ଋଣ ଟଙ୍କା ଦେଉନ, ଆତ୍ମହତ୍ୟା କରିବି: ବିଷ ବୋତଲ ଧରି ବ୍ୟାଙ୍କ ମ୍ୟାନଜର୍‌ଙ୍କ ଆଗରେ…

Jul 04, 2026 - 09:01

ଭୋଗରାଇ,୪ା୭(ପ୍ରଦୀପ ଦାସ):ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ୍‌ ଚନ୍ଦନେଶ୍ୱର ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ସମ୍ମୁଖରେ ଶୁକ୍ରବାର ଜଣେ ମହିଳା ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ବ୍ୟାଙ୍କ ମ୍ୟାନେଜର ଋଣ ଟଙ୍କା ଓ ସବ୍‌ସିଡି ଟଙ୍କା ଦେଉ ନ ଥିବା ଅଭିଯୋଗ କରିଥିଲେ। ଫଳରେ ଦୀର୍ଘ ସମୟ ପର୍ଯ୍ୟନ୍ତ ବ୍ୟାଙ୍କ ସମ୍ମୁଖରେ ଅପ୍ରୀତିକର ପରିସ୍ଥିତି ଉପୁଜିଥିଲା। ପୋଲିସ ପହଞ୍ଚତ୍ ବୁଝାଶୁଝା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

ଅଭିଯୋଗ ମୁତାବକ, ଭୋଗରାଇ ବ୍ଲକ୍‌ ଜୟରାମପୁର ଗ୍ରାମର ପଦ୍ମାବତୀ ଜେନା ଚନ୍ଦନେଶ୍ୱର ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରୁ ୨୦୨୨ରେ ବ୍ୟବସାୟ ନିମନ୍ତେ ୭ ଲକ୍ଷ ୬୦ ହଜାର ଟଙ୍କା ଋଣ ପାଇଁ ଆବେଦନ କରିଥିଲେ। ପରବର୍ତ୍ତୀ ସମୟରେ ସେ ୪ ଲକ୍ଷ ୬୦ ହଜାର ଟଙ୍କା ପାଇଥିଲେ। ବ୍ୟାଙ୍କ ମ୍ୟାନେଜର ପୂର୍ଣ୍ଣଚନ୍ଦ୍ର ସିଟ୍‌ ତାଙ୍କଠାରୁ ଟଙ୍କା ବ୍ୟାଙ୍କ ଟ୍ରାଞ୍ଜାକ୍ସନ କରିବା କଥା କହି ବ୍ଲାଙ୍କ୍‌ ଚେକ୍‌ରେ ୫୦ ହଜାର ଟଙ୍କା ନେଇଥିଲେ। ପରେ ପୁଣି ୧୦ ଲକ୍ଷ ଟଙ୍କା ମଞ୍ଜୁର କରିଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ଆଜି ପର୍ଯ୍ୟନ୍ତ କୌଣସି ଋଣ କଲେ ନାହିଁ କି ବାକି ୩ ଲକ୍ଷ ଋଣ ଟଙ୍କା ନ ଦେଇ ମ୍ୟାନେଜର ହଇରାଣ କରୁଛନ୍ତି। ଏଥିସହ ଋଣ ଅର୍ଥ ଓ ସବ୍‌ସିଡି ହଡ଼ପ କରିଥିବା ମହିଳା ଅଭିଯୋଗ କରିଥିଲେ। ଶୁକ୍ରବାର ଏକ ବିଷ ବୋତଲ ଧରି ବ୍ୟାଙ୍କ ମ୍ୟାନେଜରଙ୍କୁ ଅଟକାଇଥିଲେ। ସମସ୍ତ ଟଙ୍କା ପ୍ରଦାନ ନ କଲେ ବିଷ ପିଇ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଥିଲେ। ବ୍ୟାଙ୍କ ମ୍ୟାନେଜରଙ୍କୁ ମହିଳା ଅଟକାଇବା ପରେ ସ୍ଥିତି ଗମ୍ଭୀର ହୋଇଥିଲା। ତାଳସାରୀ ମେରାଇନ ଥାନା ଘଟଣାସ୍ଥଳରେ ପହଞ୍ଚତ୍ ବୁଝାଶୁଝା କରିଥିଲା। ଶନିବାର ଉକ୍ତ ବ୍ୟାଙ୍କରେ ମହିଳା ଆଣିଥିବା ଅଭିଯୋଗ ଭିତ୍ତିରେ ଆଲୋଚନା କରାଯିବା ନେଇ ସହମତି ପ୍ରକାଶ ପରେ ମହିଳା ଶାନ୍ତ ପଡ଼ିଥିଲେ। ଅନ୍ୟପକ୍ଷେ ମହିଳା ଆଣିଥିବା ଅଭିଯୋଗର ସତ୍ୟତା ନାହିଁ ବୋଲି ବ୍ୟାଙ୍କ ମ୍ୟାନେଜର ସିଟ୍‌ ପ୍ରକାଶ କରିଛନ୍ତି।

 

Dharitri – Odisha’s No.1 Odia Daily

 

The post ଋଣ ଟଙ୍କା ଦେଉନ, ଆତ୍ମହତ୍ୟା କରିବି: ବିଷ ବୋତଲ ଧରି ବ୍ୟାଙ୍କ ମ୍ୟାନଜର୍‌ଙ୍କ ଆଗରେ… appeared first on Dharitri Odia News.