥିବା ଉଇଣ୍ଡଫଲ ଟ୍ୟାକ୍ସ (Windfall Tax) ରେ ସରକାର ବଡ଼ ପରିବର୍ତ୍ତନ କରିଛନ୍ତି। ଅର୍ଥ ମନ୍ତ୍ରଣାଳୟ ପକ୍ଷରବିଜ୍ଞପ୍ତି ଅନୁସାରେ, ଡିଜେଲ ଏବଂ ବିମାନ ଇନ୍ଧନ (ATF) ରପ୍ତାନି ଉପରେ ଟ୍ୟାକ୍ସ ବଢ଼ାଇ ଦିଆଯାଇଥିବା ବେଳେ ପେଟ୍ରୋଲ ଉପରେ ଏହାକୁ ହ୍ରାସ କରାଯାଇଛି। ଏହି ନୂତନ ଦର ଆଜିଠାରୁ (୧୬ ଜୁଲାଇ) ଲାଗୁ ହୋଇଛି।
ସୂଚନାଯୋଗ୍ୟ ଯେ, ପ୍ରତି ୧୫ ଦିନରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲର ମୂଲ୍ୟ ଏବଂ ରିଫାଇନିଂ ମାର୍ଜିନର ସମୀକ୍ଷା ଆଧାରରେ ସରକାର ଏହି ଟ୍ୟାକ୍ସରେ ପରିବର୍ତ୍ତନ କରିଥାନ୍ତି। ନୂଆ ନିୟମ ଅନୁଯାୟୀ, ପେଟ୍ରୋଲ ଉପରେ ଉଇଣ୍ଡଫଲ ଟ୍ୟାକ୍ସ ଲିଟର ପିଛା ୪ ଟଙ୍କାରୁ ହ୍ରାସ କରାଯାଇ ୨.୫ ଟଙ୍କା କରାଯାଇଛି। ଅପରପକ୍ଷରେ, ଡିଜେଲ ଉପରେ ଏହି ଟ୍ୟାକ୍ସ ଲିଟର ପିଛା ୮.୫ ଟଙ୍କାରୁ ବୃଦ୍ଧି କରାଯାଇ ୧୫.୫ ଟଙ୍କା ଏବଂ ଏଟିଏଫ (ATF) ଉପରେ ୭.୫ ଟଙ୍କାରୁ ବଢ଼ାଇ ୧୪.୫ ଟଙ୍କା କରାଯାଇଛି। ଅନ୍ତର୍ଜାତୀୟ ସ୍ତରରେ ତେଲ ଯୋଗାଣ ବାଧାପ୍ରାପ୍ତ ହେବାର ଆଶଙ୍କା ଥିବାରୁ ଘରୋଇ ବଜାରରେ ସନ୍ତୁଳନ ରକ୍ଷା କରିବା ପାଇଁ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି।
Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।