କେନ୍ଦ୍ର ସରକାରଙ୍କୁ ରାହୁଲଙ୍କ କଡ଼ା ସମାଲୋଚନା: ମହିଳା ଆନ୍ଦୋଳନକାରୀଙ୍କ ଘରକୁ ଗୁଣ୍ଡା ପଠାଇ…

Aug 05, 2026 - 18:59
କେନ୍ଦ୍ର ସରକାରଙ୍କୁ ରାହୁଲଙ୍କ କଡ଼ା ସମାଲୋଚନା: ମହିଳା ଆନ୍ଦୋଳନକାରୀଙ୍କ ଘରକୁ ଗୁଣ୍ଡା ପଠାଇ…

ନୂଆଦିଲ୍ଲୀ,୫।୮: ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଛାତ୍ର ଆନ୍ଦୋଳନ ସମୟରେ ଦିଲ୍ଲୀ ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କୁ ସିଧାସଳଖ ଦାୟୀ କରିଛନ୍ତି । ୨୦ ଜୁଲାଇରେ ସଂସଦ ଅଭିମୁଖେ ଛାତ୍ରମାନଙ୍କ ମାର୍ଚ୍ଚ ସମୟରେ ଦିଲ୍ଲୀ ସହ ଦେଶର ବିଭିନ୍ନ ସହରରେ ପୋଲିସ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ରାହୁଲ ଗାନ୍ଧୀ ଏକ ଖବରଦାତା ସମ୍ମିଳନୀ କରିଥିଲେ । ଏଥିରେ ମୁମ୍ବାଇର ଚର୍ଚ୍ଚିତ ଛାତ୍ରୀ ଆନ୍ଦୋଳନକାରୀ ରିୟା ଅହୀରଙ୍କ ସମେତ ଅନ୍ୟାନ୍ୟ ପ୍ରଦର୍ଶନକାରୀ ଉପସ୍ଥିତ ଥିଲେ।

ରାହୁଲ ଗାନ୍ଧୀ କହିଥିଲେ ଯେ, ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା ଯୁବ ପ୍ରଦର୍ଶନକାରୀଙ୍କ ସହ ସେ ଆଲୋଚନା କରିଛନ୍ତି । ତାଙ୍କ ଅନୁସାରେ, ଆନ୍ଦୋଳନକାରୀମାନେ କୌଣସି ହିଂସା କରିନଥିଲେ, ତଥାପି ସେମାନଙ୍କୁ ଧମକ ଦିଆଯାଇଥିଲା ଏବଂ ଲାଠିଚାର୍ଜ କରାଯାଇଥିଲା। ଛାତ୍ରମାନଙ୍କ ସାହସର ପ୍ରଶଂସା କରି ସେ କହିଥିଲେ ଯେ, ସେମାନେ କୌଣସି ଭୁଲ କରିନାହାନ୍ତି ଏବଂ କାହା ପାଖରେ କ୍ଷମା ମାଗିବାର ଆବଶ୍ୟକତା ନାହିଁ । ଅନ୍ୟାୟ ବିରୋଧରେ ସ୍ୱର ଉଠାଇବା ପ୍ରତ୍ୟେକ ନାଗରିକଙ୍କ କର୍ତ୍ତବ୍ୟ ବୋଲି ସେ କହିଥିଲେ। ଜଣେ ୧୫ ବର୍ଷୀୟ ଝିଅର ଘରକୁ ଗୁଣ୍ଡା ପଠାଇ ତାକୁ କ୍ଷମା ମାଗିବାକୁ ବାଧ୍ୟ କରିବା ସମ୍ପୂର୍ଣ୍ଣ ଠିକ୍ ନୁହେଁ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଟାର୍ଗେଟ କରି ରାହୁଲ ଗାନ୍ଧୀ କହିଥିଲେ ଯେ, ଏହି ଛାତ୍ରଛାତ୍ରୀମାନେ ଯେପରି ସାହସର ସହ ଗଣମାଧ୍ୟମ ସମ୍ମୁଖରେ ନିଜ କଥା ରଖୁଛନ୍ତି, ସେହିପରି ସାହସ ପ୍ରଧାନମନ୍ତ୍ରୀ କିମ୍ବା ସ୍ବରାଷ୍ଟ୍ରମନ୍ତ୍ରୀଙ୍କ ପାଖରେ ନାହିଁ।ଖବରଦାତା ସମ୍ମିଳନୀରେ ମୁମ୍ବାଇର ପ୍ରଦର୍ଶନକାରୀ ରିୟା ଅହୀର କହିଥିଲେ ଯେ, ସେ ୨୦ ଜଣ ଛାତ୍ରଙ୍କୁ ବେଆଇନ ଭାବେ ଅଟକ ରଖାଯିବାରୁ ବଞ୍ଚାଇଥିଲେ । ଏହା ପରଠାରୁ ସେ ଲଗାତାର ଉତ୍ପୀଡ଼ନର ସମ୍ମୁଖୀନ ହେଉଛନ୍ତି। ସୋସିଆଲ ମିଡିଆରେ ତାଙ୍କ ବିରୋଧରେ ଅପମାନଜନକ ପୋଷ୍ଟ ପ୍ରଚାର କରାଯାଉଥିବା ସହ ଅଭିଯୋଗ କରିଥିଲେ ଯେ, ଅଭିଯୋଗ ଦାଖଲ କରିବା ପରେ ମଧ୍ୟ ଏପର୍ଯ୍ୟନ୍ତ ଏଫ୍‌ଆଇଆର୍‌ର କପି ମିଳିନାହିଁ।

ଅନ୍ୟ ଜଣେ ପ୍ରଦର୍ଶନକାରୀ ନୂତନ ଟୋପ୍ପୋ ଦାବି କରିଥିଲେ ଯେ, ପ୍ରଦର୍ଶନ ସମୟରେ ପୋଲିସ ପେଲେଟ ଗନ୍ ବ୍ୟବହାର କରିଥିଲା ଏବଂ ସେଥିରେ ସେ ଆହତ ହୋଇଥିଲେ। ସେ କହିଥିଲେ, ଯେତେବେଳେ ବି ଅନ୍ୟାୟ ବିରୋଧରେ ଠିଆ ହେବାର ସୁଯୋଗ ମିଳିବ, ସେମାନେ ନିଶ୍ଚିତ ଭାବେ ସ୍ୱର ଉଠାଇବେ।

ପ୍ରଦର୍ଶନକାରୀ ଫରାହ ନାଜ କହିଥିଲେ ଯେ, ଜନ୍ତର-ମନ୍ତରରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ସମୟରେ ପୋଲିସ ସେମାନଙ୍କୁ ନିର୍ମମ ଭାବେ ମାଡ଼ ମାରିଥିଲା। ଆହତ କରିବା ପରେ ତାଙ୍କୁ ବସରେ ତିନି ଘଣ୍ଟା ଧରି ଅଟକ ରଖାଯାଇଥିଲା। ନିଜ ନାମ କହିବା ପରେ ଧର୍ମ ଆଧାରରେ ତାଙ୍କୁ ଅଲଗା ଭାବେ ବ୍ୟବହାର କରାଯାଇଥିବାର ଅଭିଯୋଗ ମଧ୍ୟ ସେ କରିଥିଲେ। ସେ କହିଥିଲେ, ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରୁଥିଲେ ମଧ୍ୟ ସେମାନଙ୍କୁ ‘ଦେଶଦ୍ରୋହୀ’ ବୋଲି କୁହାଯାଉଛି, ଯାହା ଅତ୍ୟନ୍ତ ଦୁଃଖଦ। ନିଜ ଅଧିକାର ଏବଂ ଦେଶ ପାଇଁ ସେମାନେ ସର୍ବଦା ସ୍ୱର ଉଠାଇବେ ବୋଲି ସେ କହିଥିଲେ।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।