ପ୍ରଥମ ବର୍ଷାରେ ବରଗଡ଼ ଜଳାର୍ଣ୍ଣବ: ଘରକୁ ପଶିଲା, ରାସ୍ତାରେ ବୋହିଲା
ବରଗଡ଼,୪।୭(ପ୍ରେମାନନ୍ଦ ଖମାରୀ):ବିକଶିତ ବରଗଡ଼ର ନାରାବାଜି ଦିଆଯାଉଛି। ହେଲେ ଏଠାରେ ବିକାଶ ବାଟବଣା ହୋଇ ପଡ଼ିଛି। ପାଣି ନିଷ୍କାସନ ଅର୍ଥାତ୍ ଡ୍ରେନେଜ ବ୍ୟବସ୍ଥା ସମ୍ପୂର୍ଣ୍ଣ ଫେଲ୍ ମାରିଛି। ଏଥର ଲଘୁଚାପ ଜନିତ ପ୍ରଥମ ବର୍ଷାରେ ସହର ଜଳାର୍ଣ୍ଣବ ହୋଇ ପଡ଼ିଛି। ବରଗଡ଼ ପୌର ପରିଷଦ ଅଧୀନ ୱାର୍ଡ ନଂ-୧ ଟାଙ୍ଗରପଡ଼ା (କେଶବ ନଗର) ସମେତ ବିଭିନ୍ନ ଅଞ୍ଚଳରେ ଲୋକଙ୍କ ଘରକୁ ନର୍ଦ୍ଦମା ସହିତ ବର୍ଷାପାଣି ପଶିଛି। ଖଟ, ପଲଙ୍କ, ରନ୍ଧନ ଗ୍ୟାସ, ବାସନକୁସନ ସହିତ ବିଭିନ୍ନ ଆସବାବପତ୍ର ପାଣିରେ ଭାସୁଛି। ଲୋକଙ୍କ ରନ୍ଧାବଢ଼ା ମଧ୍ୟ ପ୍ରଭାବିତ ହୋଇଛି। ସେହିପରି ଲୋକେ ରାତିରେ ଶୋଇ ପାଇପାରିନାହାନ୍ତି। କ୍ରମାଗତ ଭାବେ ବୁଧବାର ରାତିରୁ ଶୁକ୍ରବାର ପର୍ଯ୍ୟନ୍ତ ବର୍ଷା ଲାଗି ରହିବାରୁ ଲୋକଙ୍କୁ ଏଭଳି ହଟହଟାର ସମ୍ମୁଖୀନ ହେବାକୁ ପଡ଼ିଛି। କେବଳ ସେତିକି ନୁହେଁ, ସହର କେନ୍ଦ୍ରସ୍ଥଳୀରେ ରହିଥିବା ସରକାରୀ ବସଷ୍ଟାଣ୍ଡରେ ବର୍ଷାପାଣି ଲହଡ଼ି ମାରୁଥିବା ଯୋଗୁ ଯାତ୍ରୀମାନଙ୍କୁ ହଇରାଣ ହେବାକୁ ପଡ଼ିଛି। ବିଭିନ୍ନ ସରକାରୀ କାର୍ଯ୍ୟାଳୟ ମଧ୍ୟ ବର୍ଷାପାଣି ଘେରରେ ରହିଥିବାବେଳେ ରାସ୍ତାରେ ବର୍ଷାପାଣି ଯାଉଥିବା ଯୋଗୁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ପ୍ରତିବର୍ଷ ବର୍ଷାଦିନେ ସହର ଅବସ୍ଥା ଏପରି ବେହାଲ୍ ହୋଇ ପଡ଼ିଥାଏ। ହେଲେ ଏପର୍ଯ୍ୟନ୍ତ ଏହାର ସ୍ଥାୟୀ ସମାଧାନ ହୋଇପାରିନାହିଁ। ସହରର ମୁଖ୍ୟ ରାସ୍ତାପାର୍ଶ୍ୱରୁ ଜବରଦଖଲ ହଟାଇ ବିଭିନ୍ନ ସ୍ଥାନରେ ଡ୍ରେନ୍ ନିର୍ମାଣ କରାଯାଉଛି। ତେବେ ଦୀର୍ଘଦିନରୁ ଡ୍ରେନ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ତାହା ସମାପନ ହୋଇପାରିନାହିଁ। ଫଳରେ ଅଧାପନ୍ତରିଆ ଡ୍ରେନ୍ ଲୋକଙ୍କ ଦୁଃଖକୁ ଆହୁରି ବଢ଼ାଇ ଦେଇଛି ବୋଲି ସାଧାରଣରେ ମତପ୍ରକାଶ ପାଇଛି। ଉଲ୍ଲେଖନୀୟ, ଗତ ୩ଦିନରେ ଜିଲାର ଅମ୍ବାଭୋନା ବ୍ଲକରେ ସର୍ବାଧିକ ୪୯୯ ମି.ମି ବର୍ଷା ହୋଇଥିବାବେଳେ ଅତାବିରା ବ୍ଲକରେ ୧୬୧ ମି.ମି, ବରଗଡ଼ରେ ୧୨୮ ମି.ମି, ବରପାଲିରେ ୧୭୦ ମି.ମି, ଭଟଲିରେ ୧୮୩ ମି.ମି, ଭେଡ଼େନରେ ୧୯୪ ମି.ମି, ବିଜେପୁରରେ ୧୬୨ ମି.ମି, ଗାଇସିଲେଟରେ ୯୫ ମି.ମି, ଝାରବନ୍ଧରେ ୬୦ ମି.ମି, ପାଇକମାଳରେ ୩୯ ମି.ମି, ପଦ୍ମପୁରରେ ୩୯ ମି.ମି ଏବଂ ସୋହେଲାରେ ୯୨ ମି.ମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି।
Dharitri – Odisha’s No.1 Odia Daily
The post ପ୍ରଥମ ବର୍ଷାରେ ବରଗଡ଼ ଜଳାର୍ଣ୍ଣବ: ଘରକୁ ପଶିଲା, ରାସ୍ତାରେ ବୋହିଲା appeared first on Dharitri Odia News.