ଡ୍ୟାମରେ ବୁଡ଼ି ଚାଲିଗଲା ମହିଳାଙ୍କ ଜୀବନ, ବେସାହାରା ଛୁଆଙ୍କୁ ସରକାରୀ ସହାୟତା ଦାବି

Jun 30, 2026 - 12:15
ଡ୍ୟାମରେ ବୁଡ଼ି ଚାଲିଗଲା ମହିଳାଙ୍କ ଜୀବନ, ବେସାହାରା ଛୁଆଙ୍କୁ ସରକାରୀ ସହାୟତା ଦାବି

ମୋହନା,୩୦।୬(ମନ୍ମଥ ମିଶ୍ର): ଡ୍ୟାମରେ ଗାଧୋଇବା ବେଳେ ପାଣିରେ ବୁଡ଼ି ମହିଳାଙ୍କ ମୃତ୍ୟୁ ହୋଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ଅନ୍ତର୍ଗତ ସାନଖଣି ଗାଁରେ ।

ସୂଚନା ଅନୁସାରେ, ସୋମବାର ପୂର୍ବାହ୍ନ ସମୟରେ ଗାଁର ବାସନ୍ତୀ ମଳିକ ନିକଟରେ ଥିବା ଡ୍ୟାମକୁ ଗାଧୋଇବା ପାଇଁ ଯାଇଥିଲେ କିନ୍ତୁ ଆଉ ଘରକୁ ଫେରିଲେ ନାହିଁ । ଗ୍ରାମବାସୀ ବହୁ ଖୋଜା ଖୋଜି ପରେ ଡ୍ୟାମର ତଟରେ ବୁଡି ରହିଥିବା ଦେଖି ୧୧୨କୁ ଖବର ଦେଇଥିଲେ । ଘଟଣାସ୍ଥଳରେ ମୋହନା ପୋଲିସ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରିଥିଲା ।

ହେଲେ ଗାଧୋଇବା ବେଳେ ପାଣିରେ ପଡ଼ି ଆଉ ଉଠି ପାରିନଥିବା ଅନୁମାନ କରାଯାଉଛି । ଯାହା ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଏ ସମ୍ପର୍କରେ ଏକ ଅପମୃତ ମାମଲା ରୁଜ୍ଜୁ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ମେଡିକାଲକୁ ମୋହନା ପୋଲିସ ପଠାଇଛି। ସୂଚନା ପ୍ରକାରେ ସ୍ୱାମୀ କିଛି ବର୍ଷ ପୂର୍ବେ ମୃତ୍ୟୁ ବରଣ କରିଥିବା ବେଳେ ବର୍ତ୍ତମାନ ବାସନ୍ତୀଙ୍କ ମୃତ୍ୟୁ ଘଟିଛି। ଯାହାକୁ ନେଇ ପୁଅ ଝିଅ ଅନାଥ ହୋଇ ଯାଇଛନ୍ତି। ଏବେ ସାହା ଭରଷା କହିଲେ କେହି ନାହାନ୍ତି। ଯଦି ସରକାର କୌଣସି ପ୍ରକାର ସାହାଯ୍ୟର ହାତ ବଢ଼ାଇବେ ତାହେଲେ ଉପକୃତ ହୋଇପାରିବେ ବୋଲି ଆଶା ରଖିଛନ୍ତି ଗ୍ରାମବାସୀ ।

 

Dharitri – Odisha’s No.1 Odia Daily