ଉପ ମୁଖ୍ୟମନ୍ତ୍ରୀଙ୍କୁ କଡ଼ା ଟାର୍ଗେଟ କଲା ବିଜେଡି
ବରଗଡ଼,୧୨।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଏକ ପାୱାର ସବ୍ଷ୍ଟେଶନ ଉଦ୍ଘାଟନ କରିବା ପାଇଁ ରବିବାର ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆସିଥିଲେ। ତେବେ ଗତ ସାଧାରଣ ନିର୍ବାଚନ ସମୟରେ ଭାଜପା ଦେଇଥିବା ୩୦୦ ୟୁନିଟ ମାଗଣା ବିଦ୍ୟୁତ୍ ପ୍ରତିଶ୍ରୁତିିକୁ ସେ ଉଦ୍ଘାଟନୀ ସମାରୋହରେ ଅସ୍ବୀକାର କରିବା ଦୁର୍ଭାଗ୍ୟଜନକ ବୋଲି ବିଜେଡ଼ି ଏକ ବିବୃତିରେ କହିଛି।
ବିଜେଡ଼ି ଦେଇଥିବା ବିବୃତିରେ ଉଲ୍ଲେଖ କରିଛି ଯେ, ବରଗଡ଼ ସହର ଓ ଆଖପାଖ ଅଞ୍ଚଳର ବିଦ୍ୟୁତ୍ ସମସ୍ୟାକୁ ଦୃଷ୍ଟିରେ ରଖି ତାର ନିରାକରଣ ପାଇଁ ୩୩/୧୧ କେ.ଭି ଉଚ୍ଚ କ୍ଷମତା ସମ୍ପନ୍ନ ନୂତନ ଗ୍ରିଡ ସବ୍ଷ୍ଟେଶନ ସ୍ଥାପନ ସକାଶେ ବିଗତ ୨୦୨୨ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଜନସାଧାରଣ ସମସ୍ୟାକୁ ବିଚାର କରି ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡ଼ ସହରର ହାଟପଦା, ଗୋବିନ୍ଦପାଲି, ରେଲୱେ ଷ୍ଟେଶନ ଅଞ୍ଚଳ, ପଞ୍ଚାୟତ କଲେଜ ଅଞ୍ଚଳର ବିଦ୍ୟୁତ୍ ଉପଭୋକ୍ତାଙ୍କ ପାଇଁ ଗୋବିନ୍ଦପାଲି ଶ୍ମଶାନ ଘାଟ ନିକଟରେ ଏକ ୩୩/୧୧ କେଭି ଉଚ୍ଚ କ୍ଷମତା ସମ୍ପନ୍ନ ଗ୍ରିଡ ସ୍ଥାପନ ପାଇଁ ଅର୍ଥ ମଞ୍ଜୁର କରିଥିଲେ। ଇତିମଧ୍ୟରେ ତାକୁ ଉପ ମୁଖ୍ୟମନ୍ତ୍ରୀ ସିଂହଦେଓ ଲୋକାର୍ପିତ କରିଛନ୍ତି ।
ଅନ୍ୟପକ୍ଷେ ବର୍ତ୍ତମାନ ସୁଦ୍ଧା ବରଗଡ଼ ସହର ଓ ଆଖପାଖ ଅଞ୍ଚଳରେ ବିଦ୍ୟୁତ୍ ସମସ୍ୟା ଲାଗିରହିଛି । ଏପର୍ଯ୍ୟନ୍ତ ସମାଧାନ ହୋଇ ପାରିନାହିଁ । ଏହି ସମସ୍ୟା ଗୁଡ଼ିକର ତ୍ୱରିତ ସମାଧାନ ସକାଶେ ଉପ ମୁଖ୍ୟମନ୍ତ୍ରୀ କୌଣସି ପ୍ରକାର ନୂତନ ଯୋଜନାରେ ବିଦ୍ୟୁତ୍ ସମସ୍ୟାର ସ୍ଥାୟୀ ସମାଧାନ ସକାଶେ ପଦକ୍ଷେପ ନ ନେବା କିମ୍ବା ଆଗାମୀ ଯୋଜନା ସମ୍ପର୍କରେ କୌଣସି ଘୋଷଣା ନ କରିବା ଦୁର୍ଭାଗ୍ୟଜନକ ଅଟେ ।
ବିଶେଷ କରି ବିଗତ ନିର୍ବାଚନ ସମୟରେ ୩୦୦ ୟୁନିଟ ବିଜୁଳି ଫ୍ରି ଘୋଷଣା କଥାକୁ ମଧ୍ୟ ସେ ଏଡାଇଯିବା ବିଡ଼ମ୍ବନାର ବିଷୟ ବୋଲି ବିଜେଡ଼ି କହିଛି। ବିବୃତିରେ ଆହୁରି ଉଲ୍ଲେଖ ରହିଛି, ଉପ ମୁଖ୍ୟମନ୍ତ୍ରୀ କୃଷି ବିଭାଗ ଦାୟିତ୍ୱବରେ ମଧ୍ୟ ରହିଛନ୍ତି।
ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ଧାନ କିଣାବିକାରେ ଅଚଳାବସ୍ଥା ଜାରି ରହିଛି । ତେବେ ତା’ର ସମାଧାନ ବଦଳରେ ଉପ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଅବସରରେ ବିଭିନ୍ନ ଚାଷୀ ସଂଗଠନର ନେତାମାନଙ୍କୁ ପୋଲିସ ଦ୍ୱାରା ଗିରଫ କରିବା ଘଟଣା କେତେ ଦୂର ଯୁକ୍ତିଯୁକ୍ତ ବୋଲି ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ପୂର୍ବତନ ମନ୍ତ୍ରୀ ରୀତା ସାହୁ, ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ, ପଦ୍ମପୂର ବିଧାୟିକା ବର୍ଷା ସିଂ ବରିହା, ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ ବିବୃତିରେ ପ୍ରଶ୍ନ କରିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।