ରଥଯାତ୍ରା ଡ୍ୟୁଟିରେ ଆସିଥିବା ହୋମଗାର୍ଡଙ୍କ ସନ୍ଦେହଜନକ ମୃତ୍ୟୁ
ସାକ୍ଷୀଗୋପାଳ, ୧୨।୭ (କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ରଥଯାତ୍ରା ଡ୍ୟୁଟିରେ ପୁରୀ ଆସିଥିବା ଜଣେ ହୋମଗାର୍ଡଙ୍କର ଶନିବାର ରାତିରେ ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁ ଘଟିଛି। ମୃତ ହୋମଗାର୍ଡଙ୍କ ନାମ ପ୍ରଦୀପ୍ତ ମହାନ୍ତ (୪୫)। ତାଙ୍କ ଘର କେନ୍ଦୁଝର ଜିଲା ଘଟଗାଁ ଥାନା ଅନ୍ତର୍ଗତ ହୁଣ୍ଡାପିଟା ଗ୍ରାମରେ।
ସୂଚନା ଅନୁଯାୟୀ, ପ୍ରଦୀପ୍ତ ମହାନ୍ତ ଅନ୍ୟ ସହକର୍ମୀମାନଙ୍କ ସହ ପୁରୀ ରଥଯାତ୍ରା ଡ୍ୟୁଟିରେ ଆସିଥିଲେ। ସେମାନେ ସତ୍ୟବାଦୀ ଥାନା ଅଞ୍ଚଳର ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ଏକ କୋଠରୀରେ ରହୁଥିଲେ। ଶନିବାର ରାତି ପ୍ରାୟ ୧୦ଟା ୩୦ ମିନିଟ୍ ସମୟରେ ପ୍ରଦୀପ୍ତ ହଠାତ୍ ଉଠି ବାନ୍ତି କରିବା ସହ ଅଚେତ ହୋଇପଡ଼ିଥିଲେ। ତାଙ୍କ ପାଟି ଓ ନାକରୁ ଧଳା ରଙ୍ଗର ଫେଣ ବାହାରୁଥିବା ଦେଖି ସହକର୍ମୀମାନେ ତୁରନ୍ତ ତାଙ୍କୁ ସାକ୍ଷୀଗୋପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ପ୍ରାଥମିକ ଭାବେ କୌଣସି ବିଷଧର ସାପ କାମୁଡ଼ାରୁ ତାଙ୍କର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ତେବେ ପ୍ରକୃତ ମୃତ୍ୟୁର କାରଣ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ ବୋଲି ପୋଲିସ ସୂଚନା ଦେଇଛି।
ଘଟଣାର ଖବର ପାଇ ସତ୍ୟବାଦୀ ପୋଲିସ ହସ୍ପିଟାଲରେ ପହଞ୍ଚି ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ଖବର ପାଇ ମୃତକଙ୍କ ପରିବାର ଲୋକେ ରବିବାର ସାକ୍ଷୀଗୋପାଳ ଡାକ୍ତରଖାନାରେ ପହଞ୍ଚିଥିବା ଜଣାପଡ଼ିଛି। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।