ଖରିଫ ଚାଷ ପାଇଁ ଚାଷୀ ତତ୍ପର, ଧାନରୁଆ ଆରମ୍ଭ

Jul 26, 2026 - 20:25
ଖରିଫ ଚାଷ ପାଇଁ ଚାଷୀ ତତ୍ପର, ଧାନରୁଆ ଆରମ୍ଭ

ଗଞ୍ଜାମ,୨୬ା୭(ବିଦ୍ୟାଧର ସାହୁ): ଖରିଫ ଚାଷ ପାଇଁ ଚଳିତବର୍ଷ ଋଷିକୂଲ୍ୟା ଜଳସେଚନ ଉପବିଭାଗ ପକ୍ଷରୁ ହିରାଧାରବାଟି କେନାଲରେ ପାଣି ଛଡ଼ାଯାଇଛି। ପୂର୍ବବର୍ଷ ଗୁଡିକ ଅପେକ୍ଷା ଚଳିତବର୍ଷ ୧ ମାସ ଆଗରୁ କେନାଲରେ ପାଣି ଛଡ଼ାଯାଇଥିବାରୁ ସ୍ଥାନୀୟ ଅଞ୍ଚଳର ଚାଷୀ ତତ୍ପର ହୋଇପଡିଛନ୍ତି।

ଏପରିକି ଝାଟିପଦର, ପୋଡ଼ାଗଡ଼, ଖଟୁଆକୁଦା, ନୀଳାଦ୍ରିପୁର, ମୟୂରପଦା, ହୁମା ପଞ୍ଚାୟତ ହୁମା ସମେତ ବୋରିଗାଁ, କଳାଯମୁନା, ମଲାଡ଼ ପଞ୍ଚାୟତ ଲୁଂଘୁରି, ପଣିବନ୍ଧ ଏବଂ କାଇଁଚପୁର ପଞ୍ଚାୟତ ମାଳୀ ଜଗନ୍ନାଥ ପୁର, କଲ୍ୟାଣପୁର ସମେତ ପୁଇଁତୋଳା ଆଦି ଗ୍ରାମର ଜମିରେ ଧାନରୁଆ କାର୍ଯ୍ୟ ଆରମ୍ଭ ହୋଇଛି।

ଗଞ୍ଜାମ ବ୍ଲକରେ ମୋଟ ୧୨ ହଜାର ୮୮୪ ହେକ୍ଟର ଚାଷ ଜମି ଥିବା ବେଳେ ୪୮୦୦ ହେକ୍ଟର ଜମିରେ ଧାନ ଚାଷ ହେଉଛି। ଗତ ସଂକ୍ରାନ୍ତିରେ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯିବା ପରେ ପାଣି ଛଡା ଯାଇଥିଲା। ଗଞ୍ଜାମ ବ୍ଲକ ଓ ପୁରୁଷୋତ୍ତମପୁର ଅଞ୍ଚଳରେ ରହିଥିବା ଶସ୍ୟକ୍ଷେତ୍ରକୁ ଜଳ ଯୋଗାଣ ହେଉଛି। ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ହନୁମାନପଲ୍ଲୀ ଅଞ୍ଚଳରେ ରହିଥିବା ବ୍ୟାରେଜରୁ ଗେଟ ଖୋଲି ହୀରାଧାର ବାଟି ଜଳ ସେଚନ ପ୍ରକଳ୍ପର ସହକାରୀ ନିର୍ବାହୀ ଯନ୍ତ୍ରୀ ସଦାଶିବ ପାତ୍ର, ସହକାରୀ ଯନ୍ତ୍ରୀ ରବିନ୍ଦ୍ର ନାଥ ନାହାକ, କନିଷ୍ଠ ଯନ୍ତ୍ରୀ ସାଗର କୁମାର ଦାଶଙ୍କ ଉପସ୍ଥିତିରେ ପାଣି ଛଡ଼ାଯାଇଥିଲା।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।