ବିଦ୍ୟାଳୟର ପ୍ରତିଷ୍ଠା ଦିବସରେ ଛାତ୍ରୀଛାତ୍ରଙ୍କ ଉତ୍ସାହିତ କଲେ ବିଧାୟକ, ଉପଜିଲାପାଳ; ଭବିଷ୍ୟତ ଗଠନ ପାଇଁ…

Jul 26, 2026 - 20:06
ବିଦ୍ୟାଳୟର ପ୍ରତିଷ୍ଠା ଦିବସରେ ଛାତ୍ରୀଛାତ୍ରଙ୍କ ଉତ୍ସାହିତ କଲେ ବିଧାୟକ, ଉପଜିଲାପାଳ; ଭବିଷ୍ୟତ ଗଠନ ପାଇଁ…

ଭଞ୍ଜନଗର/ବେଲଗୁଣ୍ଠା,୨୬/୭(ବାବୁଲା ପ୍ରଧାନ ): ଗଞ୍ଜାମ ଜିଲା, ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠାନର ୪୩ତମ ପ୍ରତିଷ୍ଠା ଦିବସ ରବିବାର ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଯୋଗଦେଇ ଛାତ୍ରୀଛାତ୍ରଙ୍କୁ ଅନୁଷ୍ଠାନ ପ୍ରତି ଉତ୍ସର୍ଗୀକୃତ ମନୋଭାବ ନେଇ ନିଜର କର୍ତ୍ତବ୍ୟ ପାଳନ ନିମିତ୍ତ ପରାମର୍ଶ ପ୍ରଦାନ କରିଥିଲେ। ଏହା ବିଦ୍ୟା ବିହାର ଏକ ଅନୁଷ୍ଠାନ ନୁହେଁ, ଏହା ସ୍ବପ୍ନର ଜନ୍ମଭୂମି, ସଫଳତାର ସୋପାନ ଓ ସ୍ମୃତିର ଅମର ଠିକଣା ବୋଲି ସେ ପ୍ରକାଶ କରିଥିଲେ। ବିଶିଷ୍ଟ ଅତିଥି ରୂପେ ଭଞ୍ଜନଗର ଉପଜିଲାପାଳ ତଥା ଅନୁଷ୍ଠାନର ପରିଚାଳନା ପରିଷଦ ସଭାପତି ଉମାଶଙ୍କର ବେହେରା ଯୋଗଦେଇ
ସାମ୍ପ୍ରତିକ ଡିଜିଟାଲ ଯୁଗ ପୃଷ୍ଠଭୂମି ଅଧାରରେ ଛାତ୍ରୀଛାତ୍ର କିପରି ନିଜକୁ ଉତ୍ତମ ମାର୍ଗର ପଥିକ କରିପାରିବେ ଓ ନିଜ ଦକ୍ଷତାର ବିକାଶ କରି ଶ୍ରେଷ୍ଠ ହେବେ ସେ ସମ୍ବନ୍ଧୀୟ ଅଭିଭାଷଣ ପ୍ରଦାନ କରି ଛାତ୍ରୀଛାତ୍ରଙ୍କୁ ଉତ୍ସାହିତ କରିଥିଲେ । ମୁଖ୍ୟବକ୍ତା ଭାବେ ପାଟପୁର କଲେଜ ରସାୟନ ବିଭାଗ ଅଧ୍ୟାପକ କୈଳାସ ଚନ୍ଦ୍ର ସ୍ବାଇଁ ଯୋଗ ଦେଇ ଛାତ୍ରୀଛାତ୍ରଙ୍କୁ ଆଧ୍ୟାତ୍ମିକ ମାର୍ଗ ଅନୁସରଣ କରି ନିଜର ଭବିଷ୍ୟତ ଗଠନ ପାଇଁ ପରାମର୍ଶ ଦେଇଥିଲେ। ସେହିପରି ସମ୍ମାନୀତ ଅତିଥି ରୂପେ ଉତ୍ତର ଘୁମୁସର ବନ ଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି ଯୋଗଦେଇ ପରିବେଶର ସୁରକ୍ଷା ସହ ଛାତ୍ରୀଛାତ୍ରମାନେ ନିଜ କ୍ୟାରିଅର ଗଠନ ଉପରେ ଆଲୋକପାତ କରିଥିଲେ। ଅନ୍ୟତମ ସମ୍ମାନୀତ ଅତିଥି ରୂପେ ବେଲଗୁଣ୍ଠା ବ୍ଲକ ଆର୍‌.ଡି, ଏସ.ଡି.ଓ ତଥା ଅନୁଷ୍ଠାନର ଜଣେ ପୂର୍ବତନ ଛାତ୍ରୀ ହିତାଞ୍ଜଳି ପଣ୍ଡା ଯୋଗ ଦେଇଥିଲେ। ଅନୁଷ୍ଠାନର ପୂର୍ବତନ ଅଧ୍ୟକ୍ଷ ସ୍ବର୍ଗତ ଅମୂଲ୍ୟ ଦାସଙ୍କ ପ୍ରତିମୂର୍ତ୍ତିରେ ଅତିଥିମାନେ ପୁଷ୍ପ ମାଲ୍ୟାର୍ପଣ କରିବା ସହ କାରଗିଲ ବିଜୟ ଦିବସ ସ୍ମୃତି ଅବସରରେ ସମସ୍ତ ନିମନ୍ତ୍ରିତ ଅତିଥି , ଅଧ୍ୟାପକ, ଅଧ୍ୟାପିକାଙ୍କ ଦ୍ୱାରା ଚାରାରୋପଣ କରାଯାଇଥିଲା । ଅନୁଷ୍ଠାନର ଛାତ୍ରୀଗଣ ପ୍ରାରମ୍ଭିକ ସଙ୍ଗୀତ ଗାନ କରିବା ପରେ ସାଂସ୍କୃତିକ ପରିଷଦର ଉପସଭାପତି ସୁଶାନ୍ତ କୁମାର ଲେଙ୍କା ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଅନୁଷ୍ଠାନର ଅଧ୍ୟକ୍ଷା ରୁନିବାଳା ତ୍ରିପାଠୀ ବାର୍ଷିକ ବିବରଣୀ ପାଠ କରିଥିଲେ । ଅଧ୍ୟାପକ କିରନ କହଁର ଧନ୍ୟବାଦ ପ୍ରଦାନ କରିଥିଲେ।

Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।