ଦାରିଙ୍ଗବାଡିରେ ଘୋଷଯାତ୍ରା: ସିମନବାଡି-ଗଦାପୁରରେ ବିଳମ୍ବରେ ଟଣାହେଲା ରଥ,ଲଗାଣ ବର୍ଷା ସତ୍ତ୍ୱେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼
ଦାରିଙ୍ଗବାଡି, ୧୬।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଗୁରୁବାର ପବିତ୍ର ଘୋଷଯାତ୍ରା ଅତି ଧୂମଧାମରେ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅନ୍ତର୍ଗତ ସିମନବାଡି ପତିତପାବନ ମନ୍ଦିରରେ ଏହି ଯାତ୍ରା ବହୁ ଆଡ଼ମ୍ବର ସହ ପାଳନ କରାଯାଇଥିବା ବେଳେ ମହାପ୍ରଭୁଙ୍କ ନୀତିକାନ୍ତିରେ ବିଳମ୍ବ ହେତୁ ସନ୍ଧ୍ୟା ସାଢ଼େ ୬ଟାରେ ରଥଟଣା ଆରମ୍ଭ ହୋଇଥିଲା। ସେହିପରି ଗଦାପୁରଠାରେ ମଧ୍ୟ ରଥଟଣା କାର୍ଯ୍ୟ ସାମାନ୍ୟ ବିଳମ୍ବ ହୋଇ ଅପରାହ୍ନ ସାଢ଼େ ୫ଟାରେ ଆରମ୍ଭ ହୋଇଥିଲା।
ବୁଧବାର ବିଳମ୍ବିତ ରାତିରୁ ଅଞ୍ଚଳରେ ଲଘୁଚାପ ଜନିତ ଲଗାଣ ବର୍ଷା ଲାଗିରହିଥିବାରୁ ରଥଯାତ୍ରା ବାଧାପ୍ରାପ୍ତ ହେବାର ଯେଉଁ ଆଶଙ୍କା ଥିଲା, ତାହା ଶେଷରେ ଭୁଲ ପ୍ରମାଣିତ ହୋଇଛି। ସିମନବାଡି ସମେତ ଉକ୍ତ ପଞ୍ଚାୟତର ଗବାଟବାଡ଼ି, ବାଡାବାଙ୍ଗା ଏବଂ ଶ୍ରାନିକେତା ପଞ୍ଚାୟତର ଟକରମାଲା, ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ କାଟିଙ୍ଗିଆ ଓ ଗଦାପୁରଠାରେ ଆୟୋଜିତ ରଥଯାତ୍ରାରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଥିଲା। ଲଗାଣ ବର୍ଷାକୁ ଖାତିର ନକରି ହଜାର ହଜାର ଶ୍ରଦ୍ଧାଳୁ ନିଜ ପରିବାର, ବନ୍ଧୁପରିଜନ ଓ ସାଙ୍ଗସାଥିଙ୍କ ସହ ବଡ଼ଦାଣ୍ଡରେ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ କରିବା ସହ ରଥଟାଣି ଆନନ୍ଦ ଲାଭ କରିଥିଲେ।
ସିମନବାଡି, ବାଡାବାଙ୍ଗା, ଗବାଟବାଡ଼ି ଓ ଟକରମାଲା ରଥଯାତ୍ରାରେ ଆଇନଶୃଙ୍ଖଳା ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଦାରିଙ୍ଗବାଡି ଥାନା ଆଇଆଇସି ସଂଗ୍ରାମ କେଶରୀ ଜେନାଙ୍କ ନେତୃତ୍ୱରେ ସବ୍-ଇନ୍ସପେକ୍ଟର ଲଷ୍ମୀ ମାଝୀ ଓ ଏଏସଆଇ ଅର୍ଜୁନ ଶବର ସଦଳବଳ ବିଭିନ୍ନ ସ୍ଥାନରେ ପାଟ୍ରୋଲିଂ କରିଥିଲେ। ସେହିପରି ଦାରିଙ୍ଗବାଡି ବିଡ଼ିଓ ପ୍ରୀତିରଞ୍ଜନ ରଥ ଏବଂ ତହସିଲଦାର ଧୀରଜ ପାତ୍ର ବିଭିନ୍ନ ସ୍ଥାନରେ ହେଉଥିବା ରଥଯାତ୍ରା ପୀଠରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।